ନବରଙ୍ଗପୁର: ହାଟପଦା ସାହିରେ ପକ୍କା ରାସ୍ତା ନିର୍ମାଣ ଦାବି

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ସଦର ଡଙ୍ଗରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ହାଟପଦା ତଳ ସାହିର ରାସ୍ତା ମରଣଯନ୍ତା ପାଲଟିଛି। ଦୀର୍ଘ ଦିନ ହେଲା ସାହି ବାସିନ୍ଦା ଏ ନେଇ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଗୁହାରି କରୁଥିଲେ ସୁଦ୍ଧା ଅଦ୍ୟାବଧି ପକ୍କା ରାସ୍ତା ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ତଳସାହି ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଯାତାୟତ ଯୋଗାଇଦେବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ ଜନସାଧାରଣଙ୍କ ମୌଳିକ ସୁବିଧାକୁ ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ଜନ ପ୍ରତିନିଧି ଗୁରୁତ୍ୱ ଦେଇ ନ ଥିବାରୁ ସରକାରଙ୍କ ଲକ୍ଷ ଓ ଉଦ୍ଦେଶ୍ୟ ପ୍ରତିଫଳିତ ହୋଇପାରୁ ନାହିଁ।

ଡାବୁଗାଁ ଡଙ୍ଗରିଗୁଡ଼ା ପଞ୍ଚାୟତର ହାଟପଦା ତଳସାହିରେ ୬୦ ପରିବାର ବସବାସ କରିଥାନ୍ତି। ସାପ୍ତାହିକ ବଜାର ବସୁଥିବା ହାଟପଦା ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ପୂର୍ବରୁ ନିର୍ମାଣ ସରିଥିବା ବେଳେ ତଳସାହିକୁ ୧୬୦ ମିଟର ରାସ୍ତା କିନ୍ତୁ ନିର୍ମାଣ ହୋଇପାରି ନାହିଁ। କାଦୁଅ ପୂର୍ଣ୍ଣ ରାସ୍ତା ଦେଇ ପ୍ରତିଦିନ ଅଙ୍ଗନୱାଡ଼ି ଶିଶୁ, ସ୍କୁଲ ପଡୁଥିବା ଛାତ୍ରଛାତ୍ରୀ, ତଥା ରୋଗୀମାନଙ୍କୁ ପ୍ରତିଦିନ ଯାତାୟାତ କରିବାକୁ ପଡୁଛି। ଏହି ମାଟି ରାସ୍ତାଟି ପାଖ ଭରତଗୁଡ଼ାକୁ ସଂଯୋଗ କରୁଥିବାରୁ ଏହି ରାସ୍ତା ଦେଇ ପ୍ରତି ସାପ୍ତାହିକ ହାଟରେ ଗୋରୁମାନେ ଶହଶହ ସଂଖ୍ୟାରେ ଚଳପ୍ରଚଳ କରୁଥିବା ଯୋଗୁଁ ମାଟି ରାସ୍ତାଟି ଅଧିକ କାଦୁଅ ହୋଇ ପଡ଼ୁଛି।

ପ୍ରତିଦିନ ଏହି କାଦୁଅ ରାସ୍ତାରେ ଯାତାୟାତ କରୁଥିବା ସମୟରେ ଶିଶୁମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖା ଦେଉଛି। ବ୍ଲକ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ୬୦ ପରିବାର ରହୁଥିବା ହାଟ ପଦାର ତଳ ସାହିକୁ ପକ୍କା ରାସ୍ତା ନିର୍ମାଣ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ତଳ ସାହିର କିଶୋର ବେହେରା, ଗାୟତ୍ରୀ ଜେନା, ସୁବାସ ହରିଜନ, ସନାଇ ଜାନି, ହରି ଜାନି, ବିଦେଶୀ ମାଳି, ରବି ରାଉତ, ଡେବରି ଜାନି, ଅଶୋକ ନାୟକ ଓ କମଳା ବେହେରା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର