ବଲେରୋ-ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଜାଗୁଳାଇପାଟଣା ଠାରେ ଆଜି ରାତି ପ୍ରାୟ ୮ଟା ବେଳେ ଏକ ମୋଟରସାଇକଲକୁ ବଲେରୋ ଧକ୍କା ଦେବା ଫଳରେ ମୋଟରସାଇକଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଫଳରେ ୫୭ ନମ୍ବର ଜାତୀୟ ରାଜପଥର ଉଭୟପାଶ୍ୱର୍ରେ ଦୀର୍ଘ ସମୟ ଧରି ଗାଡ଼ିମୋଟର ଅଟକି ରହିଥିଲା ।
ସୂଚନାନୁସାରେ, ବଲେରୋ (ଓଡି ୦୨ ଇ ୭୬୪୧) ଓ ହିରୋ ଗ୍ଲାମୋର (ଓଡି ୦୨ ଏଭି ୯୮୮୦) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ମୋଟରସାଇକଲ ଚାଳକ ସମେତ ପଛରେ ବସିଥିବା ଯାତ୍ରୀ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ପୁଲିସକୁ ସୂଚିତ କରିଥିଲେ । ଚିକିତ୍ସାଳୟରେ ଡାକ୍ତର ମୋଟରସାଇକଲ ଚାଳକ ତଥା ଜାଗୁଳାଇପାଟଣାର ଯୋଗୀ ପାଲଟାସିଂହ(୨୮)ଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଲୋକମାନେ ରାସ୍ତା ଅବରୋଧ କରିଥିଲେ । ଫଳରେ ଉଭୟ ପାଶ୍ୱର୍ରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିଲା । ପରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ସେଠାରେ ପହଂଚି ଲୋକଙ୍କୁ ବୁଝାଶୁଝା କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲା ।

ସମ୍ବନ୍ଧିତ ଖବର