ଉଜୁଡ଼ିବ ଧାନ ଫସଲ, ଚରିଗଲେଣି ଗିରିଆ ପୋକ

ରାଜନଗର: ଅନିୟମିତ ବର୍ଷା କାରଣରୁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲା ଚାଷୀ। ମାସେରୁ ଅଧିକ ହେଲାଣି ଲଘୁଚାପଜନିତ ବର୍ଷା ବି ଲାଗି ରହିଛି। ପ୍ରାକୃତିକ ଦୁର୍ବିପାକ ଚାଷୀର ପିଛା ଛାଡ଼ୁ ନ ଥିବା ବେଳେ ଏବେ ଗିରିଆ ପୋକ ଦାଉ ସାଧିଛି। ଶୀଘ୍ର ଅମଳ ଆଶାରେ ଅଧିକ ଅମଳକ୍ଷମ ହାଇଲିଂ ବିହନରେ ଖରିଫ ଧାନ ଚାଷ କରିଥିବା ବେଳେ ଏବେ ଧାନ ଗଛରେ ଗିରିଆ ପୋକ ଚରିଗଲେଣି। ଏଭଳି ବିପତ୍ତିକୁ ନେଇ ଚାଷୀ ମୁଣ୍ତରେ ଚଡ଼କ ପଡିଛି। ରାଜନଗର ନଦୀ ନାଳ ଘେରା ଅଂଚଳ। ଜଳସେଚନର ସୁବିଧା ନ ଥିବାରୁ ରାଜନଗର ଅଂଚଳରେ କେବଳ ଖରିଫ ଧା ନଚାଷ ହୋଇଥାଏ। ଗତ କିଛି ବର୍ଷ ହେଲା ଅନିୟମିତ ବର୍ଷା ଓ ଧାନ ପାଚି ଆସିବା ବେଳକୁ ବାତ୍ୟା ଚାଷୀଙ୍କ ମେରୁଦଣ୍ତ ଦୋହଲାଇ ଦେଇଛି। ଚଳିତବର୍ଷ ଅକ୍ଷୟତୃତୀୟା ପରଠୁ ବର୍ଷା ଉଭାନ ହୋଇଯାଇଥିଲା। ଅନିୟମିତତା ବର୍ଷା କାରଣରୁ ଚାଷ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହେଲା। ଚାଷୀ ରୁଆ ବେଉଷଣ କରିବା ପରଠୁ ଲଘୁଚାପଜନିତ ବର୍ଷା ଗତ ଦେଢମାସ ହେଲା ଲାଗି ରହିଛି। ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହେଉଥିବାରୁ ଚାଷୀ ହାଇଲିଂ ୧୦୦୧, କନକପ୍ଲସ, ସ୍ବର୍ଣ୍ଣ, ସମ୍ପଦା, ଶାରଳା ପ୍ରଭୃତି ହାଇବ୍ରିଡ ବିହନରେ ଚାଷ କରିଛନ୍ତି। ରାଜନଗର ବ୍ଲକ୍‌ର ହାତିନା ପଂଚାୟତର କଇଥା ଓ ବାଉଁଶଗଡରେ ଏବେ ଗିରିଆପୋକ ଆତଙ୍କ ଦେଖାଦେଇଛି। ଗତ ୮ଦିନ ହେଲା କଳା ରଙ୍ଗର ଗିରିଆ ପୋକ ଧାନ ଗଛକୁ ମାରି ଦେଉଛି। ଏହି ପୋକ ଲାଗୁଥିବା ଗଛଗୁଡିକ ଝାଉଁଳି ପଡ଼ିବା ସହ ଧଳା ପଡି ଯାଉଛି।

ଚାଷୀ ସାର ପକାଇବା ପରେ ଏହି ପୋକ ଲାଗିବା ଯୋଗୁଁ ଔଷଧ ଛିଂଚନ କରିଥିଲେ। ଔଷଧ ପକାଇବା ସତ୍ତ୍ବେ ମଧ୍ୟ ଗିରିଆ ପୋକ ବୋଲ ମାନୁନି। କଇଥା ଗାଁର ଚାଷୀ କୈଳାସ ଚନ୍ଦ୍ର ବାରିକଙ୍କ କହିବା କଥା ହେଲା, ସେ ୩ ଏକର ଜମିରେ ୧୦୦୧ ଓ କନକପ୍ଲସ ବିହନ ପକାଇ ଧାନଚାଷ କରିଛନ୍ତି। ଦେଢମାସ ତଳେ ଚାଷ କାର୍ଯ୍ୟ ସରିଥିଲା। ଗୁଣ୍ଠ ପିଛା ୫ କେଜି ଡିଏପି ଓ ୟୁରିଆ ସାର ପକାଇଥିଲେ। ୧୦ଦିନ ହେଲା ଧାନଗଛରେ ଗିରିଆ ପୋକ ଲାଗିଯାଇଛି। ଏହି ପୋକ ଲାଗିବା ପରେ ଗଛଗୁଡିକ ଧଳା ପଡିଯାଇଛି। ଦୁଇଥର କାନନ ଔଷଧ ଛିଞ୍ଚନ କରିସାରିବା ପରେ ବି ଏହି ପୋକ ମରୁନି। ୧୦ଦିନ ହେଲା ଗିରିଆପୋକ ଆତଙ୍କ ସୃଷ୍ଟି କରିଥିଲେ ମଧ୍ୟ କୃଷି ବିଭାଗର କୌଣସି ଅଧିକାରୀ ଆସି ନ ଥିବା କହିଛନ୍ତି। କେବଳ କୈଳାସ ନୁହନ୍ତି, ଏହି ଗାଁର ଚାଷୀ ବିଷ୍ଣୁଚରଣ ଦାସ, କାହ୍ନୁ ଚରଣ ବାରିକ, ସୁଦର୍ଶନ ପଢିହାରୀ, ମହେଶ୍ବର ଦାସ, ନବ କିଶୋର ବାରିକ, ଧନେଶ୍ବର ବାରିକ, ଅଲେଖ ବାରିକ ପ୍ରମୁଖଙ୍କ ଧାନଗଛରେ ଗିରିଆପୋକ ଲାଗି ଧାନ ଫସଲ ମରିଯାଉଥିବା ନେଇ କହିଛନ୍ତି। ତୁରନ୍ତ କୃଷି ବିଭାଗର ଟିମ ଏହି ଅଂଚଳରେ ପହଞ୍ଚି ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର