ଖୋର୍ଦ୍ଧା ଗ୍ରାମାଂଚଳରେ କରୋନାର ଦ୍ୱିତୀୟ ଲହରରେ ସରକାରୀ ତଥ୍ୟ

ଦୈନିକ ଯେତିକି ସଂକ୍ରମିତ ସେତିକି ସୁସ୍ଥ ହେଛନ୍ତି

ଖୋର୍ଦ୍ଧା: ପ୍ରତିଦିନ କରୋନା ସଂକ୍ରମଣରେ ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁର ଖବର ଆସୁଛି। କିନ୍ତୁ ସରକାରୀ ତଥ୍ୟରେ ମୃତ୍ୟୁର ସୂଚନା ନାହିଁ। ଦୈନିକ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି, ଚକିତ୍ସା ମିଳୁନଥିବା ଅଭିଯୋଗ ହେଉଛି, କିନ୍ତୁ ଯେତିକି ସଂକ୍ରମିତ ହେଉଛନ୍ତି ସେତିକି ଠିକ୍ ହୋଇଯାଉଛନ୍ତି। ବିଭିନ୍ନ ସ୍ଥାନରେ ଲୋକେ ଲୋକଲଜ୍ଜା ଓ ଆଶଙ୍କାରେ ନିଜ ସଂକ୍ରମଣ କଥା ଲୁଚାଇ ରଖୁଛନ୍ତି, କିନ୍ତୁ ପରୀକ୍ଷଣ ସଂଖ୍ୟା ବୃଦ୍ଧି ପାଉନାହିଁ। ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ଦ୍ୱିତୀୟ ଲହର ସଂକ୍ରମଣର ମୋଟାମୋଟି ଏହି ଚିତ୍ର ଦେଖିବାକୁ ମିଳିଛି।

ଜିଲ୍ଲା ଆାପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ, ଆଜି ୧୮୯ଜଣ ସଂକ୍ରମିତ ହୋଇଛନ୍ତି, ଆଶ୍ଚର୍ଯ୍ୟଜନକ ଭାବେ ୧୮୩ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ଗତକାଲି ୨୧୨ ସଂକ୍ରମିତ ହେଉଥିବା ବେଳେ ୧୮୦ ଜଣ ସୁସ୍ଥ ହୋଇଛନ୍ତି। ୧୪ ତାରିଖରେ ୨୦୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୯ ଜଣ ସୁସ୍ଥ ହୋଇଛନ୍ତି। ୧୩ ତାରିଖରେ ୩୨୫ ସଂକ୍ରମିତ ହୋଇଥିବା ବେଳେ ୨୦୪ ସୁସ୍ଥ ହୋଇଛନ୍ତି। କହିବାକୁ ଗଲେ ମଇ ମାସ ୫ ତାରିଖରେ ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ରୋକିବାକୁ ଲକ୍‌ଡ଼ାଉନ ଆରମ୍ଭ ଦିନ ଠାରୁ ପ୍ରାୟତଃ ଏହିଭଳି ତଥ୍ୟ ରହିଛି।

କେବଳ ଏହାନୁହେଁ, ଗତ ୧୫ ଦିନରେ ଥରେ ନୁହେଁ ଖୋର୍ଦ୍ଧା ସହରରେ ତିନିତିନି ଥର ସଂକ୍ରମିତଙ୍କ ମୃତ ଦେହ ଶ୍ମଶାନରେ ସଂସ୍କାର କରିବା ନେଇ ପ୍ରଶାସନ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲା। ଏହି ମୃତ୍ୟୁ ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ କରାଯାଇନାହିଁ। ସେହିଭଳି ପ୍ରତି ବ୍ଲକରେ ଗତ ୧ ମାସ ମଧ୍ୟରେ ସଂକ୍ରମଣରେ ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ରେକର୍ଡ କରାଯାଇଛି, କିନ୍ତୁ ସେଗୁଡ଼ିକର ତଥ୍ୟ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ସରକାରଙ୍କ ପକ୍ଷରୁ ଲକ୍ଷଣହୀନ ଓ କମ୍ ଲକ୍ଷଣ ଥିବା ସଂକ୍ରମିତଙ୍କୁ ଘରେ ରହି ଚିକିତ୍ସା କରିବାକୁ କୁହାଯାଇଛି।

କିନ୍ତୁ ଅନେକ ସଂକ୍ରମିତଙ୍କ ସଠିକ୍ ଟ୍ରାକିଂ ଓ ଟ୍ରେସିଂ ହୋଇପାରୁନାହିଁ। ଫଳତଃ ସେମାନଙ୍କ ବାହାରେ ବିଚରଣ ଉପରେ କୌଣସି ନିୟନ୍ତ୍ରଣ ରହୁନାହିଁ। ନିକଟରେ ଏନେଇ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦୁଇଥର ଲିଖିତ ଅବଗତ କରାଯାଇଛି। ପରୀକ୍ଷଣ ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଛି। କିନ୍ତୁ ଗତ ୪୦ ଦିନ ମଧ୍ୟରେ ଖୋର୍ଦ୍ଧା ଗ୍ରାମାଂଚଳର ୧୦ଟି ସିଏଚ୍ସି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୈନିକ ହାରାହାରି ୭୦୦ଶହ ରୁ ୯୦୦ ମଧ୍ୟରେ ହିଁ ପରୀକ୍ଷଣ କରାଯାଉଛି। ମୋଟ ପରୀକ୍ଷଣର ୬୦ପ୍ରତିଶତ ରାପିଡ୍ ଆଂଟିଜେନ୍ ପରୀକ୍ଷଣ ହେଉଥିବାରୁ ସଂକ୍ରମଣ ସମ୍ପର୍କରେ ତଥ୍ୟ ମଧ୍ୟ ସଠିକ୍ ଜଣାପଡ଼ୁନାହିଁ। ସଂକ୍ରମିତଙ୍କ ଶରୀରରେ କରୋନା ଭୂତାଣୁ ନିଶ୍ଚିତ କରିବାକୁ ଆର୍ଟି-ପିସିଆର୍ ପରୀକ୍ଷଣ ଅଧିକ କରିବାକୁ କେନ୍ଦ୍ର ସରକାର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଥିବା ବେଳେ ଗ୍ରାମାଂଚଳରେ ଏହାର ପରୀକ୍ଷଣ ସଂଖ୍ୟା ୩୦ ପ୍ରତିଶତରୁ କମ୍ ରହୁଛି।

ଉପଖଣ୍ଡ ଅଧିକାରୀଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଓ ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ମଧ୍ୟରେ କୌଣସି ତାଳମେଳ ରହୁନାହିଁ। ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଯେଉଁ ଦିନର ତଥ୍ୟ ସେହି ଦିନ ପ୍ରକାଶିତ କରୁଥିବା ବେଳେ ଆପାତ୍କାଳୀନ ବିଭାଗ ଗୋଟିଏ ଦିନ ପରର ତଥ୍ୟ ପ୍ରଦାନ କରୁଛନ୍ତି। ପ୍ରଶାସନ ଏସମସ୍ତ ଦିଗ ପ୍ରତି ଦୃଷ୍ଟି ଦେଇ ପରୀକ୍ଷଣ ସଂଖ୍ୟା ବଢ଼ାଇବା ସହ ସଂକ୍ରମିତଙ୍କ ଟ୍ରାକିଂ ଓ ଟ୍ରେସିଂ ବ୍ୟାପକ ଏବଂ ସଂଗଠିତ ଭାବେ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର