କୋରାପୁଟରେ ଚିନ୍ତା ବଢାଉଛି ବିଜେଡି କନ୍ଦଳ, ସଂଗଠନ ସୁଦୃଢ଼ ଲାଗି କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଣବ

କୋରାପୁଟ: କୋରାପୁଟ ଜିଲ୍ଲା ବିଜେଡିରେ ଚିନ୍ତା ବଢାଉଛି କନ୍ଦଳ। ନେତା ନେତାଙ୍କ ମଧ୍ୟରେ ତାଳମେଳ ରହୁ ନ ଥିବାରୁ ବିବାଦ ମୁଣ୍ଡ ଟେକୁଛି। ବିବାଦ ଏପରି ତୀବ୍ର ରୂପ ନେଉଛି ଯେ କଥାଯାଇ ସଙ୍ଗଠନିକ ମୁଖ୍ୟଙ୍କ ନିକଟରେ ପହଞ୍ଚୁଛି। ନିକଟରେ ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥୀ ରଘୁରାମ ମାଛ ବିଜେଡିରୁ ବହିଷ୍କୃତ ହେବା ପରେ ଶୁକ୍ରବାର ଦଳୀୟ ସଙ୍ଗଠନକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା।

ବିଜେଡି ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ଗ୍ରସ୍ତ ସାରି କୋରାପୁଟ ଫେରିବା ଅବସରରେ କୋରାପୁଟ ସ୍ଥିତ ସ୍ୱତନ୍ତ୍ର ପ୍ରଦକ୍ଷଣ ପ୍ରକୋଷ୍ଟ ଠାରେ କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର। ଏହି ପରିପେକ୍ଷୀରେ ବିଜେଡିର ଏକ ଉଚ୍ଚସ୍ତରୀୟ ସାଙ୍ଗଠନିକ ନେତୃବୃନ୍ଦଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। କର୍ମୀଙ୍କୁ ନେଇ ନେତା ମାନେ କିପରି ସଂଗଠନକୁ ଶକ୍ତିଶାଳୀ କରିବେ ସେଥିପାଇଁ ଗୁରୁମନ୍ତ୍ର ଦେଇଛନ୍ତି। ଏହି ଦଳୀୟ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋଟପାଡ ବିଧାୟିକା ତଥା ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ, ପୂର୍ବତନ ସାଂସଦ ଝିନ ହିକକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କିର୍ଷାନୀ, ଜୟପୁରର ପୂର୍ବତନ ବିଧାୟକ ରବି ନନ୍ଦ, ବିଜେଡି ନେତ୍ରୀ ଇନ୍ଦିରା ନନ୍ଦଙ୍କ ସହ କୋରାପୁଟ, ଜୟପୁର, ଲକ୍ଷ୍ମୀପୁର, ‌କୋଟପାଡ ଓ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀର ଅନେକ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ସମସ୍ତ ବିଜୁପ୍ରେମୀ ତୃଣମୂଳ ସ୍ତରରେ ପହଞ୍ଚି ଲୋକଙ୍କ ନିକଟତର ହେବା ପାଇଁ ପରାମର୍ଶ ଦେଇଥିଲେ। ଆଗକୁ ଆସୁଥିବା ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ତତ୍‌ସହିତ ନନ୍ଦପୁର ବ୍ଲକର ଦୁଇଟି ଜୋନାଲ କମିଟି ସଦସ୍ୟ ମାନଙ୍କ ସହ ରୁଦ୍ଧ ଦ୍ୱାରା ବୈଠକ କରି ସେମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଶ୍ରୀ ଦାଶ। ଜିଲ୍ଲାର ପ୍ରତି ପଂଚାୟତରେ ଚାଲିଥିବା ସଂଗଠନ କାର୍ଯ୍ୟକୁ ମଧ୍ୟ ସେ ଭୂୟଶୀ ପ୍ରଶଂସା କରିବା ସହିତ ସନ୍ତୋଷ ପ୍ରକଟ ମଧ୍ୟ କରିଥିଲେ। କୋଟପାଡ ବାର ଆସୋସେଏସନରୁ ଆସିଥିବା ଓକିଲ ମାନଙ୍କ ସହ ତାଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ। ଜିଲ୍ଲାରେ ଦଳୀୟ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ସହ ସଂଗଠନର କାର୍ଯ୍ୟକୁ ଦୃଢ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର