୨୦ ବର୍ଷ ପରେ ଉଦଘାଟିତ ହେବ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ, ଏବେ ବି ବିସ୍ଥାପିତଙ୍କ ଦୁଃଖ ଯାଇନି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଓ କୋମନା ମଝିରେ ନିର୍ମାଣ ହେଉଥିବା ଜିଲ୍ଲାର ବୃହତ୍ତମ ଲୋୟର ଇନ୍ଦ୍ର ଜଳପ୍ରକଳ୍ପ କାମ ଶେଷ ହୋଇଛି। ୨୦ ବର୍ଷ ଧରି କାମ ଚାଲିବା ପରେ ଆସନ୍ତା ୧୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହେବାକୁ ଯାଉଛି। ହେଲେ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହୋଇ ନିଜ ଭିଟାମାଟି ଛାଡ଼ିଥିବା କ୍ଷତିଗ୍ରସ୍ତମାନଙ୍କ ସମସ୍ୟାର ଅନ୍ତ ଘଟି ନାହିଁ। ସେମାନଙ୍କ ଦୁଃଖ ବି ଯାଇ ନାହିଁ। ଆଜି ବି ବିସ୍ଥାପିତ ପରିବାର ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। କିଛି ବିସ୍ଥାପିତ ସେମାନଙ୍କ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କର ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁ ନଥିଲା। ୨୦୨୦ ନଭେମ୍ବର ମାସରେ ପେଣ୍ଡରାବନ୍ଧ ବିସ୍ଥାପିତମାନେ ତାଙ୍କ ନାମରେ ଜାଲିଆତି କରି କୋଟି କୋଟି ଟଙ୍କା ହଡ଼ପ କରୁଥିବା ଜିଲ୍ଲା ପ୍ରଶାସନଠାରେ ଅଭିଯୋଗ କରିଥିଲେ। ଆଜି ପର୍ଯ୍ୟନ୍ତ ସେମାନଙ୍କ ଅଭିଯୋଗକୁ ପ୍ରଶାସନ ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି।
ଆସନ୍ତା ୧୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ ବୋଲି ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ବିସ୍ଥାପିତମାନଙ୍କୁ ନେଇ ବୈଠକ କରି ସେମାନଙ୍କ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛି। ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲାର ଚାଷୀମାନଙ୍କ ଚଳସେଚନ ସୁବିଧା ପାଇଁ ୨୦୦୦ ମସିହାରେ ଖଡ଼ିଆଳ ଓ କୋମନା ମଝିରେ ତିଖାଲିଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଲୋୟର ଇନ୍ଦ୍ର ପ୍ରକଳ୍ପର ଭୂମିପୂଜା କରିଥିଲେ। ଏହି ପ୍ରକଳ୍ପରେ କୋମନା, ଖଡ଼ିଆଳ ବୋଡ଼େନ ବ୍ଲକ୍ର ୮ଟି ପଞ୍ଚାୟତର ୫ହଜାର ଲୋକ ପ୍ରଭାବିତ ହୋଥିବା ବେଳେ ୬ହଜାର ବିସ୍ଥାପିତ ହୋଇଛନ୍ତି। କୋମନା ବ୍ଲକ୍ ରଜନା ପେଣ୍ଡରାବନ୍ଧ, କୋନାବିରା, ଆଗରେନ, କୋମନା, ବୋଡ଼େନ ବ୍ଲକ୍ର କର୍ଲାକୋଟ, ନାଗପଡ଼ା, ଖଡ଼ିଆଳ ବ୍ଲକର ସାନମହେଶ୍ବର ପ୍ରଭାବିତ ହୋଇଛି। ସରକାର ଏହି ସ୍ଥଳରେ ବର୍ଷ ବର୍ଷ ଧରି ରହିଆସିଥିବା ପରିବାରଙ୍କୁ ଟଙ୍କାର ଲୋଭ ଦେଖାଇ ପ୍ରକଳ୍ପ କାମ ଆରମ୍ଭ କରିଥିଲେ। ବିସ୍ଥାପିତ ଓ କ୍ଷତିଗ୍ରସ୍ତମାନଙ୍କୁ କମ୍ କ୍ଷତିପୂରଣ ଦେଇ ବିସ୍ଥାପନ କରିଥିଲେ। ଜମି, ଗଛ, ଘର କୂଅ ପୋଖରୀକୁ ମନମୁଖୀ ଆକଳନ କରି ବହୁ କମ୍ ଟଙ୍କା କ୍ଷତିପୂରଣ ଦେଇଥିଲେ। ହେଲେ ବିସ୍ଥାପିତମାନେ ଆନ୍ଦୋଳନ ପରେ ପରେ ୨୦୧୪ ମସିହାରେ ସରକାର କଟ୍ଅଫ୍ ଡେଟ୍ ଘୋଷଣା କରିଥିଲେ।

ବିସ୍ଥାପିତ ଓ କ୍ଷତିଗ୍ରସ୍ତମାନଙ୍କୁ ଭାଗ ଭାଗ କରି ସହାୟତା ପ୍ରଦାନ କରିବାରୁ ଅନେକ ପରିବାର ନିଜ ଭିଟାମାଟି ଛାଡ଼ି ପାରିନାହନ୍ତି। ଶତାଧିକ ପରିବାର ସରକାରଙ୍କୁ ସହଯୋଗ କରି ଘରଦ୍ବାର ଛାଡ଼ି ଅନ୍ୟସ୍ଥାନରେ ପୁନର୍ବସତି ସ୍ଥାପନ କଲେ। ତାଙ୍କୁ ପ୍ରଶାସନ ଓ ସରକାର କୌଣସି ସୁବିଧା ସୁଯୋଗ ଯୋଗାଇ ଦେଇନଥିଲେ। ଜମିବାଡ଼ି ରୋଜଗାର ହରାଇ ଶତାଧିକ ପରିବାର ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି। ଅନେକ ପରିବାର ଟଙ୍କା ଅଭାବରୁ ଭିଟାମାଟି ଛାଡ଼ି ପାରି ନଥିବା ବେଳେ ଅନେକ ପରିବାର ସରକାରଙ୍କ ସହାୟତା ଅପେକ୍ଷାରେ ପଡ଼ିରହିଛନ୍ତି। ବିସ୍ଥାପିତଙ୍କ ଦାବି ଯେ ବିସ୍ଥାପିତ ପରିବାରଙ୍କୁ ସରକାର ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ହେଲେ ଏହାକୁ ୨ ଲକ୍ଷ ଟଙ୍କା କରାଯାଉ। ୯୦ ପ୍ରତିଶତ ଜମିହରା ବିସ୍ଥାପିତ ପରିବାର ବର୍ଦ୍ଧିତ ସହାୟତା ରାଶି ପାଇନାହନ୍ତି। ସେପରି ବିସ୍ଥାପିତ ହୋଇ ପୁନଃବସତି ଗାଁମାନଙ୍କୁ ସରକାର ବିଜୁଳି, ପାନୀୟ ଜଳ, ଗମନାଗମନ, ଅଙ୍ଗନବାଡ଼ି, ସ୍କୁଲ କରି ମୌଳିକ ସୁବିଧା ଦେବା କଥା। ହେଲେ ଆଜି ପର୍ଯ୍ୟନ୍ତ ତାହା କରାଯାଇ ନାହିଁ। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର