ବରେଇପାଲିରେ ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକେ: ଯାତାୟାତ ବାଧାପ୍ରାପ୍ତ

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ଅଧୀନ ବରେଇପାଲିଠାରେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଅବରୋଧ କରିଥିଲେ। ଜଣେ ବ୍ୟକ୍ତି ଜେଏମ୍‌ଜେ ହସ୍ପିଟାଲ ନିକଟରେ ଧୋବିଜୋର ନାଳକୁ ମାଟି ପକାଇ ବନ୍ଦ କରିଦେଇଛି। ଏହାଫଳରେ ଅନେକ ସମୟରେ କୃତ୍ରିମ ବନ୍ୟା ଭଳି ସ୍ଥିତି ସୃଷ୍ଟି ହେଉଛି। ଏହି କାରଣରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ଵାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ।

ପ୍ରଶାସନ କିଛି ନ ଶୁଣିବାରୁ ବାଧ୍ୟହୋଇ ସ୍ଥାନୀୟ ଲୋକେ ଶୁକ୍ରବାର ସକାଳ ୯ଟା ୩୦ରୁ ୫୩ ନମ୍ବର ଜାତୀୟ ରାଜପଥକୁ ଶତାଧିକ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ। ବିକେପି ଜିଲ୍ଲା ସଭାପତି ଗିରିଶ ପଟେଲ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସମର୍ଥନ ଜଣାଇବା ସହ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। ପୁଲିସ ଓ ପ୍ରଶାସନର ଅଧିକାରୀମାନେ ଲୋକଙ୍କୁ ବୁଝାସୁଝା କରିଥିଲେ। ନାଳକୁ ଅବରୋଧ କରିଥିବା ବ୍ୟକ୍ତି ସେହି ସ୍ଥାନରେ ସମସ୍ୟାର ସମାଧାନ ନହେବା ଯାଏ କୌଣସି କାମ କରିବ ନାହିଁ ବୋଲି ପ୍ରତିଶ୍ରୁତି ମିଳିବା ପରେ ଦିନ ପ୍ରାୟ  ସାଢେ ୧୨ଟା ବେଳେ ସ୍ଥାନୀୟ ଲୋକେ ଆନ୍ଦୋଳନରୁ ଓହରିଥିଲେ।

ସମ୍ବନ୍ଧିତ ଖବର