୧୫ଦିନ ହେବ ଘିଉରୀ ମଣ୍ଡିରୁ ଧାନ ଉଠୁନି

ଚାଷୀଙ୍କ ମନରେ ପ୍ରଶ୍ନ ଟୋକେନ୍ ଅବଧି ସରିବା ପରେ ବି ଲକ୍ଷ୍ୟ ପୁରଣ ହେଉଛି କେମିତି? 

ଜୟପୁର:  ଘିଉରୀ ମଣ୍ଡିରେ ଗତ ୩୦ତାରିଖରୁ ଆଜି ପର୍ଯ୍ୟନ୍ତ ମଧ୍ୟରେ ଧାନ ମୁଠାଏ ବି କିଣା ଯାଇନି। କେବଳ ଘିଉରୀ ମଣ୍ଡି ହିଁ ନୁହେଁ କୋଟପାଡ଼, ବୋବୟା, ପଲକାଫୁଟ, ଡଙ୍ଗରଚିଂଛି ସବୁ ମଣ୍ଡିରୁ ଏଭଳି ଅଭିଯୋଗ ଆସିଛି। ଦିନକ କିଣାଗଲେ ଆଉ ୩ଦିନ ବନ୍ଦ। ମଣ୍ଡିକୁ ଚାଷୀ ଧାନ ଧରିକି ଆସି କିଣାଯାଉ ନଥିବା ବେଳେ ଟୋକନର ଅବଧି ସମୟ ବି ସରିଯିବାରୁ ହନ୍ତସନ୍ତ ହୋଇ‌ ଫେରୁଛନ୍ତି। ଅନ୍ୟ ପକ୍ଷରେ ମଣ୍ଡିରେ ଧାନ କିଣାଯାଉ ନଥିଲେ ହେଁ ଉକ୍ତ ମଣ୍ଡି ନାଁରେ କାଗଜପତ୍ରରେ ଧାନ କିଣାଯାଉଛି। ଏବଂ ରାଜ୍ୟ ସରକାର ଦେଇଥିବା ଲକ୍ଷ୍ୟ ବି ସରି ସରି ଆସିଲାଣି।  କିଛି ବଡ଼ ବଡ଼ ଚାଷୀ, ଚାଷୀ ନେତା, ଦଲାଲ ମାନେ କ୍ରୟକାରୀ ସଂସ୍ଥା ସହ ସଲାସୁତରା କରି ଧାନ ମଣ୍ଡିକୁ ନ ଯାଉଣୁ ହିଁ କିଣୁଥିବା ଦର୍ଶାଉଥିବା ଅଭିଯୋଗ କରିଛନ୍ତି ଚାଷୀ ମନୋଜ ପାତ୍ର, ସୁକଦେବ ବାଗଦେରିଆ। ଧାନ କିଣାରେ ବଡ଼ ଧରଣର ରାକେଟ୍ କାମ କରୁଥିବାରୁ ଏହାର ବିଧିବଦ୍ଧ ଭାବେ ଭିଜିଲାନସ୍ ତଦନ୍ତ ହେବା ଆବଶ୍ୟକ ବୋଲି ଚାଷୀ ମାନେ ଦାବି କରିଛନ୍ତି।

ଏହାରି ମଧ୍ୟରେ ଆଜି ବଲାଙ୍ଗୀର ମିଲର୍ସଙ୍କ ଟାର୍ଗେଟ ସରିଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ଏବେ  ସ୍ଥାନୀୟ ମିଲର୍ସ ମାନେ ଧାନ ନେବେ। ଏଥି ପାଇଁ ପ୍ରସ୍ତୁତି ସରିଲାଣି। ସ୍ଥାନୀୟ ମିଲର୍ସ ମାନେ ସିଧାସଳଖ କୁଇଣ୍ଟାଲ ପିଛା ୭କିଲୋ କଟନିଛଟନିରେ କାଟିବାକୁ କହିବା ସହ ସିଧାସଳଖ ମିଲରେ ଧାନ ପହଚାଂଇବାକୁ କହୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ବଲାଙ୍ଗୀର ମିଲର୍ସଙ୍କ ଧାନ  ନେବା ଟାର୍ଗେଟ ସରିଛି, ଏବେ ସ୍ଥାନୀୟ ମିଲର୍ସଙ୍କୁ ନେବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ମଣ୍ଡି ୱାରୀ ବିତରଣ କରିଛି ବୋଲି କହିଛନ୍ତି ଜିଲ୍ଲା ସମବାୟ ଉପନିବନ୍ଧକ (ଡିଆରସିଏସ୍) ସିଏଚ୍ ଭବାନୀ ପ୍ରସାଦ। ଏହା ସହ ଧାନ ସ୍ଥାନାନ୍ତର ପାଇଁ ଟ୍ରକ ପର୍ଯ୍ୟାପ୍ତ ପରିମାଣର ମିଳୁନି। ଟୋକେନର ଅବଧି ସମୟ, ଏହା ପରେ ଧାନ ଆଣିବା ଏବଂ କିଣିବା ସହ  ପଂଜିକରଣ ଆଦି ଧାନ ସ୍ଥାନାନ୍ତର ପାଇଁ ଟ୍ରକ ନଥିବାରୁ ଠିକଣା ସମୟରେ ହୋଇ ପାରୁନଥିବାରୁ କିଛି ସମସ୍ୟା ଦେଖା ଦେଉଛି ବୋଲି କହିଛନ୍ତି ଡିଆରସିଏସ୍ ।

୨୫୦ଟ୍ରକ ଭଡ଼ା ନଥାଇ ଦୀର୍ଘ ୨ମାସ ହେବ ଠିଆ ହୋଇ ରହିଛି। ଆମକୁ ଯେତିକି ଗାଡ଼ି ପାଇଁ ପ୍ରଶାସନ ପକ୍ଷରୁ ରିକ୍ୟୁଜେସନ୍ ଦିଆଯାଉଛି ସେତିକି ଗାଡ଼ି ପଠାଯାଉଥିଲା ବୋଲି କହିଛନ୍ତି  ଜୟପୁର ଟ୍ରକ ମାଲିକ ସଂଘ ସଭାପତି ବାବୁଲା ନାୟକ। ପ୍ରଶାସନ ଆମକୁ ରିକ୍ୟୁଜେସନ୍ ଦେଉଥିବା ବେଳେ କେଉଁ ମଣ୍ଡିକୁ କେତେ ଟ୍ରକ ଯିବ ଏହାର କିଛି ଚିଠି ମିଳୁନି। ଅନ୍ୟପକ୍ଷରେ ଟିପି (ଟ୍ରାନସଫୋର୍ଟ ପରମିଟ୍) ମଧ୍ୟ ଠିକଣା ଭାବେ ଦେଉ ନାହାଁନ୍ତି। ସଂପ୍ରତି ଡିଜେଲ ଦର, ଲୋଡିଂ ଓ ଅନଲୋଡିଂରେ ସମସ୍ୟା ପରେ ବି ଆମେ ପର୍ଯ୍ୟାପ୍ତ ପରିମାଣର ଗାଡ଼ି ଯୋଗାଇଛୁ।  ଆମ ଉପରେ ଦୋଷ ଲଦିବା ବଦଳରେ କିଭଳି ଆମ ନିକଟରେ ଥିବା ସବୁ ଟ୍ରକକୁ ଉପଯୋଗ କରିଥିଲେ କୌଣସି ସମସ୍ୟା ହୁଅନ୍ତା ନାହିଁ  ବୋଲି କହିଛନ୍ତି ଜୟପୁର ଟ୍ରକ ମାଲିକ ସଂଘ ସଭାପତି ଶ୍ରୀ ନାୟକ।

ସମ୍ବନ୍ଧିତ ଖବର