ସୁନ୍ଦରଗଡ଼ ପିଡିଏସ୍ ଦୁର୍ନୀତି: ସନ୍ଦେହରେ ଜିଲ୍ଲା ଯୋଗାଣ ବିଭାଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପିଡିଏସ୍ ଦୁର୍ନୀତିକ୍ରମେ ନୂଆଗାଁ ବ୍ଲକ ପୁରୁଣାପାଣି ପଞ୍ଚାୟତକୁ ପଠାଯାଇଥିବା ୩୨୦ ବସ୍ତା ଚାଉଳ ଗାଏବ ଘଟଣାରେ ରାଉରକେଲା ଏସଟିଆଇସ୍ଥିତ ଚାଉଳ ସଂଗ୍ରହ କେନ୍ଦ୍ର ନିରୀକ୍ଷକ (ପିଆଇ) କାର୍ମୀ ମୁର୍ମୁଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ଛଡ଼ା ଧର୍ମକୁ ଆଖି ଠାର ଭଳି ଯୋଗାଣ ସହାୟକ, ପରିବହନ ଠିକାଦାରଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ଏହା ମଧ୍ୟରେ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବିତ କେନ୍ଦ୍ର ନିରୀକ୍ଷକ କାର୍ମୀ ମୁର୍ମୁଙ୍କ ଠାରୁ ୩୨୦ ବସ୍ତା ଚାଉଳ ହେରଫେର୍ ବାବଦକୁ ୫ ଲକ୍ଷ ୫୨୦ ଟଙ୍କା ଆଦାୟ କରାଯାଇଛି। କିନ୍ତୁ ୩୨୦ ବସ୍ତା ଚାଉଳ ଗାଏବ ଘଟଣା ଏବେ ବି ରହସ୍ୟମୟ ହୋଇ ରହିଛି।

ଗତ ଜୁନ ୧୯ ତାରିଖ ଅପରାହ୍ନ ୧ଟାରେ ଏସଟିଆଇ ଚାଉଳ ସଂଗ୍ରହ କେନ୍ଦ୍ରରେ ଟ୍ରକ (ଓଆର୍-୧୪ ୟୁ ୬୪୨୯)ରେ ୩୨୦ ବସ୍ତା ଚାଉଳ ପୁରୁଣାପାଣି ପଞ୍ଚାୟତକୁ ପଠାଯାଇଛି ବୋଲି ରସିଦ କଟାଯାଇଥିଲା। କିନ୍ତୁ ଚାଉଳ ପଞ୍ଚାୟତକୁ ପହଞ୍ଚି ନଥିଲା। ଚାଉଳ ବାଟରେ ଗାଏବ ହେଲା କି ଗୋଦାମରେ ହେରଫେର କରାଗଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଗେଟ୍ପାସ୍ରେ ଉଲ୍ଲେଖ ଟ୍ରକ ନମ୍ବରଟି ଏକ ବାଜାଜ ପଲସର୍ ବାଇକର ବୋଲି ଜଣାପଡ଼ିଥିଲା।

ତେବେ ବାଇକକୁ ଟ୍ରକ ଦର୍ଶାଇ ଅଧିକାରୀ କେଉଁ ଉଦ୍ଦେଶ୍ୟ ସାଧିତ କରିବାକୁ ଚାହୁଥିଲେ ଓ ଏଥିରେ କାହାର ସ୍ବାର୍ଥ ରହିଥିଲା, ତାହା ବି ରହସ୍ୟରେ। ଘଟଣା ପରେ ଏବେ ମଧ୍ୟ ଗୋଦାମରୁ ବିଭିନ୍ନ ବାଇକ୍, ସ୍କୁଟି ନମ୍ବରରେ ଚାଉଳ ପରିବହନ ହେଉଥିବା ଜଣାପଡ଼ିଛି। ଅନ୍ୟପଟେ ଗତ ଜୁନ ୧୯ରେ ନୂଆଗାଁ ବ୍ଲକ ଜାହିରିଟୋଲି ପଞ୍ଚାୟତକୁ ହଠାତ ପହଞ୍ଚିଥିବା ଚାଉଳ ଓ ଗହମ ବୋଝେଇ ଟ୍ରକର ରହସ୍ୟ ମଧ୍ୟ ଏଯାଏ ଉନ୍ମୋଚିତ ହୋଇପାରିନାହିଁ। ବିଭାଗ ଏସବୁ ରହସ୍ୟ ଉନ୍ମୋଚନ କରିବାକୁ ଚାହୁ ନଥିବା ଚର୍ଚ୍ଚା ହେଉଛି। ଯାହା ଯୋଗାଣ ଅଧିକାରୀଙ୍କ ଭୂମିକାକୁ ସନ୍ଦେହ ଘେରକୁ ନେଇ ଯାଇଛି।

କେବଳ ଏ ଗୋଟିଏ ଘଟଣା ନୁହେଁ, ଜିଲ୍ଲାରେ ପିଡିଏସ୍ ଚାଉଳ ପରିବହନ ଟେଣ୍ଡର, ପଞ୍ଚାୟତକୁ କମ୍ ଚାଉଳ ଯୋଗାଣ, ସୁନ୍ଦରଗଡ଼ ଖୋଲା ବଜାରରେ ନକଲି ଶ୍ରୀଓମ ବ୍ରାଣ୍ଡର ଚାଉଳ ବିକ୍ରି ଆଦି ଉଦବେଗଜନକ ଅଭିଯୋଗରେ ଜିଲ୍ଲା ଯୋଗାଣ ଅଧିକାରୀ ମୁହଁ ଚୁପ୍ ରଖିବା ଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ଟାଙ୍ଗରପାଲି ବ୍ଲକ ଉଜ୍ବଳପୁରରେ ଗୋଦାମ ଥିବା ସତ୍ତ୍ବେ ପରିବହନ ଠିକାଦାରଙ୍କୁ ଫାଇଦା ଦେବାକୁ ୩୪ କିଲୋମିଟର ଦୂର ହେମଗିର ଗୋଦାମରୁ ଟାଙ୍ଗରପାଲି ବ୍ଲକକୁ ବର୍ଷାଧିକ ସମୟ ଚାଉଳ ପରିବହନ ଅନୁମତି ଦିଆଯାଇଥିଲା। ସେହିପରି ନିକଟରେ ଜଣେ ପରିବହନ ଠିକାଦାରଙ୍କୁ ରାଉରକେଲା ଗୋଦାମ ପରିବର୍ତ୍ତେ ସମ୍ବଲପୁର ଗୋଦାମରୁ ଚାଉଳ ପରିବହନ କରିବାକୁ ଅନୁମତି ଦିଆଯାଇଛି। ଠିକାଦାରଙ୍କୁ ଅଧିକ ପରିବହନ ଭଡ଼ାର ଫାଇଦା ଦେବାକୁ ବିଭାଗ ଏପରି ବେଆଇନ ନିଷ୍ପତ୍ତି ନେଇଥିବା ପ୍ରକାଶ ପାଇଛି। ଜିଲ୍ଲାପାଳ ଏସବୁ ଅଭିଯୋଗର ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର