ଲୋମଟାଙ୍କୁରା କାହାଣୀ ବଖାଣିଲେ ଓମ୍‌, ‘କୁମ୍ଭୀର ପାଟିକୁ ଖୋଲି ଗୋଡ଼ ବାହାରକୁ ନେଇ ଆସିଲି’

ନଈ ଭିତରେ କୁମ୍ଭୀର ସହ ସଂଘର୍ଷ

ଆଳି: ‘କିଛି ଜାଣିବା ଆଗରୁ ହଠାତ୍ କୁମ୍ଭୀର ଟାଣି ନେଇଗଲା। ସେତେବେଳକୁ ଗୋଟିଏ ଗୋଡ଼ କୁମ୍ଭୀରର ପାଟି ଭିତରେ ଥାଏ। କୁମ୍ଭୀର ମୋତେ ବାରମ୍ବାର ପାଣିରେ ବୁଡାଉଥାଏ। ସେତେବେଳକୁ ପୂରା ହାଲିଆ ହୋଇ ସାରିଥାଏ। ପୁଣି ଥରେ ସାହସ ସଂଚୟ କରି ଦୁଇ ହାତରେ କୁମ୍ଭୀରର ପାଟିକୁ ଖୋଲି ଗୋଡ଼ ବାହାରକୁ ନେଇ ଆସିଲି। କୁମ୍ଭୀର କାମୁଡାରେ ମୋ ହାତ, ଗୋଡ କ୍ଷତବିକ୍ଷତ ହୋଇ ସାରିଥାଏ। ରକ୍ତସ୍ରାବ ବି ହେଉଥାଏ। ହେଲେ ସାହସ ହରାଉ ନ ଥିଲି। ଶେଷରେ ୧୫ ମିନିଟର ସଂଗ୍ରାମ ପରେ କୁମ୍ଭୀର ପାଟିରୁ ମୁକୁଳି ଆସିଲି।’… ଏହା କୌଣସି ଚଳଚ୍ଚିତ୍ରର ସଂଳାପ ନୁହେଁ, ବରଂ କୁମ୍ଭୀର ସହ ସଂଘର୍ଷ କରି ନୂଆ ଜୀବନ ପାଇଥିବା ବାଳକ ଓମ୍‌ ପ୍ରକାଶ ସାହୁଙ୍କ ଅଙ୍ଗେନିଭା ଲୋମଟାଙ୍କୁରା କାହାଣୀ। ମାତୟ ୧୪ ବର୍ଷର କଅଁଳ ବୟସରେ ଏଭଳି ଅସୀମ, ଅବିଶ୍ବସନୀୟ ସାହସର ପରାକାଷ୍ଠା ଦେଖାଇଥିବା ଓମ୍‌ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଓମ୍‌ଙ୍କ ଘର ପଟ୍ଟାମୁଣ୍ଡାଇ ଥାନା ଅରାଜି ଗ୍ରାମରେ। ବାପାଙ୍କ ନାମ ମନୋଜ ସାହୁ। ଓମ୍‌ ବଲୁରିଆ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର। ଓମ୍‌ଙ୍କଙ୍କ ମୁହଁରୁ ଏହି ଲୋମଟାଙ୍କୁରା କାହାଣୀ ଶୁଣିବା ପାଇଁ ନିଜ ଗାଁ ଅରାଜିଠୁ ମାମୁଁଘର ଗାଁ ଆଳିର ମଦନଗିରି ଯାଏ ଲାଗିଛି ଭିଡ।

ଯିଏ ଶୁଣୁଛି ସିଏ ସାବାସୀ ଦେଉଛି ତାଙ୍କୁ। ଗତ ସୋମବାରର ଘଟଣା। ସାଙ୍ଗମାନଙ୍କ ସହ ଓମ୍ ଯାଇଥିଲେ ଗାଁ ନିକଟସ୍ଥ କାଣୀ ନଦୀକୁ ଗାଧୋଇବା ପାଇଁ। ମୁଣ୍ଡ ଫଟା ଖରାରେ ସବୁ ସାଙ୍ଗ ଗାଧୋଇବାର ମଜା ଉଠାଉଥିଲେ। ସବୁ ସାଙ୍ଗ ନଈରେ ବୁଡ ପରେ ବୁଡ ମାରୁଥିଲେ, ପହଁରୁଥିଲେ। ଠିକ୍ ଏତିକି ବେଳେ ସେମାନଙ୍କ ମଝିରେ ମୁଣ୍ଡ ଟେକିଥିଲା କୁମ୍ଭୀର। କେହି କିଛି ଭାବିବା ଆଗରୁ ଓମ୍‌ଙ୍କୁ କୁମ୍ଭୀର ପାଣି ଭିତରକୁ  ଝାମ୍ପି ନେଇଥିଲା। ତା’ ପରେ ଆରମ୍ଭ ହୋଇଥିଲା କୁମ୍ଭୀର ସହିତ ଓମ୍‌ଙ୍କ ସଂଘର୍ଷ। ଓମ୍ ସବୁ କଳବଳ କୌଶଳ ଲଗେଇ କୁମ୍ଭୀର ମୁହଁରୁ ମୁକୁଳିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହେଉଥିଲେ। ତଥାପି ମନରୁ ସାହସ ହରାଉ ନ ଥିଲେ।। ଜୀବନ ବଂଚେଇବାକୁ ଲଢ଼େଇ ଜାରି ରଖିଥିଲେ। ପାଣି ଭିତରେ ୧୫ ମିନିଟ ଧରି ସଂଘର୍ଷ  ଚାଲିଥିଲା। କୁମ୍ଭୀର କବଳରୁ ମୁକୁଳିବା ପରେ ଓମଙ୍କୁ କଟକ ନିଆଯାଇଥିଲା ଚିକିତ୍ସା ପାଇଁ। ଚିକିତ୍ସା ପରେ ଏବେ ଆଳି ଥାନା ମଦନଗିରିରେ ମାମୁଁ ବୈଦ୍ୟନାଥ ସାହୁଙ୍କ ଘରେ ରହୁଛନ୍ତି। କୁମ୍ଭୀର ମୁହଁରୁ ବର୍ତ୍ତି ନୂଆ ଜନ୍ମ ପାଇଥିବା ଓମ୍‌ଙ୍କ ମୁହଁରୁ ତାର ଦୁଃସାହସିକ ସଂଘର୍ଷ କାହାଣୀ ଶୁଣିବା ପାଇଁ ଲାଗୁଛି ଭିଡ। ମରଣ ମୁହଁରୁ ଫେରିଥିବା ଓମ୍‌ଙ୍କୁ ନେଇ ଏବେ ବାପ, ମା’, ମାମୁଁ, ମାଇଁ ସମସ୍ତେ ଖୁସି।

ସମ୍ବନ୍ଧିତ ଖବର