ବଣଭୋଜି ହେଲା କାଳ: ମାଙ୍କଡ଼ଡିଆଁ ପ୍ରପାତରେ ବୁଡ଼ି ବିଟେକ୍ ଛାତ୍ର ମୃତ

ପାତ୍ରପୁର: ଗଂଜାମ-ଗଜପତି ସୀମାନ୍ତ ମାଙ୍କଡ଼ଡିଆଁ ଜଳପ୍ରପାତରେ ବୁଡ଼ି ଜଣେ ବିଟେକ୍‌ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଛତ୍ରପୁର କାଳିଆବାଲି କୃଷ୍ଣନଗର ତୃତୀୟ ଲାଇନ୍‌ ନିବାସୀ ବିଚିତ୍ର କୁମାର ମହାଙ୍କୁଡ଼ଙ୍କ ଏକମାତ୍ର ପୁତ୍ର ବିଶାଳ ରୋନକ୍‌ ମହାଙ୍କୁଡ଼ (୨୦)। ପ୍ରକାଶ ଯେ, ରବିବାର ଛତ୍ରପୁର ଅଂଚଳର ପ୍ରାୟ ୨୦ ଜଣ ପୂର୍ବତନ ଛାତ୍ର ତଥା ସାଙ୍ଗମାନେ ଏକାଠି ବଣଭୋଜି ପାଇଁ ପାତ୍ରପୁର ବ୍ଳକ୍‌ ତୁରୁବୁଡ଼ି ଦେଇ ମାଙ୍କଡ଼ଡିଆଁ ଜଳପ୍ରପାତକୁ ଯାଇଥିଲେ। ଗାଡ଼ିଟି ମାଙ୍କଡ଼ଡିଆଁରେ ପହଞ୍ଚିବା ପରେ ସାଙ୍ଗମାନେ ଗାଡ଼ିରୁ ରୋଷେଇ ପାଇଁ ନେଇଥିବା ସାମଗ୍ରୀ ଓହ୍ଲାଉଥିବା ବେଳେ ବିଶାଳ ରୋନକ୍ କାହାକୁ କିଛି ନ କହି ଜଳପ୍ରପାତରେ ପାଣିରେ ଖେଳିବା ପାଇଁ ଚାଲି ଯାଇଥିଲେ। କିଛି ସମୟ ପରେ ହଠାତ୍‌ ସେହି ଅଂଚଳର ଜଣେ ଲୋକ ଆସି କହିଲେ ତୁମ ସାଙ୍ଗ ଜଣେ ପାଣିରେ ପଡ଼ିଗଲେ।

ସଙ୍ଗେସଙ୍ଗେ ସାଙ୍ଗମାନେ ପାଣିରେ ପଶି ଖୋଜାଖୋଜି କରି ବିଶାଳ ରୋନକ୍‌ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍‌ ଯୋଗେ ପ୍ରଥମେ ଖାରିଆଗୁଡ଼ା, ପରେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଖବର ପାଇ ବିଶାଳ ରୋନକ୍‌ଙ୍କ ବାପା ମାଆ ସ୍ବାସ୍ଥ୍ୟକେନ୍ଦ୍ରରେ ପହଂଚିଥିଲେ। ଏକମାତ୍ର ପୁଅକୁ ହରାଇଥିବା ବାପା ମାଆଙ୍କ ଆକୁଳ କ୍ରନ୍ଦନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ବିଶାଳ ରୋନକ୍ ଚେନ୍ନାଇରେ ବିଟେକ୍ ପଢ଼ୁଥିବା ବେଳେ କିଛି ଦିନ ହେଲା ଗ୍ରାମକୁ ଆସିଥିଲେ। ଖବର ପାଇ ଜରଡ଼ା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ପ୍ରକାଶ କରିଛନ୍ତି। ଖବର ଜଣାପଡ଼ିବା ପରେ ଛତ୍ରପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର