ଜାତୀୟ ବଜାରରେ ପହଞ୍ଚି ପାରିବନି ରାୟଗଡ଼ା ଆମ୍ବ: ଲକଡାଉନ୍ ଯୋଗୁ ଅମଳ ବିଳମ୍ବ , ରାଞ୍ଚି, ରାୟପୁର, ଦିଲ୍ଲୀ, ଆନ୍ଧ୍ରରେ ରହିଛି ଚାହିଦା

୫ ବ୍ଲକରୁ ଓରମାସ୍ କିଣିବ ୨୭୨ ମେଟ୍ରିକ୍ ଟନ୍, ପରିବହନରେ ବିଳମ୍ବ ହେଲେ ମାଡ଼ କରିବ ଲକ୍ଷ୍ନୋ ଆମ୍ବ

ରାୟଗଡ଼ା (ନବୀନ ଚନ୍ଦ୍ର ସାହୁ): ଲକଡାଉନ୍ ପ୍ରଭାବରେ ଜାତୀୟ ବଜାରରେ ପହଞ୍ଚି ପାରିବନି ରାୟଗଡ଼ା ଆମ୍ବ। ଅମଳ ବିଳମ୍ବ ଯୋଗୁ ୨୭୨ ମେଟ୍ରିକ୍ ଟନ୍ ଆମ୍ବ ରାଞ୍ଚି, ରାୟପୁର, ଦିଲ୍ଲୀ, ବିଶାଖାପାଟଣା, ଭୁବନେଶ୍ବର ପଠାଇବା ନେଇ ଅନିଶ୍ଚିତତା ଦେଖା ଦେଇଛି। ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ଉତ୍ତରପ୍ରଦେଶ, ଲକ୍ଷ୍ନୋ ଆମ୍ବ ମାର୍କେଟକୁ ଆସି ଯାଉଥିବାରୁ ରାୟଗଡ଼ା ଆମ୍ବର ଚାହିଦା ଫିକା ପଡ଼ିଯିବ। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।

ଜୈବିକ ପଦ୍ଧତିରେ ଚାଷ ହେଉଥିବା କାରଣରୁ ଜାତୀୟ ବଜାରରେ ରାୟଗଡ଼ା ଆମ୍ବର ଚାହିଦା ରହିଛି। ଗତ ବର୍ଷ ଓରମାସ୍ ୨୮୩ ମେଟ୍ରିକ୍ ଟନ୍ ଆମ୍ବ ଜାତୀୟ ବଜାରକୁ ପଠାଇଥିଲା। ଚଳିତ ବର୍ଷ ୨୭୨ ମେଟ୍ରିକ୍ ଟନ୍ ବଜାରକୁ ପଠାଇବା ପାଇଁ ଧାର୍ଯ୍ୟ ହୋଇଛି। ହେଲେ ଲକଡାଉନ୍ ଯୋଗୁ ଏଯାବତ୍ ଚାଷୀଙ୍କ ନିକଟରୁ ଆମ୍ବ  ସଂଗ୍ରହ କରିନି ଓରମାସ। ଅନ୍ୟପକ୍ଷରେ ଟ୍ରେନକୁ ଛାଡ଼ିଲେ କମ ଖର୍ଚ୍ଚରେ ପରିବହନର ଅନ୍ୟ କୌଣସି ସୁବିଧା ନଥିବାରୁ ଆମ୍ବ ପଠାଇବା ବିଳମ୍ବ ହୋଇପାରେ। ମେ’ ୧୫ ପର୍ଯ୍ୟନ୍ତ ରେଳ ଚଳାଚଳ ଆଶା ଉଜ୍ଜଳ ନଥିବାରୁ ରେଳ ଚଳାଚଳ ପରେ ହିଁ ଓରମାସ୍ ଚାଷୀଙ୍କ ନିକଟରୁ ଆମ୍ବ ସଂଗ୍ରହ କରିବ। ଯାହାକୁ ଗ୍ରେଡିଂ, ପ୍ୟାକିଂ ଓ ସିଲ୍ କରି ପଠାଇବା ପାଇଁ ଅତି କମରେ ଏକ ମାସ ସୟମ ଲାଗିବ। ସାଧାରଣତଃ ମେ ଏବଂ ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ରାୟଗଡ଼ା ଆମ୍ବର ଚାହିଦା ବଜାରରେ ରହିଥାଏ। ଏହା ପରେ ମାର୍କେଟକୁ ଉତ୍ତରପ୍ରଦେଶ, ଲକ୍ଷ୍ନୋ ଆମ୍ବ ଆସି ଯାଉଥିବାରୁ ଅନ୍ୟ ରାଜ୍ୟ ଗୁଡ଼ିକର ଆମ୍ବର ଚାହିଦା କମିଥାଏ। ଆମ୍ବର ଉତ୍ପତ୍ତିସ୍ଥଳୀ ଉତ୍ତରପ୍ରଦେଶରୁ ମାର୍କେଟକୁ ଆସୁଥିବା ଗୋଟିଏ ଆମ୍ବର ଓଜନ ୩ ଶହରୁ ୪ ଶହ ଗ୍ରାମ ହେଉଥିବା ବେଳେ ରାୟଗଡ଼ାର ଆମ୍ବ ୧୫୦ ଗ୍ରାମ ମଧ୍ୟରେ ରହିଥାଏ। ରାୟଗଡ଼ା ଆମ୍ବ ସୁସ୍ବାଦ ହେଲେ ମଧ୍ୟ ଲକ୍ଷ୍ନୋ ଆମ୍ବର ଉତ୍ପାଦନ ଓ ଦର ଅନୁସାରେ ଚାହିଦା କମିଥାଏ।

ଜିଲ୍ଲାର କାଶୀପୁର, ମୁନିଗୁଡା, ବିଷମକଟକ, ଚନ୍ଦ୍ରପୁର, କଲ୍ୟାଣସିଂହପୁର ଓ ରାୟଗଡ଼ା ବ୍ଲକରେ ହୋଇଛି ଆମ୍ବ ଚାଷ। ଉଦ୍ୟାନ୍ ବିଭ‌ାଗ ତତ୍ତ୍ବାବଧାନରେ ବାଇଗଣପଲ୍ଲୀ, ଆମ୍ରପଲ୍ଲୀ, ଦଶେରୀ, ତତାପୁରୀ, ହେମସାଗର, ଲାଙ୍ଗରା ପ୍ରଜାତିର ଆମ୍ବ ଚଳିତ ବର୍ଷ ଅମଳ ହେବ। ଅମଳ ହେଉଥିବା ଆମ୍ବ ମଧ୍ୟରେ ୮୦ ପ୍ରତିଶତ ଆମ୍ରପଲ୍ଲୀ, ୧୫ ପ୍ରତିଶତ ଦଶେରୀ ଓ ୫ ପ୍ରତିଶତ ଅନ୍ୟ ପ୍ରଜାତିର ଆମ୍ବ ରହିଛି। ବଜାରରେ ଦଶେରୀ ଆମ୍ବର ଚାହିଦା ଅଧିକ ରହିଛି। ଦଶେରୀ ଆମ୍ବ କେଜି ପିଛା ଜାତୀୟ ବଜାରରେ ୨୪ ଟଙ୍କା ଏବଂ ଆମ୍ରପଲ୍ଲୀ ୧୭ ଟଙ୍କାରେ ବିକ୍ରି ହୋଇଥାଏ।

ବଜାରୀକରଣ ପାଇଁ ଭାରତ ସରକାରଙ୍କ ମଦେର୍ ଡାଏରୀ ସଂସ୍ଥା ସହ ଓରମାସ ଚୁକ୍ତି କରିଛି। ମଦେରୀ ଡାଏରୀ କର୍ତ୍ତୃପକ୍ଷଙ୍କ ସର୍ଭେ  ଅନୁଯାୟୀ ଭଲ ଗ୍ରେଡ୍ ଆମ୍ବ ପାଇଁ ଗୋଟିଏ ଆମ୍ବର ଓଜନ ୨୨୦ ଗ୍ରାମରୁ ଅଧିକ ହେବା ଦରକାର। ରାୟଗଡ଼ା ଆମ୍ବର ଓଜନ ୧୫୦ରୁ ୨୦୦ ଗ୍ରାମ ମଧ୍ୟରେ ରହୁଥିବାରୁ ମଦେର୍ ଡାଏରୀ ଆମ୍ବକୁ ଗ୍ରହଣ କରୁନି। ଫଳରେ ଓରମାସ ଖୋଲା ବଜାରରେ ହିଁ ଆମ୍ବ ବିକ୍ରି କରୁଛି। ଉଦ୍ୟାନ୍ ବିଭାଗ ଅଧୀନରେ ଥିବା ୨ଟି ବଡ଼ ଫାର୍ମ କାଶୀପୁରର ଚିଙ୍ଗୁଡ଼ିଝର, ବିଷମକଟକର ଗତିଗୁଡାରୁ ବାହାରୁଥିବା ଆମ୍ବ ମଧ୍ୟ ବଜାରର ଚାହିଦା ପୂରଣ କରିପାରୁନି।

ଦୁଇ ଫାର୍ମର ଆମ୍ବ ବିକ୍ରି ପାଇଁ ବିଭାଗ ମାର୍ଚ୍ଚ ୨୧ ତାରିଖରେ ଟେଣ୍ଡର ଆହ୍ବାନ କରିଥିଲେ। କିନ୍ତୁ ଆମ୍ବ ଉନ୍ନତମାନର ନଥିବା କାରଣରୁ କେହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ନାହାନ୍ତି। ଫଳରେ ଗେଟ୍ ସେଲ୍ କରିବାକୁ ବିଭାଗ ନିଷ୍ପତ୍ତି ନେଇଥିବା ସହକାରୀ ଉଦ୍ୟାନ୍ ଉପ ନିର୍ଦେଶକ ଜଗନ୍ନାଥ ବିନ୍ଧାଣି କହିଛନ୍ତି। ଆମ୍ବର ଓଜନ ଓ ମାନ ବଢ଼ାଇବା ପାଇଁ ରାଜ୍ୟ ସରକାର ଉଦ୍ୟାନ୍ ବିଭାଗ ଦ୍ବାରା ବହୁ ଯୋଜନା କରି ବର୍ଷକୁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଚାରା ରୋପଣ ପରେ ୩ ବର୍ଷ ପର୍ଯ୍ୟନ୍ତ ଗଛର ରକ୍ଷଣାବେକ୍ଷଣ ଉଦ୍ୟାନ ବିଭାଗ ବୁଝିବା ପରେ ଚାଷୀଙ୍କ ହାତରେ ଛାଡ଼ି ଦେଉଛି। ଖତ ଓ ଜୈବିକ କମ୍ପୋଷ୍ଟ ତ ଦୂରର କଥା ଚାଷୀ ଗଛରେ ଭଲ ଭାବରେ ପାଣି ଦେଉନଥିବାରୁ ଆମ୍ବର ଓଜନ ବଢ଼ିପାରୁନି। ବିଭାଗ ଅଧୀନରେ ହେଉଥିବା ଚାଷ ମଧ୍ୟ ଠିକ୍ ଭାବରେ ହେଉନଥିବାରୁ ବର୍ଷା ଜଳରୁ ଗଛ ଯାହା ପାଉଛି ସେତିକିରେ ବଢ଼ୁଛି ବୋଲି କହିଛନ୍ତି ବିଶେଷଜ୍ଞ।

ସମ୍ବନ୍ଧିତ ଖବର