୮୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ରମା କର

କଟକ: ବିଶିଷ୍ଟ ସମାଜସେବିକା, ସୁଲେଖିକା ତଥା ମାସିକ ସାହିତ୍ୟ ପତ୍ରିକା ‘ସହକାର’ର ପୂର୍ବତନ ସଂପାଦିକା ଶ୍ରୀମତୀ ରମା କର ଆଉ ଇହ ଜଗତରେ ନାହାନ୍ତି। କଟକର ଏକ ଘରୋଇ ନସିଂହୋମ୍‌ରେ ସୋମବାର ସକାଳୁ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ବାଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ହୋଇ ସେ ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଥିଲେ।

ତାଙ୍କ ବିୟୋଗ ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଦରଘାବଜାରସ୍ଥିତ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶବାଧାରରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ବଡ଼ବୋହୂ ତଥା ଦୈନିକ ‘ମାତୃଭାଷା’ର ସଂପାଦିକା ସଳିଳା କର ଝିଅ ଇତିଶ୍ରୀ ମହାପାତ୍ର ଜାମାତା ବିଶ୍ୱଜିତ୍‌ ମହାପାତ୍ର, ଭଣଜା ଅଧ୍ୟାପକ ସୁଧାଂଶୁ ଶେଖର ତ୍ରିପାଠୀ ଓ ସୁଭ୍ରାଂଶୁ ତ୍ରିପାଠୀ ଏବଂ ବହୁ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ସତୀଚଉରା ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହେଇଛି ।

ସ୍ୱର୍ଗୀୟା କର କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ପାଇକପୁର ଗ୍ରାମରେ ୧୯୩୪ ମସିହା ଫେବୃୟାରୀ ମାସ ସରସ୍ୱତୀ ପୂଜା ତିଥିରେ ଜନ୍ମଗ୍ରହଣ କରିଥିଲେ। ଓଡ଼ଇା ଭାଷା ସାହିତ୍ୟରେ ସେ ସ୍ନାତକୋର ଉପାଧି ଲାଭ କରିଥିଲେ ଦୈନିକ ‘ମାତୃଭୂମି’ର ପୂର୍ବତନ ସଂପାଦକ ତଥା ବିଶିଷ୍ଟ ସାରସ୍ୱତ ସ୍ରଷ୍ଟା ବିଚିତ୍ରାନନ୍ଦ କରଙ୍କୁ ବିବାହ କରିଥିଲେ। ତାଙ୍କର ବଡ଼ପୁଅ ‘ମାତୃଭାଷା’ର ପ୍ରତିଷ୍ଠାତା ସଂପାଦକ ବିକାଶ କରଙ୍କର ପୂର୍ବରୁ ପରଲୋକ ହୋଇଯାଇଛି। ଏବେ ତାଙ୍କର ସାନପୁଅ ପ୍ରବୁଦ୍ଧ କର ତିନିଝିଅ ଅନେ୍ଵଷା ମିଶ୍ର, ଜୟଶ୍ରୀ ମହାପାତ୍ର ଓ ଇତିଶ୍ରୀ ମହାପାତ୍ର ଅଛନ୍ତି। ସେ ଉତ୍କଳ ମହିଳା ସମିତି ଦ୍ୱାରା ପରିଚାଳିତ କର୍ମଜୀବୀ ମହିଳା ନିକେତନର ପ୍ରଥମ ସଂପାଦିକା ଥିଲେ।

ତାଙ୍କ ବିୟୋଗରେ ବିଶିଷ୍ଟ କବୟିତ୍ରୀ ମନୋରମା ମହାପାତ୍ର, ଡାକ୍ତର ଧରଣୀଧର ମିଶ୍ର, ମିନାକ୍ଷୀ ଦେବୀ, କାନନବାଳା ସାହୁ, ବ୍ରହ୍ମାନନ୍ଦ ମହାନ୍ତି ଓ ଡକ୍ଟର ସତ୍ୟରାୟ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିବା ସହ ଶବାଧାରାରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହ ଶୋକସନ୍ତପ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର