ଶହେରୁ ଊର୍ଧ୍ୱ ଘର ଛାରଖାର

ମାଲକାନଗିରି/ରାୟଗଡା/ଡାବୁଗାଁ : କାଳବୈଶାଖୀର ତାଣ୍ଡବ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଶେଷକରି ଗ୍ରାମାଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ନଷ୍ଟ ହୋଇଥିବା ବେଳେ ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କ୍ଷୟକ୍ଷତିର ଆକଳନ ହୋଇ ନଥିଲେ ମଧ୍ୟ ଶହେରୁ ଊର୍ଧ୍ୱ ଘର ଛାରଖାର ହୋଇଯାଇଥିବା ସୂଚନା ମିଳିଛି। ଆଜି ସକାଳୁ ସକାଳୁ କାଳବୈଶାଖୀ ପ୍ରଭାବରେ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଥିଲା। ପ୍ରବଳ ବେଗରେ ପବନ ବୋହିବାରୁ ଖଇରପୁଟ ବ୍ଲକରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ଜାତୀୟ ରାଜପଥ ଉପରେ ଗଛ ଭାଙ୍ଗି ପଡିବାରୁ ଜୟପୁରରୁ ମାଲକାନଗିରି ଯୋଗାଯୋଗ କିଛି ସମୟ ପାଇଁ ବନ୍ଦ ରହିଥିଲା। ସେହିପରି ଖଇରପୁଟ କଲୋନି ସାହିରେ ଘର ଉପରେ ଗଛ ପଡି ଅମୃତା ନାୟକ (୧୧), ବବଲୁ ନାୟକ (୧୦) ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଅନ୍ତର୍ଗତ ଜବାଗୁଡା ଗାଁର କୃଷ୍ଣ ହରିଜନ (୨୨)ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଯାଇଛି।  ସେହିପରି ରାୟଗଡା ଜିଲ୍ଲାର ପ୍ରାୟ ଶହେରୁ ଊର୍ଧ୍ୱ ସ୍ଥାନରେ ଗଛ ପଡି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସକାଳ ୪ଟାରୁ ରାତି ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବାରୁ ଲୋକେ ଅନ୍ଧାରରେ ରହିଥିଲେ। ଡ୍ରେନ ପାଣିରେ ରାୟଗଡା ସହରର କିଛି ସାହି ଉବୁଟୁବୁ ହେବା ଦୃଶ୍ୟ ଦେଖିବାକୁ ମିଳିଥିଲା।

ଯାଜପୁରର ସବୁ ବ୍ଲକ୍‌ରେ କ୍ଷତି 

ଯାଜପୁର : ଯାଜପୁର ଜିଲ୍ଲାରେ ଚଳିତ ବର୍ଷ ଏପ୍ରିଲ ମାସର ବର୍ଷା ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି। ଏହି କାରଣରୁ ତାଇଚୁନ୍‌ ଧାନ ସହିତ ନଦୀ କୂଳିଆ ଅଞ୍ଚଳରେ ଲାଗିଥିବା ପନିପରିବା ଚାଷ ନଷ୍ଟ ହୋଇଯାଇଛି।  ଚଳିତ ବର୍ଷ ଏପ୍ରିଲ ମାସରେ ମୋଟ ୧୪ ଦିନ କାଳବୈଶାଖୀ ପ୍ରଭାବରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା।ଏହି ଅଦିନିଆ ବର୍ଷା ପନିପରିବା ଓ ଡାଳୁଅଧାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଯାଜପୁର ଜିଲ୍ଲାର ବଡଚଣା, ଯାଜପୁର,ଧର୍ମଶାଳା,ରସୁଲପୁର  ବ୍ଲକର ଅଧିକାଂଶ ପଞ୍ଚାୟତ ଚାଷୀ ନଦୀ କୂଳରେ ପୋଟଳ,ବାଇଗଣ,ଭେଣ୍ଡି ଚାଷ କରିଥିବା ବେଳେ ଧୋୟା ଅଞ୍ଚଳରେ ଲୋକେ ଧାନ ଚାଷ କରି ଅମର ପାଇଁ ପ୍ରସ୍ତୁତି କରୁଥିଲେ। ଗୋଟିଏ ଦିନ ବ୍ୟବଧାନରେ ବର୍ଷା ହେବାରୁ ପନିପରିବା ଚାଷୀ କ୍ଷେତକୁ ସଜାଡିବାକୁ ମଧ୍ୟ ସମୟ ପାଇଲା ନାହିଁ। ଫଳରେ ବିଲରେ ଟମାଟୋ ପଚି ଯାଇଥିବା ବେଳେ ପୋଟଳ ଗଛ ପାଣିରେ ବୁଡି ନଷ୍ଟ ହେଲା। କାଳ ବୈଶାଖୀ ପ୍ରଭାବରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ରେ ଟମାଟୋ, କଲରା, ବାଇଗଣ ଓ କ୍ୟାପ୍‌ସିକମ୍‌ ଚାଷ ନଷ୍ଟ ହୋଇଯାଇଛି। ସେହିଭଳି, କୋରେଇ ଧର୍ମଶାଳା, ବଡ଼ଚଣା, ବିଂଝାରପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ‘ସମ୍ବାଦ’ ଗ୍ରାଉଣ୍ଡଜିରୋ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର