ବର୍ଷ ବର୍ଷର ଗୁହାରି, ଫଳ ଶୂନ, ନିତିଦିନିଆ ରାସ୍ତାରୁ ବଞ୍ଚିତ ୭୦ ପରିବାର

ଆଳି: ସବୁ ଗାଁ, ସବୁ ପଡାକୁ  ସବୁଦିନିଆ ରାସ୍ତା ନିର୍ମାଣ କରାଯାଉଛି। ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଥାକଥାକ ଯୋଜନା କରୁଛନ୍ତି। କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆଳି ବ୍ଲକ୍‌ ମାଣିକପାଟଣା ପଞ୍ଚାୟତରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଠାରେ ସରକାରଙ୍କ ଯୋଜନା ଫେଲ୍ ମାରିଛି। ମାଣିକପାଟଣା ପଞ୍ଚାୟତ ଅଧୀନ ୧୩ ନମ୍ବର ଓ୍ବାର୍ଡ ବାଲିଉପରପଡ଼ାର ଅଧିବାସୀ ସବୁଦିନିଆ ରାସ୍ତା ଖଣ୍ଡେରୁ ବଞ୍ଚିତ ହୋଇ ରହିଛନ୍ତି। ସରପଞ୍ଚ, ଲୋକ ପ୍ରତିନିଧି, ପ୍ରଶାସନ ନିକଟରେ ଗୁହାରି କରି ଥକି ପଡ଼ିଲେଣି ସେମାନେ। ସେମାନଙ୍କ ଦୁଃଖ ଶୁଣିବାକୁ କେହି ନାହିଁ। ନିତିଦିନିଆ ରାସ୍ତା ଅଭାବରୁ ବାଲିଉପରପଡାର ୭୦ ପରିବାରର ୬୦୦ରୁ ଅଧିକ ବାସିନ୍ଦା ଭୋଗୁଛନ୍ତି ନାହିଁ ନ ଥିବା ଦୁର୍ଦ୍ଦଶା। ବର୍ଷକ ବାର ମାସ ସମସ୍ୟାରେ ପଡୁଥିବା ଏହି ପଡାବାସୀଙ୍କ ବର୍ଷା ୪ ମାସର ଦୁଃଖ ସତରେ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ। ବାଲିଉପର ପଡାବାସୀଙ୍କ ବର୍ଷବର୍ଷର ଦାବି ପରେ ମଧ୍ୟ ଏହି ରାସ୍ତା ନିର୍ମାଣ ହେଉ ନ ଥିବାରୁ ସ୍ଥାନୀୟ ଲୋକେ ପାଦଚଲା ଗୋହିର ରାସ୍ତାକୁ କବ୍‌ଜା କରି ଚାଲିଛନ୍ତି।

ଫଳରେ ଏହି ସଂକୀର୍ଣ୍ଣ ଗୋହିରରେ ଯାନବାହନ ଚଳାଚଳ ହୋଇ ପାରୁନାହିଁ। ବର୍ଷା ଦିନେ ଗୋହିର ବୁଡ଼ି ରହୁଛି। କେଉଁଠି ଆଣ୍ଠୁଏ ପାଣି ତ’ ପୁଣି କେଉଁଠି କାଦୁଅ ସରସର। ଏଥିଯୋଗୁଁ ପିଲା ସ୍କୁଲ ଯାଇ ପାରୁ ନାହାନ୍ତି। ସଂକଟାପନ୍ନ ରୋଗୀ, ଗର୍ଭବତୀଙ୍କୁ ଜରୁରୀ ଚିକିତ୍ସା ନିମନ୍ତେ ନେବା ପାଇଁ ଚାରିଚକିଆ ଯାନ, ଆମ୍ବୁଲାନ୍ସ ଯିବା ଏଠାରେ ସ୍ବପ୍ନ। ସେମାନଙ୍କୁ ଶିକା ଭାରରେ ବୋହିବାକୁ ପଡ଼ୁଛି। ବର୍ଷା ଦିନେ ୭୦ ପରିବାର ଦିନରେ ଘରୁ ବାହାରି ପାରୁ ନାହାନ୍ତି। ରାତିରେ ଗୋହିର ପାଣିରେ ସାପ ଭୟ। ସବୁ ଦିନିଆ ରାସ୍ତା ସେମାନଙ୍କ ପାଇଁ ସ୍ବପ୍ନ ପାଲଟିଛି ବୋଲି କ୍ଷୋଭର ସହିତ କହିଛନ୍ତି ବାଲିଉପରପଡାର ଅଧିବାସୀ। ଦେଖିବାକୁ ରହିଲା କେବେ ପୂରଣ ହେଉଛି ସେମାନଙ୍କ ସ୍ବପ୍ନ? କେବେ ପାଉଛନ୍ତି ସବୁ ଦିନିଆ ରାସ୍ତା?

ସମ୍ବନ୍ଧିତ ଖବର