ବୁଲିବାଇ ଆପ୍‌ ମାମଲାରେ ଓଡ଼ିଶା ଲିଙ୍କ୍‌, ଝାରସୁଗୁଡ଼ାରୁ ଯୁବକଙ୍କୁ ଉଠାଇ ନେଲା ମୁମ୍ବାଇ ପୁଲିସ

ଝାରସୁଗୁଡ଼ା: ଜାତୀୟସ୍ତରରେ ଚର୍ଚ୍ଚାରେ ଥିବା ବିବାଦୀୟ ବୁଲିବାଇ ଆପ୍ ମାମଲାରେ ଓଡ଼ିଶା ଲିଙ୍କ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ମୁମ୍ବାଇ ପୁଲିସ ଓଡ଼ିଶାରୁ ଜଣଙ୍କୁ ଗିରଫ କରିଛି। ମୁମ୍ବାଇ କ୍ରାଇମବ୍ରାଞ୍ଚ ସାଇବର୍‌ ସେଲ୍‌ର ଅଧିକାରୀମାନେ ଗୁରୁବାର ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଇବ୍‌ ଅଞ୍ଚଳରୁ ସଂପୃକ୍ତ ଯୁବକଙ୍କୁ ଉଠାଇ ନେଇଛି। ଯୁବକ ଜଣ ବ୍ରଜରାଜନଗର ଅଞ୍ଚଳର ନୀରଜ ସିଂହ ବୋଲି ଜଣାପଡ଼ିଛି। ମୁମ୍ବାଇ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଏବେ ଝାରସୁଗୁଡ଼ା‌ରେ ଅଧିକ ଛାନ୍‌ଭିନ୍‌ କରୁଛି।

ସୂଚନା ଅନୁଯାୟୀ, ବିବାଦୀୟ ବୁଲିବାଇ ଆପ ତିଆରି କରିବାରେ ନୀରଜଙ୍କ ପ୍ରମୁଖ ଭୂମିକା ରହିଥିଲା ବୋଲି ତଦନ୍ତ କରୁଥିବା ମୁମ୍ବାଇ ପୁଲିସ ଜାଣିବାକୁ ପାଇଛି। ଗତକିଛି ଦିନ ହେଲା ନୀରଜଙ୍କୁ ମୁମ୍ବାଇ ସାଇବର ସେଲ୍‌ ପୁଲିସ ଖୋଜୁଥିଲା। ନୀରଜ ଜଣେ ଇଞ୍ଜିନିୟରିଂ ଓ ଏମ୍‌ବିଏ ଛାତ୍ର ବୋଲି ଜଣାପଡ଼ିଛି। ସେ ଦିଲ୍ଲୀ ନୋଏଡାସ୍ଥିତ ଜମାଟୋ କମ୍ପନିରେ କାମ କରୁଥିବା ବେଳେ ପ୍ରଥମ ଲକ୍‌ଡାଉନ୍‌ ସମୟରେ ଚାକିରି ଛାଡ଼ି ଘରକୁ ଆସିଥିଲେ। ଏହାପରେ ଟ୍ୱିଟର୍‌ ମାଧମରେ ଜଣେ ଯୁବକଙ୍କ ସହିତ ତାଙ୍କର ପରିଚିତ ହୋଇଥିଲା। ଏହାପରେ ଉକ୍ତ ଯୁବକ ତାଙ୍କୁ ବୁଲିବାଇ ଆପରେ ଯୋଡ଼ିଥିଲା। ଏଥିରେ ସେ ଜଣେ ସଦସ୍ୟ ହୋଇଥିବାରୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିବା ନୀରଜଙ୍କ ପରିବାର ଲୋକେ କହିଛନ୍ତି।

ଅନ୍ୟପଟେ ନୀରଜଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ଝାରସୁଗୁଡା କୋର୍ଟରେ ହଜାର କରି ଅଧିକ ତଦନ୍ତ ପାଇଁ ମୁମ୍ବାଇ ନେଇଛି। ଅଭିଯୋଗ ଅନୁସାରେ, ଏହି ଆପ୍‌ ଜରିଆରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ୍‌ କରାଯାଉଛି। ମୁସଲମାନ ମହିଳାଙ୍କ ଫଟୋକୁ ଏହି ଆପ ଜରିଆରେ ସୋସିଆଲ ମିଡିଆରେ ଅପଲୋଡ୍‌ କରି ସେମାନଙ୍କ ସମ୍ମାନ ହାନି ହେଲାଭଳି ମନ୍ତବ୍ୟ ସବୁ ଦିଆଯାଉଛି। ଏପରିକି ଅନ୍‌ଲାଇନରେ ନିଲାମ କରିବା ଭଳି ଘୃଣ୍ୟ କାର୍ଯ୍ୟ କରାଯାଉଥିବା ମୁମ୍ବାଇ ପୁଲିସର ତଦନ୍ତରୁ ଜଣାପଡ଼ିଛି। ବିଶେଷ କରି ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ମୁସଲମାନ ମହିଳାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି ଆପ୍ଲିକେସନକୁ ବ୍ୟବହାର କରାଯାଉଛି। ଜଣେ ସାମ୍ବାଦିକା ଏ ବାବଦରେ ପ୍ରଥମେ ଅଭିଯୋଗ କରିବା ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସିଥିଲା। ସାମାଜିକ କର୍ମୀ, ସେଲିବ୍ରିଟି ଓ ଛାତ୍ରୀମାନେ ସମାନ ଅଭିଯୋଗ କରିବା ପରେ ଏହା ଉପରେ ଅଧିକ ତଦନ୍ତ ଆରମ୍ଭ ହୋଇଥିଲା। ଦିଲ୍ଲୀ ଓ ମୁମ୍ବାଇ ସାଇବର ପୁଲିସ ଏହି ମାମଲାରେ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ ପ୍ରଥମଥର ପାଇଁ ଏହି ମାମଲାରେ ଓଡ଼ିଶାରେ ଜଣଙ୍କୁ ମୁମ୍ବାଇ ପୁଲିସ ଉଠାଇ ନେଇଥିବାରୁ ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର