ନିୟନ୍ତ୍ରଣ ବାହାରେ କରୋନା ମୃତ୍ୟୁହାର; ଓଡ଼ିଶାରେ ଟପ୍ ଟେନରେ ରାୟଗଡ଼ା

ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନାହିଁ ସ୍ବତନ୍ତ୍ର କୋଭିଡ଼୍ ହସପିଟାଲ୍; ଏବେ ବି ବିଶାଖାପାଟଣା, ଭୁବନେଶ୍ବରରେ ଶତାଧିକ ଚିକିତ୍ସାଧୀନ

ରାୟଗଡ଼ା: ଗ୍ରିନ୍ ଜୋନକୁ ଫେରିଥିବା ରାୟଗଡ଼ାରେ କରୋନା ମୃତ୍ୟୁହାର ନିୟନ୍ତ୍ରଣ ବାହାରେ। ପ୍ରତିଦିନ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜୁଛନ୍ତି ଆକ୍ରାନ୍ତ। ମୋଟ ଆକ୍ରାନ୍ତ, ସକ୍ରିୟ ଆକ୍ରାନ୍ତ କ୍ଷେତ୍ରରେ ମଧ୍ୟ ବହୁ ଆଗରେ ରହିଛି ରାୟଗଡ଼ା। ଅନ୍ୟ ଶିଳ୍ପ ସମୃଦ୍ଧ ଓ ଜନସଂଖ୍ୟା ବହୁଳ ଜିଲ୍ଲାକୁ ପଛରେ ପକାଇ କରୋନା ମୃତ୍ୟୁହାରରେ ଓଡ଼ିଶାରେ ରାୟଗଡ଼ା ଅଷ୍ଟମ ସ୍ଥାନରେ ରହିବା ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଶିଳ୍ପ ସମୃଦ୍ଧ ରାୟଗଡ଼ା। ଖଣିଜ ସଂପଦରେ ଭରପୂର ଏହି ଜିଲ୍ଲା ରାଜ୍ୟ ରାଜକୋଷକୁ ବାର୍ଷିକ ହଜାର ହଜାର କୋଟି ଟଙ୍କାର ରାଜସ୍ବ ପ୍ରଦାନ କରୁଛି। ଅଥଚ ଏହି ଜିଲ୍ଲାବାସୀଙ୍କୁ ଉଚ୍ଚ ଚିକିତ୍ସା ପ୍ରଦାନ ପାଇଁ ନା ଅଛି ମେଡ଼ିକାଲ୍ କଲେଜ ନା ମହାମାରୀ କରୋନାରୁ ରକ୍ଷା କରିବା ପାଇଁ ପ୍ରତିଷ୍ଠା ହୋଇଛି ସ୍ବତନ୍ତ୍ର କୋଭିଡ଼୍ ହସପିଟାଲ୍।

କରୋନାର ପ୍ରଥମ ଓ ଦ୍ବିତୀୟ ଲହରୀରେ ଆଜି ସୁଦ୍ଧା ଜିଲ୍ଲାର ୧୮ ହଜାର ୨୩୫ ଜଣ ଆକ୍ରାନ୍ତ ହେଲେଣି। ସରକାରୀ ଭ‌ାବେ ୧୩୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ାରେ ଉଚ୍ଚ ଚିକିତ୍ସା ସୁବିଧା ନଥିବାରୁ ଏବେ ବି ବିଶାଖାପାଟଣା, ଭୁବନେଶ୍ବରର ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲାର ଶତାଧିକ ଆକ୍ରାନ୍ତ ଜୀବନ ସହ ଲଢ଼େଇ କରୁଛନ୍ତି। ପ୍ରଥମ ଲହରୀରେ ଜୁଲାଇ-ଅଗଷ୍ଟ, ଦ୍ବିତୀୟ ଲହରୀରେ ଏପ୍ରିଲ୍-ମେ’ ମାସରେ ରାୟଗଡ଼ାରେ କରୋନା ଉଗ୍ର ରୂପ ଧାରଣ କରିଥିଲା।

ରାୟଗଡ଼ା, ଗୁଣପୁର ସହରାଞ୍ଚଳ ସମେତ ମୁନିଗୁଡା, କାଶୀପୁର, ବିଷମକଟକ, ପଦ୍ମପୁର ଓ ରାୟଗଡ଼ା, ଗୁଣପୁର ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଥିଲେ ଅଧିକ ଆକ୍ରାନ୍ତ। ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବା ପରେ ଶିଳ୍ପ ସଂସ୍ଥା ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସ୍ବତନ୍ତ୍ର କୋଭିଡ଼୍ ହସପିଟାଲ୍ ପ୍ରତିଷ୍ଠା ଲାଗି ଦାବି ହୋଇ ଆସୁଛି। ଅକ୍ଟୋବର ସୁଦ୍ଧା କରୋନାର ତୃତୀୟ ଲହରୀ ଆସୁଥିବାରୁ ସତର୍କ ନ ହେଲେ ଶିଶୁ ସମେତ ଏହା ଅଧିକଙ୍କୁ ଆକ୍ରାନ୍ତ କରିବା ନେଇ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଅଥଚ ଜିଲ୍ଲାର କୌଣସି ଶିଳ୍ପ ସଂସ୍ଥା କିମ୍ବା ରାଜ୍ୟ ସରକାର ଜିଲ୍ଲାବାସୀଙ୍କ ଏହି ଦାବିକୁ ଏଯାବତ୍ ବିଚାରକୁ ନେଇନାହାନ୍ତି।

ରାଜ୍ୟ ସରକାରଙ୍କ କୋଭିଡ଼୍-୧୯ ଡାସବୋର୍ଡ ରିପୋର୍ଟ ଅନୁଯ‌ାୟୀ, ଓଡ଼ିଶାର ଟପ୍ ଟେନ୍ କରୋନା ମୃତକ ଜିଲ୍ଲା ମଧ୍ୟରେ ରାୟଗଡ଼ା ଅଷ୍ଟମ ସ୍ଥାନରେ ରହିଛି। ଯାହା ଅନ୍ୟ ଶିଳ୍ପ ସମୃଦ୍ଧ ଜିଲ୍ଲା ଯାଜପୁର, ଝାରସୁଗୁଡା, ବାଲେଶ୍ବର, କେନ୍ଦୁଝର ତୁଳନାରେ ବେଶ୍ ଅଧିକା। ରାୟଗଡ଼ାରେ ମୋଟ ୧୮୨୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଶିଳ୍ପ ସମୃଦ୍ଧ ଯାଜପୁରରେ ୩୪୦୨୫ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୩୮ ଜଣଙ୍କ ମୃତ୍ୟୁ ହୋଇଛି।

ସେହିପରି କେନ୍ଦୁଝରରେ ୧୮୨୩୯ ଆକ୍ରାନ୍ତଙ୍କ ମଧ୍ୟରୁ ୬୬, ବାଲେଶ୍ବରର ୩୦୫୮୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫ ଏବଂ ଝାରସୁଗୁଡାର ୨୩୧୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ାକୁ ଛାଡ଼ିଲେ ଅନ୍ୟ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଶିଳ୍ପ ସଂସ୍ଥା ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଉଚ୍ଚ ଚିକିତ୍ସା ସୁବିଧା ଥିବା ସ୍ବତନ୍ତ୍ର କୋଭିଡ଼୍ ହସପିଟାଲ୍ ନିର୍ମାଣ ହୋଇଛି। କିନ୍ତୁ ରାୟଗଡ଼ା ଏହି କ୍ଷେତ୍ରରେ ଅଣଦେଖାର ଶିକାର ହୋଇଛି। ସେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ କାରଣରୁ ହେଉ ଅବା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାବାସୀଙ୍କ ସରଳତା କାରଣରୁ ହେଉ। ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ଥିତିକୁ ତୁଳନା କଲେ ନବରଙ୍ଗପୁରରୁ ସର୍ବାଧିକ ୨୨୫୩୪ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ଏହି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମାତ୍ର ୪୩। ସେହିପରି କୋରାପୁଟରେ ୪୭, ମାଲକାନଗିରିରେ ୩୮, ପଡୋଶୀ ଗଜପତିରେ ୬୯ ଏବଂ କନ୍ଧମାଳରେ ୪୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର