ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ସମୟରେ ଅଘଟଣ: ୪ଟି ହସ୍ପିଟାଲ ବୁଲିବା ପରେ ପେଟରୁ ବାହାରିଲା ଭଙ୍ଗା ଛୁଞ୍ଚି

ସ୍ଥିତି ସମୀକ୍ଷା କଲେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ

କୋରାପୁଟ: ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ସମୟରେ ଦେଖିବାକୁ ମିଳିଛି ଗୁରୁତର ତ୍ରୁଟି। ମହିଳାଙ୍କ ଜୀବନ ସହ ଖେଳିଛନ୍ତି ଜୟପୁରରେ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ମହିଳା ଡାକ୍ତର। ଅସ୍ତ୍ରୋପଚାର ବେଳେ ମହିଳାଙ୍କ ପେଟରେ ଛୁଞ୍ଚି ଛାଡିଦେବାରୁ ଗୁରୁତର ହୋଇ ମହିଳା ଜଣକ ପ୍ର‌ଥମେ ଏସଏଏଲନ ମେଡିକାଲ ପରେ ବ୍ରହ୍ମପୁରକୁ ସ୍ତାନାନ୍ତର ହୋଇଥିଲେ। ପୀଡ଼ିତାଜଣକ ହେଉଛନ୍ତି ନନ୍ଦପୁର ବ୍ଲକ ପରଟା  ଗାଁର  ସବିତା ମାଝୀ। ଡ଼ାକ୍ତରଙ୍କ ଖାମଖିଆଲି ନୀତି ଯୋଗୁଁ ଚାରୋଟି ହସ୍ପିଟାଲ ବୁଲି ଶେଷରେ କଟକରେ ତାଙ୍କର ସଫଳ ଅ‌ସ୍ତ୍ରୋପଚାର କରାଯାଇ ଛୁଞ୍ଚିକୁ ବାହାର କରାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦୂର୍ବରାଜ୍ ମୁର୍ମୁ ନିଜେ ପରଟା ଗ୍ରାମକୁ ଯାଇ ପୀଡ଼ିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ପରିବାର ସଦସ୍ୟଙ୍କ ସଙ୍ଗେ ଆଲୋଚନା କରିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଦୁଇଟି ସନ୍ତାନର ଜନନୀ ହେବା ପରେ ସାବିତ୍ରୀ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ମନବଳେଇ ଥିଲେ। ଗାଁର ଆଶା ଦିଦିଙ୍କ ସହ ଜୟପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଅନ୍ୟ ମହିଳାଙ୍କ ଭଳି ସାବିତ୍ରୀଙ୍କ ମଧ୍ୟ ଅସ୍ତ୍ରୋପଚାର ଗତ ମଙ୍ଗଳବାର ଦିନ ହୋଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଡାକ୍ତର ସସ୍ମିତା ଦାସ ଅସ୍ତ୍ରୋପଚାର କରିଥିଲେ। କିନ୍ତୁ ଅସ୍ତ୍ରୋପଚାର ସମୟରେ କାର୍ଯ୍ୟ ବ୍ୟସ୍ତତା କି ଆନମନା ବା ବେପାରୁଆ ମନଭାବ ଯୋଗୁଁ ସିଲେଇ କରିବା ଛୁଞ୍ଚି ଭାଙ୍ଗି ସାବିତ୍ରୀ ଗର୍ଭରେ ରହିଯାଇଥିଲା। ଏହି ସମୟରେ ସାବିତ୍ରୀ ବେହୋସ୍ ହୋଇଗଲେ।

ତତକ୍ଷଣାତ ଅସ୍ତ୍ରୋପଚାର କରିଥିବା ଡାକ୍ତର ନିରୁପାୟ ହୋଇ ତାଙ୍କୁ ଜୟପୁରରୁ କୋରାପୁଟ ମେଡିକାଲ କଲେଜକୁ ସ୍ତାନାନ୍ତର କରିଥିଲେ। ସେଠାରେ ଏକ୍ସରେ ପରେ ପେଟରେ ଭଙ୍ଗା ଛୁଞ୍ଚି ରହିଥିବା ଧରା ପଡ଼ିଥିଲା। କୋରାପୁଟ ମେଡିକାଲ କଲେଜ ଏନଇେ ହାତ ଟେକି ଦେବା ପରେ ନିରୁପାୟ ହୋଇ ଆଶାଙ୍କ ସହ କୋରାପୁଟରୁ ବ୍ରହ୍ମପୁର ଯାଇଥିଲେ ସାବିତ୍ରୀ । ଯନ୍ତ୍ରଣାରୁ ଉପଶମ ପାଇଁ ଭୟ ଓ ଆଶଙ୍କା ଭିତରେ ବ୍ରହ୍ମପୁର ପହଞ୍ଚିଥିଲେ ମଧ୍ୟ ସେଠାରେ ମଧ୍ୟ ହତାଶ ହେବାକୁ ପଡିଥିଲା। ଅସ୍ତ୍ରୋପଚାର ପାଇଁ ଛୁଞ୍ଚିର ଯନ୍ତ୍ରଣା ବୃଦ୍ଧି ହେବାରୁ ପୁଣି ସାବିତ୍ରୀଙ୍କୁ ବ୍ରହ୍ମପୁରରୁ କଟକକୁ ସ୍ତାନାନ୍ତର କରାଯାଇଥିଲା। ସେଠାରେ ଏକ ଡାକ୍ତରୀଦଳ ଅସ୍ତ୍ରୋପଚାର କରି ଛୁଞ୍ଚି ବାହାର କରିଥିବା ଜଣାପଡିଛି। ତେବେ‌ ଜିଲ୍ଲାର ଜଣେ ଅଭିଜ୍ଞ ଡାକ୍ତର ଅପରେସନ କରିବାବେଳେ ଛୁଞ୍ଚି ଭାଙ୍ଗି ଦେଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାସହ କୋରାପୁଟ ମେଡିକାଲ କଲେଜ ଓ ବ୍ରହ୍ମପୁର ମେଡିକାଲ କଲେଜରେ ଏନେଇ କୌଣସି ବ୍ୟବସ୍ଥା ଗ୍ରହଣ କରା ନଯିବା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର