ଏମ୍ସ ପାଇଁ ସମଲେଶ୍ବରୀ ମନ୍ଦିରରେ ଦସ୍ତଖତ ଅଭିଯାନ

ସୁନ୍ଦରଗଡ଼: ସୁନ୍ଦରଗଡ଼ଠାରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ସମ୍ବଲପୁରରେ ସ୍ବର ତେଜିବାରେ ଲାଗିଛି। ପୂର୍ବରୁ ବିଭିନ୍ନ ନାଗରିକ ସଂଗଠନ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଓ ସ୍ମାରକପତ୍ର ଦେଇଥିବା ବେଳେ ମଙ୍ଗଳବାର ସମ୍ବଲପୁର ସମଲେଶ୍ବରୀ ମନ୍ଦିରଠାରେ ବିଭିନ୍ନ ନାଗରିକ ସଂଗଠନ ପକ୍ଷରୁ ଏହା ସପକ୍ଷରେ ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇଥିଲା। ଏଥିରେ ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ସମେତ ବହୁ ଲୋକ ଦସ୍ତଖତ କରି ସୁନ୍ଦରଗଡ଼ରେ ଏମ୍ସ ସ୍ଥାପନ ପାଇଁ ଦାବି କରିଥିଲେ। ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ୨୦୨୦ ନଭେମ୍ବରରେ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେବା ଓ ୨୦୨୧ ମାର୍ଚ୍ଚ ଶେଷ ସପ୍ତାହରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ତତ୍କାଳୀନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଥିଲେ।

ଏହା ପରେ ଅପ୍ରେଲ ୩ରେ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବତମାନାବାନେଙ୍କ ନେତୃତ୍ବରେ ୯ ଜଣିଆ କେନ୍ଦ୍ର ବୈଷୟିକ ଟିମ୍ ସୁନ୍ଦରଗଡ଼ ଆସି ସୁନ୍ଦରଗଡ଼ ଶଙ୍କରାରେ ନବନିର୍ମିତ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଭିତ୍ତିଭୂମିର ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ। କିନ୍ତୁ ଏଯାଏଁ କେନ୍ଦ୍ର ଏ ସମ୍ପର୍କରେ ନିରବ ଥିବାବେଳେ ରାଜ୍ୟ ସରକାର ଏମ୍ସ ପାଇଁ ଚାପ ପକାଇବା ବଦଳରେ ଚଳିତ ବର୍ଷରୁ ମେଡିକାଲ କଲେଜ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଯାହାକୁ ନେଇ ସୁନ୍ଦରଗଡ଼ ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାରେ ଏମ୍ସ ପ୍ରତିଷ୍ଠା ନକରିବାକୁ ଏକ ପ୍ରକାର ମସୁଧା ଚଲାଇଥିବା ଅଭିଯୋଗ କରି ଅଞ୍ଚଳବାସୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହିକ୍ରମରେ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ ସୁନ୍ଦରଗଡ଼ ଓ ସମ୍ବଲପୁରରୁ ସ୍ବର ଅଧିକ ତୀବ୍ର ହେବାରେ ଲାଗିଛି।

ସମ୍ବନ୍ଧିତ ଖବର