ଦିନ ଦ୍ବିପହରରେ ବାଇକରୁ ୯୪ ହଜାର ଟଙ୍କା ଚୋରି ଅଭି‌‌ଯୋଗ, ଭତ୍ତା ବାଣ୍ଟିଥାନ୍ତେ ଯୋଗାଣ ସହାୟକ

ନବରଙ୍ଗପୁର: ଟିକିଏ ଅସବାଧନତା ଯାଗୁଁ ଗାଡ଼ିରେ ଲାଗିଥିବା ଭତ୍ତା ଟଙ୍କା ଥିବା ବ୍ୟାଗ ଗାଏବ। ନବରଙ୍ଗପୁର ସହରରେ ଦିନ ଦିପହରରେ ଏଭଳି ଚୋରି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଗୌଡ଼ ଦେଓପାଲି ପଞ୍ଚାୟତର ଯୋଗାଣ ସହାୟକ ଅନୀଲ କୁମାର ହରିଜନ ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମାସ୍ଥିତ ଆକ୍ସିସ ବ୍ୟାଙ୍କ ଶାଖାରୁ ଲୋକଙ୍କ ଭତ୍ତା ବାବଦର ୯୪ହଜାର ୧୦୦ ଟଙ୍କା ଉଠେଇ ତାଙ୍କ ଜଣେ ସମ୍ପର୍କୀୟଙ୍କ ସହିତ ବାଇକ ଯୋଗେ ଯାଉଥିବା ବେଳେ ତାଙ୍କ ବାଇକର ଚକା ପମ୍ପଚର ହେଇଥିବା ଜାଣିବାକୁ ପାଇଥିଲେ। ଚକା ମରାମତି କରିବା ପାଇଁ ସେ ଚାଉଁରିଆଗୁଡ଼ାର ଏକ ଟାୟାର ଦୋକାନକୁ ଯାଇ ମରାମତି ପାଇଁ କହିଥିଲେ।

ଠିକ ଏତିକି ବେଳେ ତାଙ୍କ ପାଖକୁ ଏକ ଫୋନ କଲ ଆସିଥିଲା। ସେ ଫୋନ୍‌ରେ କଥା ହେଇ ଟଙ୍କା ବ୍ୟାଗ୍‌କୁ ବାଇକ୍‌ର ହ୍ୟାଣ୍ଡେଲରେ ଟାଙ୍ଗି ଦେଇ କିଛି ପାଦ ଆଗକୁ ଚାଲିଗଲେ। ପ୍ରାୟ ୫ ମିନିଟ କଥା ହେଇ ବାଇକ ପାଖକୁ ଆସିବା ବେଳେ ସେ ଟାଙ୍ଗି ଥିବା ଟଙ୍କା ବ୍ୟାଗ ନଥିବା ଦେଖିବାକୁ ପାଇଥିଲେ। କେହି ଦୁର୍ବୁତ୍ତ ଟଙ୍କା ବ୍ୟାଗ ଟିକୁ ଚୋରି କରି ନେଇଯାଇଥିଲେ। ଏନେଇ ସେ ତୁରନ୍ତ ନବରଙ୍ଗପୁର ଟାଉନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସେ ଛୋଟ କର୍ମଚାରୀ ହୋଇଥିବାରୁ କିଭଳି ସରକାରଙ୍କ ଭତ୍ତା ଟଙ୍କା ପଞ୍ଚାୟତବାସୀଙ୍କୁ ଦେବେ ତାହା ଚିନ୍ତିତ ଥିବା କହିଛନ୍ତି ଅନିଲ।

ସମ୍ବନ୍ଧିତ ଖବର