ଯୁବକଙ୍କୁ ଅପହରଣ କରି ନିସ୍ତୁକ ମାଡ଼, ନିର୍ଦ୍ଧୁମ ପିଟୁଥିବାର ଭିଡିଓ ଭାଇରାଲ

ମାଲକାନଗିରି: ରାଜଧାନୀ ଭୁବନେଶ୍ବରରେ ରକ୍ତଚରିତ୍ର ଗ୍ୟାଙ୍ଗ ନିଜ ଆତଙ୍କ ଖେଳାଇବା ଭିଡିଓ ଭାଇରାଲ କରି ନିଜର ସ୍ଥିତି ଜାହିର କରିଥିଲେ। ରାଜଧାନୀ ବାସିନ୍ଦା ଏହି ଗ୍ୟାଙ୍ଗର ଆତଙ୍କରେ ଆତଙ୍କିତ ହୋଇଥିବା ବେଳେ ପୁଲିସ ଏହି ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି। ତେବେ ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ସହରରେ ଯୁବଗୋଷ୍ଠୀ ମଧ୍ୟ ରକ୍ତଚରିତ୍ର ଭଳି ଗ୍ୟାଙ୍ଗ ତିଆର କରି କିଭଳି ଭାବେ ଆତଙ୍କ ଖେଳାଇଛନ୍ତି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଯୁବକମାନେ ସହରର କିଛି ପରିତ୍ୟକ୍ତ ସ୍ଥାନକୁ ନିଜର ଅଡ୍ଡା ଭାବେ ଗଢି ସେଠାରେ ଦିନରାତି ବସି ମଦ, ଗଂଜେଇ ସହ ବିଭିନ୍ନ ଅଘଟଣ ଘଟାଇବା ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଭିଡିଓରେ ଜଣେ ଯୁବକକୁ ଅପହରଣ କରି ନେଇ ତାକୁ ତାର ଭୁଲ ପାଇଁ ଦଣ୍ଡ ଦିଆଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓରେ ୫ରୁ ଊର୍ଦ୍ଧ୍ବ ସଦସ୍ୟ ରହିଥିବା ଦେଖିବାକୁ ମିଳିଛି। ଏକ ପରିତ୍ୟକ୍ତ ସ୍ଥାନରେ ଏହି ଯୁବକକୁ ନେଇ ସେଠାରେ ତାକୁ ତାର ଭୁଲ କରିଥିବା ନେଇ ଦଣ୍ଡ ଦିଆଯାଉଛି। ତାକୁ ନିର୍ଦ୍ଧୁମ ପିଟାଯାଉଥିବାର ଦୃଶ୍ୟ ଭିଡିଓରେ ସଫା ସଫା ଦେଖାଯାଉଛି। ଅଭଦ୍ର ଭାଷାରେ ଗାଳିଗୁଲଜ କରାଯାଇ ତାକୁ ଭୁଲ ମାନିବାକୁ ବାଧ୍ୟ କରାଯାଉଛି। ସଦର ମହକୁମାର ଛାତି ଉପରେ ଏଭଳି ଆତଙ୍କିତ ଯୁବକମାନଙ୍କର ଆତଙ୍କ ରହିଥିବା ଜାଣିବା ପରେ ଏବେ ଅଭିଭାବକ ମହଲରେ ଚିନ୍ତାର ବିଷୟ ପାଲଟିଛି।

ତେବେ ଏହି ଗ୍ୟାଙ୍ଗର କାରନାମା ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୁରି ବୁଲୁଛି। ଯୁବକକୁ ଅପହରଣ କରିବା ପରେ ତାର ଦୋଷ ତାକୁ ଜଣାଇ ନିର୍ଦ୍ଧୁମ ପିଟିବା ପରେ ତାକୁ ତାର ଭୁଲ ବୁଝିଛି ନାହିଁ ବୋଲି ସମସ୍ତେ ଆହୁରି ପିଟୁଥିବା ଦେଖିବାକୁ ମିଳିଛି। ଏନେଇ ମାଲକାନଗିରି ପୁଲିସ ନିକଟରେ ସମସ୍ତ ଖବର ଥିବା ଜଣାପଡିଛି। ଥାନା ଆଇଆଇସି ରାମ ପ୍ରସାଦ ନାଗଙ୍କୁ ଏନେଇ ପଚାରିବାରୁ ସେ ଏନେଇ ଅବଗତ ଥିବା ସହ ଏହି ଭିଡିଓର ତଦନ୍ତ କରାଯିବା ସହ ଏହି ଯୁବକମାନଙ୍କୁ ଖୋଜାଯାଉଥିବା କହିଥିଲେ। ଏହି ଭିଡିଓ କେଉଁ ସମୟର ତାହାର ତଦନ୍ତ କରାଯାଉଛି। ମାଲକାନଗିରି ଜିଲ୍ଲା ଭଳି ଶାନ୍ତ ସରଳ ଜାଗାରେ ଏଭଳି ଉତ୍ପାତ କରାଯାଉଥିବା ସାଧାରଣରେ ମଧ୍ୟ ଅସଂତୋଷ ପ୍ରକାଶ ପାଇଛି। ଲୋକେ ନିଜର ସନ୍ତାନମାନଙ୍କୁକ ନେଇ ଭୟଭିତ ରହିଥିବା ଦେଖିବାକୁ ମିଳିଛି। କୌଣସି ମୁହର୍ତ୍ତରେ ଏହି ନିଶାସକ୍ତ ଯୁବକମାନେ ହତ୍ୟା କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଆଲୋଚନା ହେଉଛି। ଜିଲ୍ଲାରେ ଗଂଜେଇ କାରବାର ଜୋରସୋରରେ ଚାଲିଥିବାରୁ ଯୁବଗୋଷ୍ଠୀ ଗଂଜେଇର ମୋହରେ ପଡି ସବୁ ହିତାହିତ ଜ୍ଞାନ ଭୁଲିଯାଉଥିବା ଲୋକେ କହିଛନ୍ତି। ଏନେଇ ପୁଲିସ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର