ବଣିକ ସଂଘର ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମାର ବିଭିନ୍ନ ସମସ୍ୟାକୁ ନେଇ ଗୁରୁବାର ନୂଆପଡ଼ା ବଣିକ ସଂଘ ଆହ୍ଵାନକ୍ରମେ ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ହୋଇଥିଲା। ଏଥିରେ ନୂଆପଡା ବଣିକ ସଂଘ ବ୍ୟତୀତ ଓକିଲ ସଂଘ, ବରିଷ୍ଠ ନାଗରିକ ସଂଘ, ଜନପ୍ରତିନିଧି, ଜର୍ଣ୍ଣାଲିଷ୍ଟ ଆସୋସିସନ, ତଥା ବୁଦ୍ଧିଜୀବୀ ସାମିଲ ଥିଲେ। ଆଜି ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଶତାଧିକ ବ୍ୟବସାୟୀ ସ୍ଥାନୀୟ ଏକତା ଛକ ଠାରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାଯ୍ୟର୍ାଳୟ ଘେରାଉ କରି ସେଠାରେ ଏକ ପ୍ରତିବାଦ ସଭା କରିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ମିଞ୍ଜଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଉକ୍ତ ଦାବିପତ୍ରରେ ନୂଆପଡ଼ା ସହର ଦେଇ ଯାଇଥିବା ୩୫୩ ନଂ ଜାତୀୟ ରାଜପଥ କାମ ତୁରନ୍ତ ସଂପୂର୍ଣ୍ଣ କରିବା, ରାସ୍ତା ପ୍ରଶସ୍ତୀକରଣ ନାମରେ ଉଚ୍ଛେଦ କରାଯାଇଥିବା ଦୋକାନୀଙ୍କୁ ଦୋକାନ ଗୃହ ଯୋଗାଇ ଦେବା, ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଡ୍ରେନ କାମ ଶୀଘ୍ର ସଂପୂର୍ଣ୍ଣ କରିବା, ସହରରେ ଖାଲି ପଡିଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିବାସ, ପୂର୍ତ୍ତ ବିଭାଗ, ବନବିଭାଗ, ଅବକାରୀ ବିଭାଗ, ଏକତା ଛକଠାରୁ ବସଷ୍ଟାଣ୍ଡ, କ୍ଲବ ପଡିଆ ଓ ମିନିଷ୍ଟାଡିୟମ ସମ୍ମୁଖ ସରକାରୀ ଜାଗା ଗୁଡିକକୁ ଚିହ୍ନଟ କରି ଏନଏସିକୁ ଦାୟିତ୍ୱ ଦେଇ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ସହର ମଧ୍ୟରେ ଟ୍ରାଫିକ ପୋଷ୍ଟ ଓ ଭେଣ୍ଡିଙ୍ଗ ଜୋନ ତିଆରି ଆଦି ଅନ୍ତର୍ଭୁକ୍ତ ରହିଛି।

ସଂଘର ସଭାପତି ସରୋଜ ସାହୁଙ୍କ ନେତୃତ୍ୱରେ ବିଧାୟକ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରସନ୍ନ ପାଢୀ, ସିଭିଲବାର ସଂଘ ସଭାପତି ଘାସିରାମ ମାଝୀ, ଆଇନଜିବୀ ମୁରଲୀଧର ପଣ୍ଡା ପ୍ରସନ୍ନ ଚନ୍ଦ୍ର ମହାପାତ୍ର, ଶ୍ୱେତରାମ ଦେୱାଙ୍ଗନ, ସମାଜସେବୀ ସୁରେଶ ଅଗ୍ରୱାଲ, ଭାନୁପ୍ରତାପ ସିଂ ମାଝୀ, ବଣିକ ସଂଘ ସଂପାଦକ ବିଜୟ ଚନ୍ଦ୍ରପାର, କମଳ କିଶୋର ପଣ୍ଡା, ଶ୍ରୀକାନ୍ତ ଗୁପ୍ତା, ସୁଶାନ୍ତ ପତି, ସିତୁ ବୋଧଙ୍କର, ରାମ ରଥ, ଆଲୋକ ଗୁରୁ, ଟିଙ୍କୁ ଗୁପ୍ତା, ଜିତେନ୍ଦ୍ର ନାୟକ, ପ୍ରଦୀପ ସ୍ୱାଇଁ, ସୁଧୀର ମିଶ୍ର ପ୍ରମୁଖ ନାଗରିକ ସାମିଲ ଥିଲେ। ତୁରନ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର