ସ୍ବତନ୍ତ୍ର ଯାଂଚ ଦଳ ଦାଖଲ କଲେ ରିପୋର୍ଟ: ୯୯ ମଣ୍ଡିରେ ପଡ଼ିଛି ୧୦ ହଜାର ୫୧୨ ଚାଷୀଙ୍କ ୭ ଲକ୍ଷ ୪୦ହଜାର ୪୬୨ କୁଇଣ୍ଟାଲ ଧାନ

ଜୟପୁର: ଗତକାଲି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମ‌େ ୧୪ଟି ବ୍ଲକର ୧୦୩ଟି ମଣ୍ଡିକୁ ୧୦୩ଟି ଦଳ ଯାଂଚ କରି ଫେରିଛନ୍ତି। ୯୯ଟି ମଣ୍ଡିରେ ଜିଲ୍ଲାରେ ୧୦ ହଜାର ୫୧୨ଜଣ ଚାଷୀଙ୍କର ୧୪ଲକ୍ଷ ୮୦ହଜାର ୩୨୪ବସ୍ତା ଧାନ (୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ) ଧାନ ରହିଥିବା ରିପୋର୍ଟ ଆସିଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ। ୧୦୩ଟି ମଣ୍ଡିରୁ ୪ଟି ମଣ୍ଡିରେ ଧାନ ଗଚ୍ଛିତ ନଥିଲା। ଏହି ୪ଟି ମଣ୍ଡି ହେଲା ନନ୍ଦପୁର ବ୍ଲକର ରାଇସିଂ, ବାଲଦା, ଦଶମନ୍ତପୁର ବ୍ଲକର ଡୁମ୍ବାଗୁଡା, ଲକ୍ଷ୍ମୀପୁର ବ୍ଲକର ଲକ୍ଷ୍ମୀପୁର ମଣ୍ଡି। ଜୟପୁର ଉପଖଣ୍ଡର ସବୁ ମଣ୍ଡିରେ ଅଧିକା ଧାନ ଥିବା ଦେଖିବାକୁ ମିଳିଛି।

ସେଭଳି ସର୍ବାଧିକ କୋଟପାଡ ବ୍ଲକରେ ରହିଥିବା ବେଳେ କୋରାପୁଟ ବ୍ଲକରେ ସର୍ବନିମ୍ନ ଧାନ ଗଚ୍ଛିତ କରି ରଖାଯାଇଛି। କୋଟପାଡ ବ୍ଲକର ବିଭିନ୍ନ ମଣ୍ଡିରେ ୨୩୩୧ଜଣ ଚାଷୀଙ୍କର ୧ଲକ୍ଷ ୮୭ହଜାର ୬୩କୁଇଣ୍ଟାଲ ଧାନ ଗଚ୍ଛିତ ରହିଛି। ସେଭଳି ଜୟପୁର ବ୍ଲକରେ ୧୭୯୫ଜଣ ଚାଷୀଙ୍କ ୧ଲକ୍ଷ ୩୬ହଜାର ୬୨୭କୁଇଣ୍ଟାଲ , ବୈପାରୀଗୁଡା ବ୍ଲକରେ ୧୩୨୩ଜଣ ଚାଷୀଙ୍କ ୮୪ହଜାର ୧୪୯କୁଇଣ୍ଟାଲ, କୁନ୍ଦ୍ରା ବ୍ଲକର ୧୮୦୯ଜଣ ଚାଷୀଙ୍କର ୧ଲକ୍ଷ ୨୪ହଜାର ୯୪୩କୁଇଣ୍ଟାଲ, ବୋରିଗୁମ୍ମା ବ୍ଲକର ୨୬୫୧ଜଣ ଚାଷୀଙ୍କର ୨୬୫୧ଜଣଙ୍କର ୧ଲକ୍ଷ ୬୯ହଜାର ୧୪୪କୁଇଣ୍ଟାଲ, କୋରାପୁଟ ବ୍ଲକର ୮ଜଣ ଚାଷୀଙ୍କର ୧୮୭କୁଇଣ୍ଟାଲ, ଲମତାପୁଟ ବ୍ଲକର ୮୭ଜଣ ଚାଷୀଙ୍କର ୬୦୭୭କୁଇଣ୍ଟାଲ, ସେମିଳିଗୁଡା ବ୍ଲକର ୪୮ଜଣ ଚାଷୀଙ୍କ ୩୮୯୪କୁଇଣ୍ଟାଲ, ଦଶମନ୍ତପୁର ବ୍ଲକର ୫୯ଜଣ ଚାଷୀଙ୍କ ୨୮୮୫କୁଇଣ୍ଟାଲ, ଲକ୍ଷ୍ମୀପୁର ବ୍ଲକର ୬୫ଜଣ ଚାଷୀଙ୍କ ର ୨୯୩୦କୁଇଣ୍ଟାଲ, ନାରାୟଣପାଟଣା ବ୍ଲକରେ ୨୨୬ଜଣ ଚାଷୀଙ୍କର ୧୨ହଜାର ୬୩କୁଇଣ୍ଟାଲ, ବନ୍ଧୁଗାଁ ବ୍ଲକର ୧୨୨ଜଣ ଚାଷୀଙ୍କର ୬୬୬୨କୁଇଣ୍ଟାଲ, ପଟାଙ୍ଗୀ ବ୍ଲକରେ ୨୦ଜଣ ଚାଷୀଙ୍କର ୧୧୨୬କୁଇଣ୍ଟାଲ, ନନ୍ଦପୁର ବ୍ଲକର ୫୮ଜଣ ଚାଷୀଙ୍କ ୨୭୦୬କୁଇଣ୍ଟାଲ ଧାନ ଗଚ୍ଛିତ ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।

ରାଜ୍ୟସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଜିଲ୍ଲା ଯୋଗାଣ ଅଧିକାରୀ ଓ ଜିଲ୍ଲାପାଳ ଏହି ରିପୋର୍ଟ ଦାଖଲ କରିଛନ୍ତି। ଆସନ୍ତାକାଲି ସବୁ ବ୍ଲକର ମଣ୍ଡି ସହ ଚାଷୀଙ୍କ ନାଁ ଆଦି ସଂପୁର୍ଣ୍ଣ ବିବରଣୀ ବି ଦାଖଲ କରାଯିବ ବୋଲି କହିଛନ୍ତି। ମଣ୍ଡିରେ ୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ ଧାନ ପଡ଼ି ରହିଥିବା ବେଳେ ରାଜ୍ୟ ସରକାର ଗତ କାଲି କୁଆଡେ ୭୬ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ପଠାଇଥିଲେ। ତେବେ ସ୍ବତନ୍ତ୍ର ଦଳ ଯାଂଚ ପ୍ରକ୍ରିୟା ଚାଳୁଥିବା ଏବଂ ଏତେ କମ୍ ପରିମାଣର ଟାର୍ଗେଟ ଦେଇ ପ୍ରଶାସନ ହରଡ଼ଘଣାରେ ପଡ଼ିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଏହାକୁ ମଣ୍ଡି ଗୁଡିକୁ ବିତରଣ କରାଯାଇନି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।

ସମ୍ବନ୍ଧିତ ଖବର