ସମସ୍ୟା ଘେରରେ କୁମୁଡ଼ାଜୟପୁର ଫାଣ୍ଡି: ବହୁ ପଦବି ଖାଲି, କର୍ମଚାରୀଙ୍କ ରହିବା ପାଇଁ ନାହିଁ ଘର

ମାହାଙ୍ଗା: ମାହାଙ୍ଗା ଥାନା ଅନ୍ତର୍ଗତ କୁମୁଡ଼ାଜୟପୁର ଫାଣ୍ଡି ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି, କର୍ମଚାରୀ ଅଭାବରୁ ଏହି ସମ୍ବେଦନଶୀଳ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣରେ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହେଉଛି। ସେହିପରି ଆବଶ୍ୟକ ଗୃହ ନ ଥିବାରୁ ଫାଣ୍ଡି କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ପ୍ରକାଶଥାଉ କି, ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ଦ୍ବୀପାଞ୍ଚଳରେ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ନିମନ୍ତେ ୨୦୧୧ ମସିହାରେ କୁମୁଡ଼ାଜୟପୁର ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା। ଭେଡ଼ା, ମଉଦା, କୁଣ୍ଡି, ସାହାପୁର, ବାଜପୁରା, ମଧୁପୁର, କଇଥା, ସମସରପୁର, କୁହୁଣ୍ଡା ଆଦି ୯ଟି ପଞ୍ଚାୟତର ୫୦ ହଜାରରୁ ଅଧିକ ଲୋକଙ୍କୁ ଏହି ଫାଣ୍ଡି ସେବା ଯୋଗାଇ ଦେଉଛି। ଏଥିସହ ଫାଣ୍ଡି ଅଧୀନ ପ୍ରମୁଖ ରାସ୍ତା ଛତିଆ-ସାଲେପୁର, ଜୟପୁର-ପାଗା, ଜୟପୁର-କୃଷ୍ଣଦାସପୁର ଓ ଭୋଳିଦାସପୁର-ବଡ଼ଚଣା ଆଦି ଜାତୀୟ ରାଜପଥକୁ ସଂଯୋଗ କରୁଛି। ଯାଜପୁର ଓ କଟକ ଜିଲ୍ଲାର ସୀମାନ୍ତ ବଡ଼ଚଣା, ଟାଙ୍ଗୀ, ଛତିଆ, ସାଲେପୁର, ବାଲିଚନ୍ଦ୍ରପୁର ଆଦିକୁ ସଂଯୋଗ କରୁଥିବା ଏହି ସମ୍ବେଦନଶୀଳ ଅଞ୍ଚଳରେ ଅନ୍ୟ ବ୍ଲକ୍‌ର ଅପରାଧୀମାନେ ବିଭିନ୍ନ ଅପରାଧ ପରେ ଅନାୟାସରେ ଖସି ଯିବାକୁ ସକ୍ଷମ ହେଉଛନ୍ତି। ସେହିପରି ଫାଣ୍ଡି ଅଧୀନ ବିଭିନ୍ନ ସ୍ଥାନରେ ହତ୍ୟା, ଚୋରି, ରାହାଜାନି, ଡକାୟତି ଆଦି ଘଟଣା ଘଟିବାର ନଜିର ରହିଛି। ଅଞ୍ଚଳରେ ଚୋରା ମାଦକ ଦ୍ରବ୍ୟ କାରବାର ମଧ୍ୟ ବଢ଼ୁଥିବା ଅଭିଯୋଗ ହେଉଛି। ହେଲେ, ଫାଣ୍ଡିରେ ଆବଶ୍ୟକତାରୁ କମ୍‌ କର୍ମଚାରୀ ଥିବାରୁ ଅଞ୍ଚଳବାସୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏଠାରେ ଚାରିଜଣ କନ୍‌ଷ୍ଟେବଳଙ୍କ ଆବଶ୍ୟକତା ଥିଲା ବେଳେ ଅଛନ୍ତି ମାତ୍ର ଦୁଇଜଣ। ପୁଲିସ ଜିପ୍‌ର ସ୍ଥାୟୀ ଡ୍ରାଇଭର୍‌ ବି’ ନାହାନ୍ତି। ଫାଣ୍ଡିରେ ଜଣେ ଏସ୍‌ଆଇ, ଦୁଇଜଣ କନେଷ୍ଟବଳ, ଜଣେ ଫୋର୍ସ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ତିନିଜଣ ଗୃହରକ୍ଷୀ ସହଯୋଗ କରୁଛନ୍ତି। ଜଣେ ଗୃହରକ୍ଷୀ ପୁଲିସ ଗାଡ଼ି ଚଳାଉଛନ୍ତି। ଏହି ଗାଡ଼ିର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ପାଟ୍ରୋଲିଂ ଓ ଅନ୍ୟ କାର୍ଯ୍ୟ ନେଇ ସମସ୍ୟା ଦେଖାଦେଉଛି। ସେହିପରି ପୂଜାପାର୍ବଣ ସମୟରେ ଫାଣ୍ଡି କର୍ମଚାରୀଙ୍କୁ ଅନ୍ୟତ୍ର ପଠାଯାଉ ଥିବାରୁ ସମସ୍ୟା ଦେଖାଦେଉଥିବା ଜଣାଯାଇଛି। ଅନ୍ୟପଟେ, ଏହି ଫାଣ୍ଡିରେ ତିନିଟି କୋଠରୀ ରହିଛି। ଗୋଟିଏରେ ଅଫିସ୍‌ କାର୍ଯ୍ୟ ହେଉଥିଲା ବେଳେ ଅନ୍ୟଟିରେ ଅଧିକାରୀଙ୍କ ଗୃହ ଏବଂ ଏକ ଗୃହରେ ବାରାକ୍‌ ରହିଛି। ବାରାକ୍‌ ଗୃହ ରୋଷଘର ପାଲଟି ଥିବାରୁ ରୋଷେଇ ଧୂଆଁରେ କର୍ମଚାରୀମାନେ ହନ୍ତସନ୍ତ ହେଉଛନ୍ତି। ସେହିଭଳି କର୍ମଚାରୀଙ୍କ ପାଇଁ ଗୃହ ନ ଥିବାରୁ ସେମାନେ ଦିନରାତି ଫାଣ୍ଡିରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହାଛଡ଼ା ଅଭ୍ୟର୍ଥନା ଗୃହ ନ ଥିବାରୁ ଅଭିଯୋଗକାରୀମାନେ ନିକଟସ୍ଥ ବରଗଛ ମୂଳେ ବସିବାକୁ ବାଧ୍ୟ ହେଉଛନ୍ତି। ଅଭିଯୁକ୍ତମାନଙ୍କ ନିମନ୍ତେ ଏଠାରେ ହାଜତ ବି’ ନାହିଁ। ପାନୀୟଜଳ ପାଇଁ ଏକମାତ୍ର ନଳକୂପ ସାହାଭରସା ପାଲଟିଛି। ଗେଙ୍ଗୁଟୀ ନଦୀ ପାର୍ଶ୍ବରେ ଥିବା ଏହି ଫାଣ୍ଡି ନିକଟରୁ ବନ୍ୟା ସମୟରେ ଅତଡ଼ା ଖସୁଛି। ଫଳରେ ଉକ୍ତ ଗୃହ ନଦୀରେ ଲୀନ ହେବାର ଆଶଙ୍କା ପ୍ରକାଶ ପାଇଛି। ଫାଣ୍ଡିର ଆଜ୍‌ବେଷ୍ଟସ୍‌ ଗୃହରେ ଖରାଦିନେ କର୍ମଚାରୀମାନେ ଦୁର୍ଦ୍ଦଶା ଭୋଗୁଥିଲା ବେଳେ ବର୍ଷାଦିନେ କୋଠରୀରେ ପାଣି ଗଳୁଛି। ଏଥିଯୋଗୁଁ ଅଫିସ୍‌ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି। ପୂର୍ବରୁ କାଳବୈଶାଖୀ ସମୟରେ ଆଜବେଷ୍ଟସ ଉଡ଼ି ଯିବାର ନଜିର ମଧ୍ୟ ରହିଛି। ସେ ସମୟରେ ଘର ଉପରେ ପାଲ ପକାଇ କର୍ମଚାରୀମାନେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥା’ନ୍ତି। ଏହି ଅଞ୍ଚଳରେ ବର୍ଦ୍ଧିତ ଲୋକସଂଖ୍ୟା ଓ ଅଞ୍ଚଳର ଗୁରୁତ୍ବକୁ ଦୃଷ୍ଟିରେ ରଖି ଉକ୍ତ ଫାଣ୍ଡିକୁ ଥାନାର ମାନ୍ୟତା ଦେବା ସହ ଆବଶ୍ୟକ କର୍ମଚାରୀ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ଫାଣ୍ଡି ଅଧିକାରୀ ଗୋପବନ୍ଧୁ ମଲିକଙ୍କୁ ପଚାରିବାରୁ ଉକ୍ତ ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର