ସୁସ୍ଥ ହୋଇ ଫେରିଲେ ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ମା’ ପୁଅଙ୍କ ଭାଇରାଲ ହେଲା ମିଳନର ଭିଡିଓ

ଜୟପୁର: ହୃଦଘାତରେ ଗୁରୁତର ହୋଇ ପଡ଼ିଥିବା ପୂର୍ବତନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ୧୭ଦିନ ପରେ ସୁସ୍ଥ ହୋଇ ଜୟପୁର ଘରକୁ ଫେରିଛନ୍ତି। ସ୍ଥାନୀୟ ବିମାନବନ୍ଦରରୁ ତାଙ୍କୁ ତାଙ୍କ ସମର୍ଥକ ମାନେ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ବାଇକ ରାଲିରେ ଘର ପର୍ଯ୍ୟନ୍ତ ପାଛୋଟି ଧରିକି ଆସିଥିଲେ। ଗତକାଲି ସେ ବିମାନରେ ଭୁବନେଶ୍ବରରୁ ଦିନ ଗୋଟାଏରେ ପହଞ୍ଚିଥିବା ବେଳେ ଜୟପୁର ନିର୍ବାଚନମଣ୍ଡଳୀର କର୍ମୀ ମାନେ ବିମାନବନ୍ଦରରେ ଅପେକ୍ଷା କରଥିଲେ। ତାଙ୍କୁ ଫୁଲମାଳ ପିନ୍ଧାଇବା ସହ ବାଇକ ଶୋଭାଯାତ୍ରା କରି ବିମାନବନ୍ଦରରୁ ଘରକୁ ଆଣିଥିଲେ। ତାଙ୍କ ନାଁକୁ ନେଇ ବିଭିନ୍ନ ନାରା ଦେଇଥିଲେ। ପ୍ରକାଶଯୋଗ୍ୟ, ଗତ ୧୩ତାରିଖ ଦିନ ସେ ଅଚାନକ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଛାତିରେ ଅସ୍ତ୍ରପ୍ରଚାର କରାଯାଇଥିଲା। ସେ ଘରକୁ ଶୋଭାଯାତ୍ରାରେ ପହଞ୍ଚିବା ପରେ ତାଙ୍କ ମା’ ପୂର୍ବତନ ପୌରଅଧ୍ୟକ୍ଷା ଗୀତାନନ୍ଦ ୨ମହଲା କୋଠାରୁ ତଳକୁ ଆସି ପୂର୍ବତନ ମନ୍ତ୍ରୀ ରବିନନ୍ଦଙ୍କୁ କୁଣ୍ଡାଇ ପକାଇଥିଲେ। ମା’ ଏଭଳି କୁଣ୍ଡାଇବା ଦେଖିବା ପରେ ପୂର୍ବତନମନ୍ତ୍ରୀ ଶ୍ରୀନନ୍ଦ ଭାବବିହ୍ବଳ ହୋଇ କାନ୍ଦି ପକାଇଥି‌ଲେ। ଏହି ଭିଡିଓ ଆଜି ସହରରେ ଭାଇରାଲ ହୋଇଛି।

Sambad

ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ଭଗବାନ, ମା’, ଲୋକଙ୍କ ଆର୍ଶିବାଦ ଫଳରେ ସେ ସୁସ୍ଥ ହୋଇ ଫେରିଛନ୍ତି, ଏବଂ ଲୋକଙ୍କ ସେବା କରିବା ପାଇଁ ସେ ଦ୍ବିତୀୟ ଇନିଂସ ଆରମ୍ଭ କରିବେ ବୋଲି କହିବା ସହ ଭାବବିହ୍ବଳ ହୋଇ ପଡ଼ିଥିଲେ। ସମସ୍ତଙ୍କ ପ୍ରେମ, ପୂଜା ବଳରେ ସେ ଦ୍ବିତୀୟ ଜନ୍ମ ପାଇଛନ୍ତି। ସେ ତାଙ୍କ ଜନସେବା ଧାରା ଜାରୀ ରଖିବେ ବୋଲି କହିଛନ୍ତି। ମା’ପୁଅଙ୍କ ସମ୍ପର୍କ ଅନାବିଳ, ଏହାକୁ ମାପି ହେବ ନାହିଁ କି କଳନା କରି ହେବ ନାହିଁ। ମା’ ଯୋଗୁଁ ମୁଁ ଆଜି ଏଠାରେ ଅଛି, ସେହି ମା’ ସହ ପ୍ରତ୍ୟେକ ଦିନ ଟେଲିଫୋନରେ କଥା ହେବା ଏବଂ ଦୀର୍ଘଦିନ ପରେ ମୁହାଁମୁହିଁ ଦେଖିବା ପରେ ଉଭୟଉଭୟଙ୍କ ଭାବବିହ୍ବଳତା ବାହାରି ଆସିଥିଲା। ମା’ ପରି ଆଉ କେହି ହେବ ନାହିଁ ବୋଲି ଶ୍ରୀନନ୍ଦ କହିଥିଲେ। ସାଧାରଣ ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ତାଙ୍କୁ ମଞ୍ଚ ଉପରୁ ତଳକୁ ଓହ୍ଲାଇ ଆଣିବା ଘଟଣାରେ ସେ ଚିନ୍ତିତ ହୋଇ ଏଭଳି ହୋଇଛି କି ବୋଲି ପ୍ରଶ୍ନ କରିବାରେ ସେଭଳି କିଛି ନାହିଁ। ପ୍ରଣବ ପ୍ରକାଶ ଦାଶ ଓ ତାଙ୍କ ମଧ୍ୟରେ ବଡଭାଇ ଓ ସାନଭାଇର ସମ୍ପର୍କ। ତାଙ୍କୁ ଦିଆଯାଇଥିବା ଦାୟିତ୍ବ ସେ ନିଭାଇଥିଲେ। କିଛି ଲୋକ ତାକୁ ରଙ୍ଗ ଦେଇ ବଦନାମ କରିବାକୁ ଚେଷ୍ଟା କରିଛନ୍ତି। ସେ ଜନସେବକ ସେ ସେବା କରିବେ ବୋଲି କହିଛନ୍ତି ଶ୍ରୀ ନନ୍ଦ।

ସମ୍ବନ୍ଧିତ ଖବର