୧୬ ନଂ ଜାତୀୟ ରାଜପଥରେ ଲାଗିବ ବେଗ-ଶିକାର ଯନ୍ତ୍ର

ଖୋର୍ଦ୍ଧା: ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତାହତରେ ଖୋର୍ଦ୍ଧା ଜିଲ୍ଲାର ସ୍ଥାନ ସବୁଠାରୁ ଆଗରେ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ଘଟୁଥିବା ମୋଟ୍‌ ସଡ଼କ ଦୁର୍ଘଟଣା ଗୁଡ଼ିକରୁ ସର୍ବାଧିକ ଦୁର୍ଘଟଣା ୧୬ ନମ୍ବର ଜାତୀୟ ରାଜପଥରେ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସଡ଼କ ପରିବହନ ବିଭାଗ ଜାତୀୟ ରାଜପଥରେ ଭ୍ରାମ୍ୟମାଣ ବେଗ-ଶିକାର ଯନ୍ତ୍ର (ସ୍ପିଡ୍ ହଣ୍ଟର) ବା ସ୍ୱୟଂକ୍ରିୟ ନମ୍ବର ପ୍ଲେଟ୍ ଚିହ୍ନଟ ଯନ୍ତ୍ର ଲଗାଇବାକୁ ଯୋଜନା କରିଛି। ୧୬ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ହେବା ପୂର୍ବରୁ ରାଜପଥରେ ଦୁର୍ଘଟଣା ରୋକିବାକୁ ଏକ ଦୀର୍ଘ ବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ ହୋଇଥିଲା।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ଜୁଲାଇରେ ଏନେଇ ସୂଚନା ଦିଆଯାଇ କୁହାଯାଇଥିଲା ଯେ, ରାଜ୍ୟରେ ପ୍ରଥମ ଥର ପାଇଁ ଗାଡ଼ିର ବେଗ ଅନୁସାରେ ରାଜପଥର ଲେନ୍ ନିର୍ଦ୍ଧାରଣ କରାଯିବ। ଅର୍ଥାତ୍ ମୋଟରସାଇକେଲ, ମୋପେଡ୍ ଆଦି ପାଇଁ ଅଲଗା ଲେନ୍, ଟ୍ରକ୍ ଆଦି ଭାରୀଯାନ ଓ ବସ୍-କାର୍ ଆଦି ଯାତ୍ରୀବାହୀ ଯାନ ପାଇଁ ଭିନ୍ନଭିନ୍ନ ଲେନ୍‌ର ବ୍ୟବସ୍ଥା କରାଯିବ। ଏହାସହ ଡ୍ରୋନ୍ ମାଧ୍ୟମରେ ଗାଡ଼ି ଗୁଡ଼ିକର ଗତିବିଧି ଯାଞ୍ଚ ଆଦିର ମଧ୍ୟ ବ୍ୟବସ୍ଥା ହୋଇଥିଲା। ପ୍ରଥମଥର ପାଇଁ ଭୁବନେଶ୍ୱର କମିଶନରେଟ୍ ପୁଲିସ ୨୦୧୯ରେ ଡ୍ରୋନ୍ ଦ୍ୱାରା ଏଜି ଛକ, ରବୀନ୍ଦ୍ର ମଣ୍ଡପ ରାସ୍ତା ଉପରେ ଡ୍ରୋନ୍ ବ୍ୟବହାର କରିଥିଲା। କିନ୍ତୁ ପରେ ଏହା ନୟନ୍ତ୍ରଣ କରିବାରେ ସମସ୍ୟା ହେବାରୁ ପ୍ରତ୍ୟାହାର କରିଦିଆଯାଇଥିଲା। ବର୍ତ୍ତମାନ ସଡ଼କ ପରିବହନ ବିଭାଗ (ଆର୍ଟିଓ-୧) ପକ୍ଷରୁ ଜାତୀୟ ରାଜପଥରେ ବେଗ-ଶିକାର ଯନ୍ତ୍ର ଲଗାଇବାକୁ ଯୋଜନା କରାଯାଇଛି। ଏହି ଯୋଜନାନୁସାରେ, ୧୬ ନମ୍ବର ଜାତୀୟ ରାଜପଥରେ ୧୩୮ଟି ବେଗ-ଶିକାର ଯନ୍ତ୍ର (ସ୍ୱୟଂକ୍ରିୟ ନମ୍ବର ପ୍ଲେଟ୍ ଚିହ୍ନଟ ଯନ୍ତ୍ର) ଲାଗିବ। ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି ଯୋଜନା କାର୍ଯ୍ୟକ୍ଷମ ହେବ। ଖୋର୍ଦ୍ଧା ଗ୍ରାମାଞ୍ଚଳ ସୀମାରେ ଏଭଳି ୧୦ଟି ଯନ୍ତ୍ର ଲଗାଇବାକୁ ଯୋଜନା ହୋଇଥିବା ଜଣାଯାଇଛି। ଏହି ଯନ୍ତ୍ର ପାଇଁ ସ୍ୱତନ୍ତ୍ର ପୁଲିସ୍ ଅଧିକାରୀ ନିଯୁକ୍ତ ହେବେ ସେମାନେ ଜାତୀୟ ରାଜପଥରେ ଏହି ଯନ୍ତ୍ର ସ୍ଥାପନ କରିବେ। ଯେଉଁ ମୋଟରଯାନ ଆଦି ନିର୍ଦ୍ଧାରିତ ବେଗ ଠାରୁ ଅଧିକ ବେଗରେ ଯାଉଥିବ, ଯନ୍ତ୍ରଟି ସ୍ୱଂୟକ୍ରିୟ ଭାବେ ଯାନର ଫଟୋ ଉଠାଇବ।

ଏହା ଅନୁସାରେ ସମ୍ପୃକ୍ତ ଗାଡ଼ି ମାଲିକ ବିରୋଧରେ ଚାଲାଣ ଓ ଆଇନଗତ ପଦକ୍ଷେପ ନିଆଯିବ। ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରାଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ସେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ଶୁଣିଛନ୍ତି, କିନ୍ତୁ ଏଯାଏଁ ବିଧିବଦ୍ଧଭାବେ କୌଣସି ସୂଚନା ତାଙ୍କ ନିକଟକୁ ଆସିନାହିଁ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ, ବର୍ତ୍ତମାନ ୩ଟି ସ୍ୱତନ୍ତ୍ର ରାଜପଥ ପାଟ୍ରୋଲିଂ ଗାଡ଼ି ସହ ୯ଜଣ ସ୍ୱତନ୍ତ୍ର ପୁଲିସ ଅଫିସର ନିଯୁକ୍ତ ହୋଇଛନ୍ତି। ବେଗ-ଶିକାର ଯନ୍ତ୍ର ନେଇ ଖୋର୍ଦ୍ଧା ମୋଟର ଯାନ ନିରୀକ୍ଷକଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଏହି ଯୋଜନା ସଡ଼କ ପରିବହନ ବିଭାଗ (ଆର୍ଟିଓ-୧) ପକ୍ଷରୁ ରାଜପଥରେ କରାଯାଉଛି। ଏଣୁ ସେ ଏନେଇ ବିଶେଷ ଭାବେ ଜାଣନ୍ତି ନାହିଁ, ତେବେ ବର୍ତ୍ତମାନ ଏହାର ପରୀକ୍ଷା କରାଯାଉଛି, ଆଗାମୀ ଦିନରେ ରାଜପଥରେ ଏହାକୁ ଲଗାଯିବ।

ସମ୍ବନ୍ଧିତ ଖବର