ଅସ୍ତରଙ୍ଗ: ପିକ୍‌ନିକ୍‌ ପାଇଁ ଯାଇଥିବା ୫ ଛାତ୍ରଙ୍କୁ ସମୁଦ୍ର ଭିତରକୁ ଟାଣି ନେଲା ଲହଡ଼ି, ୩ ଉଦ୍ଧାର

ପୁରୀ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ପୀର ଜାହାନିଆ ନିକଟ ସମୁଦ୍ରରେ ପିକ୍‌ନିକ୍‌ ପାଇଁ ଯାଇଥିବା ୫ ଜଣ ସମୁଦ୍ର ପାଣିରେ ଭାସି ଯାଇଥିବା ଜାଣିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସମୁଦ୍ରରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଆଉ ୨ ଜଣ ଏବେ ବି ସୁଦ୍ଧା ମିଳିନାହାନ୍ତି। ସ୍ଥାନୀୟ ଲୋକେ ଲାଇଫ୍‌ ଗାର୍ଡ ଦ୍ୱାରା ଏହି ଉଦ୍ଧାର କାର୍ଯ୍ୟ କରିଥିଲେ।

ସୂଚନା ରହିଛି ଯେ ରାଜଧାନୀ ଭୁବନେଶ୍ୱରରେ ଏକ ପ୍ରାଇଭେଟ କଲେଜରେ ଇଞ୍ଜିନିୟରିଂ ପଢୁଥିବା ଏହି ଛାତ୍ରମାନେ ପିକ୍‌ନିକ୍‌ କରିବାକୁ ଜାହାନିଆ ଯାଇଥିଲେ। ସେମାନେ ପିକ୍‌ନିକ୍‌ ସାଙ୍ଗକୁ ସମୁଦ୍ରରେ ବୁଡ଼ ଦେବାର ମଜ୍ଜା ନେବା ପାଇଁ ଚିନ୍ତା କରି ଗାଧୋଇବା ପାଇଁ ସାଥି ହୋଇ ବାହାରିଥିଲେ। ୫ ଜଣ ସମୁଦ୍ରରେ ଗାଧୋଉଥିବା ବେଳେ ଅଚାନକ ଏକ ଲହଡ଼ି ଆସି ସେମାନଙ୍କୁ ଭସାଇ ନେଇଥିଲା।

ସେମାନେ ଚିତ୍କାର କରିବାରୁ ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସି ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ। ଉଦ୍ଧାର ହୋଇଥିବା ୩ ଜଣଙ୍କୁ ଏବେ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ ୨ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର