ଅନଲାଇନ୍ ପାଠପଢ଼ାରେ ଡୋରି; କୁନି ଝିଅ ମୁଣ୍ଡରେ ଜୀବିକାର ବୋଝ

ରାୟଗଡ଼ା: ସେ ଅଶିକ୍ଷିତ ନୁହେଁ, ଗାଁ ସ୍କୁଲରେ ଦ୍ବିତୀୟ ଶ୍ରେଣୀରେ ପଢ଼ୁଛି।
କରୋନା କଟକଣା ଲାଗି ବର୍ଷେ ହେଲା ସ୍କୁଲ୍ ବନ୍ଦ ରହିଛି। ଅନଲାଇନ ପାଠପଢ଼ା ପାଇଁ ମଧ୍ୟ ଗ୍ରାମାଞ୍ଚଳରେ କୌଣସି ବିକଳ୍ପ ନାହିଁ। ଫଳରେ ୭ ବର୍ଷର ସ୍କୁଲ୍ ଛାତ୍ରୀ ରମିତା ପୁଆଲା  ।  ପରିବାର ପ୍ରତିପୋଷଣ କରିବାକୁ ମୁଣ୍ଡରେ ଜୀବିକାର ବୋଝକୁ ମୁଣ୍ଡାଇଛି। ମାଆ ସହ ବଜାର ଆସି ସାହି ଗଳି କନ୍ଦି ବୁଲି ଆମ୍ବ ବିକ୍ରି କରୁଛି। କରୋନା କାଳରେ ପରିବାର ଚଳିବା କଷ୍ଟକର ହୋଇ ପଡୁଥିବାରୁ ମାଆ ସହ ରମିତା ମୁଣ୍ଡରେ ଆମ୍ବ ଟୋକେଇ ଧରି ରାୟଗଡ଼ା ସହରରେ ବିକ୍ରି କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

ରାୟଗଡ଼ା ବ୍ଲକ୍ କେ. ମାଳିଗାଁ ପଞ୍ଚାୟତ ତର୍ଲାବାଡ଼ି ଗାଁର କୁମାରୀ ପୁଆଲାଙ୍କ ଝିଅ ରମିତା ପୁଆଲା। ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ରମିତାଙ୍କ ପରିବାର ଅତି ଗରିବ ଶ୍ରେଣୀର। ବାପା ଚାଷ କାର୍ୟ୍ୟରେ ନିୟୋଜିତ ଥିବା ବେଳେ ମାଆ କୁମାରୀ ଜମିରୁ ଉତ୍ପାଦିତ ଫସଲ, ଜଙ୍ଗଲଜାତ ଦ୍ରବ୍ୟକୁ ବଜାରରେ ବିକ୍ରି କରି ପରିବାର ଚଳାଇଥାନ୍ତି। କରୋନା ସଂକ୍ରମଣ ଲାଗି ୨୦୨୦ ମାର୍ଚ୍ଚରୁ ସ୍କୁଲ ବନ୍ଦ ରହିଛି। ଅନଲାଇନ୍ ପାଠ ପଢ଼ା ଉପରେ ଯଦିଓ ସରକାର ଫୋକସ କରିଛନ୍ତି, ଗ୍ରାମାଞ୍ଚଳରେ ମୋବାଇଲ୍ ନେଟୱର୍କ, ଇଣ୍ଟରନେଟ୍ ସୁବିଧା ନଥିବା କାରଣରୁ ସରକାରଙ୍କ ପାଠପଢ଼ା ବ୍ୟବସ୍ଥା ଫେଲ୍ ମାରିଛି। ପାଠ ପଢ଼ା ଠପ୍ ହୋଇ ପଡ଼ିବା ପରେ ଘରେ ନ ବସି ରମିତା ମାଆ ସହ ମିଶି ବଜାରକୁ ଆସି ବିଭିନ୍ନ ସାମଗ୍ରୀ ବିକ୍ରି କରୁଛି। ଏବେ ଆମ୍ବ
ଉତ୍ପାଦନ ଋତୁ ହୋଇଥିବାରୁ ପାଖ ଜଙ୍ଗଲରୁ ଆମ୍ବ ସଂଗ୍ରହ କରି ମାଆ କୁମାରୀ ସହ ରମିତା ପ୍ରତିଦିନ ରାୟଗଡ଼ା ବଜାରରେ ବିକ୍ରି କରୁଛନ୍ତି। ଆମ୍ବ ଟୋକେଇ ୫୦ ଟଙ୍କାରେ ବିକ୍ରି କରିବା ପରେ ଘର ଚଳଣି ସାମଗ୍ରୀ ନେଇ ଉଭୟ ମାଆ, ଝିଅ ଘରକୁ ଫେରିଥାନ୍ତି। ଗାଁ ଠାରୁ ୧୫ କିମି ଦୂର ରାୟଗଡ଼ା ସହରକୁ ଉଭୟେ ମାଆ, ଝିଅ ଚାଲି ଚାଲି ଆସୁଥିବା ବେଳେ ଗୋଡ଼ରେ ଚପଲ ମଧ୍ୟ ନାହିଁ। ଫଳରେ ରମିତାର ଗୋଡରେ କ୍ଷତ ସୃଷ୍ଟି ହୋଇଛି। କିନ୍ତୁ ମାଆ ସହ ଦୈନିକ ଚାଲି ଚାଲି ଅଭ୍ୟସ୍ତ ହୋଇ ପଡ଼ିଥିବାରୁ ରମିତାକୁ ଆଉ କଷ୍ଟ ବି ଜଣା ପଡୁନି। ପାଠ ପଢ଼ିବାକୁ ରମିତାର
ଇଚ୍ଛା ଅଛି। ହେଲେ ସ୍କୁଲ୍ ବନ୍ଦ ଥିବାରୁ ପାଠପଢ଼ା ବଦଳରେ ରମିତାଙ୍କ ଭଳି ବହୁ କୁନି ଝିଅଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ରାୟଗଡ଼ା ବ୍ଲକରେ ୨୭୫ରୁ ଉର୍ଧ୍ବ ପ୍ରାଥମିକ ବିଦ୍ୟାଳୟରେ ୨୨ ହଜାରରୁ ଉର୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କରୋନା ଯୋଗୁ ଏହି ସମସ୍ତ ବିଦ୍ୟାଳୟକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବନ୍ଦ କରି ଦିଆଯାଇଛି।
ସ୍କୁଲ ବନ୍ଦ ପରେ ଅନଲାଇନ୍ ପାଠପଢ଼ାକୁ ସରକାର ବିକଳ୍ପ ଭାବେ ଗ୍ରହଣ କରିଥିଲେ। ସହରାଞ୍ଚଳ ଛାତ୍ରଛାତ୍ରୀ ଅନଲାଇନ୍ ଶିକ୍ଷାର ଫାଇଦା ଉଠାଇଥିବା ବେଳେ ଗ୍ରାମାଞ୍ଚଳରେ ନେଟୱର୍କ ସମସ୍ୟା, ସ୍ମାର୍ଟ ଫୋନ୍ ନଥିବା କାରଣରୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିନଥିଲେ। ଅନ୍ୟପକ୍ଷରେ କରୋନାର ଦ୍ବିତୀୟ ଲହରୀରେ ସଂକ୍ରମଣ ବଢ଼ିବା ପରେ ସରକାର ଶିକ୍ଷକଙ୍କୁ କରୋନା ଡ୍ୟୁଟିରେ ନିୟୋଜିତ କରିବା ପରେ ଜିଲ୍ଲାରେ ଅନଲାଇନ୍ ଶିକ୍ଷା ସଂପୂର୍ଣ୍ଣ ଭାବେ ଠପ୍ ହୋଇ ପଡିଛି। ଫଳରେ ରମିତା ଭଳି ଗ୍ରାମାଞ୍ଚଳର ଅନେକ ଛାତ୍ରଛାତ୍ରୀ କିଏ ଚାଷ କାମ ତ କେହି ଅନ୍ୟ କାମରେ ପରିବାର ଲୋକଙ୍କୁ ସହଯୋଗ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର