ନାଉଗାଁରେ ବାଲି ଦର ଅମୂଲ ମୂଲ…ସୈରାତ୍‌ରୁ କେବେ ଉତ୍ତୋଳନ ହେବ ବାଲି?

ନିଆଳିରୁ ଆସି ନାଉଗାଁରେ ଚଢ଼ାଦରରେ ବିକ୍ରି ହେଉଛି

ନାଉଗାଁ: ନାଉଗାଁ ବ୍ଲକ୍‌ରେ ୬ଟି ବାଲି ସୈରାତ୍‌ ଅଛି। ଏହାସତ୍ତ୍ବେ ନାଉଗାଁ ଅଞ୍ଚଳର ଲୋକମାନେ ଅନ୍ୟ ବ୍ଲକ୍‌ରୁ ଢେର୍‌ ଅଧିକ ଦାମ୍‌ରେ ବାଲି କିଣୁଛନ୍ତି। ସ୍ଥିତି ଏପରି ହୋଇଛି ଯେ ସୁନା ଗ୍ରାମ୍‌ର ଦର୍‌ଠୁ ଅଧିକ ଦରରେ ବାଲି ଟ୍ରିପ୍‌ କିଣିବାକୁ ପଡୁଛି। ବାଲି ମାଫିଆଙ୍କ ପାଟିକୁ ଯାହା ଦର ଆସିଲା ସେଇ ଦର ଦେବାକୁ ଲୋକମାନେ ବାଧ୍ୟ ହେଉଛନ୍ତି। ଏହାର କାରଣ ହେଲା ନାଉଗାଁ ତହସିଲ୍‌ ଅଧୀନରେ ଥିବା ଅନେକ ବାଲି ସୈରାତ୍‌ ବିଭିନ୍ନ କାରଣ ପାଇଁ ନିଲାମ ହୋଇପାରି ନାହିଁ। ନାନା କାରଣରୁ ଅନେକ ସୈରାତ୍‌ରୁ ବାଲି ଉଠାଣକୁ ନିଷେଧ କରାଯାଇଛି। ଫଳରେ ନିଆଳି ତହସିଲ୍‌ ଅଧୀନ ବାଲି ସୈରାତ୍‌ରୁ ବାଲି ଆସି ନାଉଗାଁ ବ୍ଲକ୍‌ରେ ଚଢ଼ାଦରରେ ବିକ୍ରି ହେଉଛି। ଦେବୀ ନଦୀ ବନ୍ଧ ରାସ୍ତାରେ ବ୍ୟାପକ ମାତ୍ରାରେ ବାଲି ବୋଝେଇ ହାଇଵା ଗାଡ଼ି ଶିଖରଘାଟ ବ୍ରିଜ୍‌ ଦେଇ ନାଉଗାଁ ବ୍ଲକ୍‌କୁ ଆସୁଛି। ଫଳରେ ଦେବୀନଦୀ ବନ୍ଧ ଦୁର୍ବଳ ହେବା ସହ ବନ୍ଧ ରାସ୍ତା ମରଣଯନ୍ତା ପାଲଟିଛି। ଏଭଳି ସ୍ଥିତିରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ସୂଚନାନୁସାରେ, ନାଉଗାଁ ତହସିଲ୍‌ ଅଧୀନ ଦେବୀ ନଦୀର ଏରଡ଼ା, ଗଳଧାରୀ, ଅରଖକୁଦ, ଅଲଣା-୨, ବଛାଳୋ ଓ ଶିଖର ମୋଟ୍‌ ୬ଟି ବାଲି ସୈରାତ୍‌କୁ ୨୦୨୦ ମସିହା ଡିସେମ୍ବର ୧୬ ତାରିଖରେ ୫ବର୍ଷ ପାଇଁ ନିଲାମ କରାଯାଇଥିଲା। ଏହି ସୈରାତ୍‌ଗୁଡ଼ିକ ମଧ୍ୟରୁ ଏରଡ଼ା ଓ ଶିଖର ସୈରାତ୍‌ ନିଲାମ କୌଣସି କାରଣରୁ ଖାରଜ ହୋଇଥିଲା। ଫଳରେ ୨୦୨୧ ମସିହା ଅଗଷ୍ଟ ୨୫ ତାରିଖରେ ପୁନର୍ବାର ନିଲାମ କରାଯାଇଥିଲା।

ତେବେ ନିଲାମଧାରୀମାନେ ଚୁକ୍ତି ଅନୁସାରେ ସେମାନଙ୍କ ରାଜସ୍ବ ଟଙ୍କା ସ୍ଥାନୀୟ ନାଉଗାଁ ତହସିଲ୍‌ରେ ପୈଠ କରୁନାହାନ୍ତି। ଫଳରେ ନିଲାମଧାରୀଙ୍କୁ ବାଲି ସୈରାତ୍‌ରୁ ବାଲି ଉତ୍ତୋଳନ କରିବାକୁ ୱାଇ ଫର୍ମ ପ୍ରଦାନ କରାଯାଉ ନାହିଁ। ଅନ୍ୟପଟେ ଦେବୀ ନଦୀର ଏରଡ଼ା ଠାରୁ ମାତ୍ର କିଛି ଦୂରରେ ଥିବା କଟକ ଜିଲ୍ଲା ନିଆଳି ତହସିଲ୍‌ ଅଧୀନ ୨ଟି ବାଲି ସୈରାତ୍‌ରୁ ବ୍ୟାପକ ମାତ୍ରାରେ ବାଲି ଉତ୍ତୋଳନ କରାଯାଉଛି। ଏହି ସ୍ଥାନରୁ ବାଲି ଉଠାଣ ହୋଇ ନାଉଗାଁ ବ୍ଲକ୍‌ରେ ଚଢ଼ା ଦରରେ ବିକ୍ରି ହେଉଛି। ନିର୍ମାଣ କାମ ପାଇଁ ବାଲି ଏବେ ସମସ୍ୟା ହୋଇ ଛିଡ଼ାହୋଇଛି। ପୂର୍ବରୁ ବାଲି ଟ୍ରିପ୍‌କୁ ୪ରୁ ୫ ହଜାର ଟଙ୍କା ମଧ୍ୟରେ ଲୋକମାନେ କିଣୁଥିଲା ବେଳେ ବର୍ତ୍ତମାନ ୮ହଜାରରୁ ଅଧିକ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି। ଏହି ବ୍ଲକ୍‌ରେ ୬ଟି ବାଲି ସୈରାତ୍‌ ରହିଥିଲେ ମଧ୍ୟ ବିଭାଗୀୟ ଅବହେଳା କାରଣରୁ ସେଗୁଡ଼ିକରୁ ଏବେ ବାଲି ଉତ୍ତୋଳନ ବନ୍ଦ ରହିଛି। ତେଣୁ ନାଉଗାଁ ବ୍ଲକ୍‌ର ଜନସାଧାରଣ ଅନ୍ୟ ଜିଲ୍ଲା ତଥା ଅନ୍ୟ ତହସିଲ୍‌ ଅଧୀନରେ ଥିବା ବାଲି ସୈରାତ୍‌ରୁ ଢେର୍‌ ଅଧିକ ଟଙ୍କାରେ ବାଲି କିଣିବାକୁ ବାଧ୍ୟ ହେଉଛନ୍ତି। ଏଥିସହିତ ବ୍ଲକ୍‌ର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନୀ ହେବା ସହ ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ପଚାରିବାରୁ; ସେ କିଛି ଉତ୍ତର ଦେଇନଥିଲେ। ଉପ-ଜିଲ୍ଲପାଳଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ। ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ନଦୀ ବନ୍ଧର ସୁରକ୍ଷା ସହିତ ନାଉଗାଁ ଅଞ୍ଚଳରେ ଥିବା ବାଲି ସୈରାତ୍‌ରୁ ବାଲି ଉତ୍ତୋଳନ ପାଇଁ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନାଉଗାଁ ଅଞ୍ଚଳର ସଚେତନ ନାଗରିକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର