ଖୋଲିଲା ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ, ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ

ରେଙ୍ଗାଳି: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ ଖୋଲାଯାଇ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଡ୍ୟାମର ଅଧୀକ୍ଷଣ ଯନ୍ତ୍ରୀ ଅଜିତ ଜେନାଙ୍କ ସୂଚନା ଅନୁଯାୟୀ ରେଙ୍ଗାଳି ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର । ଆଜି ଦିନ ୧୧ଟା ସୁଦ୍ଧା ଡ୍ୟାମର ଜଳସ୍ତର ୧୧୯.୮୨ ମିଟର ପହଁଚି ଥିଲା ।

ରେଙ୍ଗାଳି ଡ୍ୟାମର ଜଳଧାରଣ ସାରଣୀ ଅନୁଯାୟୀ ଆଜି ଡ୍ୟାମର ଜଳସ୍ତର ୧୧୬.୭୫ ମିଟର ରହିବା କଥା । ଫଳରେ ଆଜି ଦିନ ୧୧ଟା୧୦ ମିନିଟରେ ଡ୍ୟାମ କର୍ତୃପକ୍ଷ ଡ୍ୟାମର ଗୋଟିଏ ଗେଟ (ଗେଟ ନଂ-୭) ଖୋଲି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛନ୍ତି । ଅପରାହ୍ନ ୪ଟା ସୁଦ୍ଧା ଡ୍ୟାମର ଜଳସ୍ତର ୧୧୯.୮୪ ମିଟର ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧୦୪୫.୧୩ ଘନମିଟର ଜଳ ପ୍ରବେଶ କରୁଥିବାବେଳେ ପାୱାର ଚ୍ୟାନେଲ ଦେଇ ୫୧୪.୭୫ ଘନମିଟର ଓ ଖୋଲାଥିବା ଗୋଟିଏ ଗେଟରେ ୯୬୬ ଘନମିଟର ମୋଟ ୧୪୮୦.୭୫ ଘନମିଟର ବନ୍ୟା ଜଳ ନିଷ୍କାସିତ ହେଉଛି ।

ପ୍ରତି ଘଣ୍ଟାରେ ୧୬୭.୪୦ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହେଉଛି ।ଡ୍ୟାମ ଗେଟ ଖୋଲିବା ସମୟରେ ମୁଖ୍ୟଯନ୍ତ୍ରୀ ପ୍ରଭାକର ବେହେରା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ର, ଉପଖଣ୍ଡ ଅଧିକାରୀ ଶଙ୍କରାନନ୍ଦ ରଣା,ସହକାରୀ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ବେହେରା, ଜ୍ୟୋତିରଞ୍ଜନ ସିଂ, କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମଣ ମୂର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର