ପୋଲ ତଳକୁ ଖସି ଓଲଟିଲା ଚାଉଳ ବୋଝେଇ ଟ୍ରକ, ଡ୍ରାଇଭର ସୁରକ୍ଷିତ 

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ପଦ୍ମପୁର ଅଭିମୁଖେ ଯାଇଥିବା ରାସ୍ତାରେ ଥିବା ଝୁଲେନବର ଗ୍ରାମ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ପଡିଥିବା ଜଣାପଡିଛି। ଟ୍ରକ ଚାଳକ ସୁରକ୍ଷିତ ଥିବା ଜଣାପଡିଛି। ଛତିଶଗଡର ବସନା ଠାରେ ଥିବା ବିନାୟକ ରାଇସ ମିଲରୁ ଏକ ଟ୍ରକ (ସିଜି ୨୨ ପି ୩୨୪୬)ରେ ୩୦ ଟନ୍ ଚାଉଳ ବୋଝେଇ କରି ପାଟଣାଗଡ଼ ଦେଇ ବିଶାଖାପାଟଣାକୁ ଯାଉଥିଲା।

ତେବେ ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଥିବା ଝୁଲେନବର ଗ୍ରାମ ନିକଟରେ ଥିବା ଏକ ଛୋଟିଆ ପୋଲ ତଳକୁ ଟ୍ରକଟି ଖସିପଡିଥିଲା। ଫଳରେ ଟ୍ରକ୍‌ଟି ଓଲଟି ଯାଇ ଚାଉଳ ବସ୍ତା ସବୁ ପଡି ଯାଇଥିବା ଜଣାପଡିଛି। ଖବର ପାଇ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଏଥିରେ ଟ୍ରକ ଚାଳକ ଛତିଶଗଡ ବରୋଡାରେ ରହୁଥିବା ନନ୍ଦ କୁମାର ସାହୁ ବର୍ତ୍ତି ଯାଇଥିବା ଜଣାପଡିଛି। ତାଙ୍କର କୌଣସି କ୍ଷତି ଘଟି ନ ଥିବା ଜଣାପଡିଛି। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାଯାଇଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଟ୍ରକ୍‌ଟି ଉଦ୍ଧାର କରାଯାଇପାରି ନାହିଁ।

ସମ୍ବନ୍ଧିତ ଖବର