ଘୁ.ଉଦୟଗିରି ଉପଖଣ୍ଡ ଘୋଷଣା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ୨୪ଘଣ୍ଟିଆ ବନ୍ଦ ଡାକରା ସଫଳ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିକୁ ଉପଖଣ୍ଡ ଘୋଷଣା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୨୪ଘଣ୍ଟିଆ ଘୁ.ଉଦୟଗିରି ବନ୍ଦ ଡାକରା ଦିଆଯାଇଥିବା ବେଳେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ଫଳରେ ସାରା ଅଞ୍ଚଳରେ ଜୀବନଯାତ୍ରା ଠପ ହୋଇଯାଇଥିଲା। କଳିଙ୍ଗାଠାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ଫଳରେ କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲା ଏବଂ ନୟାଗଡ଼ ଖୋର୍ଦ୍ଧା ଜିଲ୍ଲାକୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।ଅନ୍ୟପକ୍ଷରେ ରାସ୍ତାରେ ଯାତାୟତ କରୁଥିବା ଆମ୍ବୁଲାନ୍ସ ସେବା ଏବଂ ବିଦ୍ୟାଳୟକୁ ଯାତାୟତ କରୁଥିବା ଗାଡିଗୁଡିକ ସ୍ୱାଭାବିକ ଭାବେ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଘୁ.ଉଦୟଗିରି ସହରର ସମସ୍ତ ବ୍ୟବସାୟ ଅନୁଷ୍ଠାନ, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

ମିଳିତ କ୍ରିୟାନୁଷ୍ଠାନ କମିଟିର ସମସ୍ତ ସଭ୍ୟ ସକାଳୁ କଳିଙ୍ଗା ଏବଂ ଘୁ.ଉଦୟଗିରି ସହରରେ ବିଭିନ୍ନ ସ୍ଲୋଗାନ ଦେଇ ପିକେଟିଂ କରିବା ପରେ ଅପରାହ୍ନରେ ବହୁ ସଂଖ୍ୟାରେ ଶତାଧିକ ଅଞ୍ଚଳବାସୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ତହସିଲ କାର୍ଯ୍ୟାଳୟରେ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କ ଅନୁପସ୍ଥିତରେ ଅତିରିକ୍ତ ତହସିଲଦାର ଫାଲଗୁନି କୁମାରଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଆନ୍ଦୋଳନରେ ଘୁ.ଉଦୟଗିରି ଅଞ୍ଚଳର ୨୫ଗୋଟି ସଂଗଠନ ଏବଂ ସଙ୍ଘ ସମର୍ଥନ କରିଥିବା ବେଳେ ସମସ୍ତ ସଂଘର ସଭ୍ୟମାନେ ଏହି ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପ୍ରେସ କ୍ଳବ, କଳିଙ୍ଗା ଯୁବକ ସଙ୍ଘ, ଅନ୍ତରଙ୍ଗ, ମହିଳା ଜୀବିକା ସୁରକ୍ଷା ମଞ୍ଚ, ଭୀମ ଆର୍ମୀ ଏକତା ପରିଷଦ, ବ୍ୟବସାୟୀ ସଂଘ, ମଟର କର୍ମଚାରୀ ସଂଘ, ଡ୍ରାଇଭର ସଙ୍ଘ, ଅଟୋ ଚାଳକ ସଙ୍ଘ, ଅଟୋ ମାଲିକ ସଙ୍ଘ ଭଳି ବହୁ ସଂଗଠନର ଏକାଧିକ ସଭ୍ୟ କର୍ମକର୍ତା ଉପସ୍ଥିତ ରହିଥିଲେ। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବା ବେଳେ ଏହି ଆନ୍ଦୋଳନ କେତେ ପ୍ରଭାବ ପଡୁଛି ଦେଖିବାକୁ ବାକିରହିଥିବା ବେଳେ ଆନ୍ଦୋଳନକାରୀ ସଂଗଠନର କର୍ମକର୍ତାମାନେ ପ୍ରତିକ୍ରିୟାରେ କହିଛନ୍ତି ଦାବି ପୂରଣ ନହେଲେ ଆଗାମୀ ସାଧାରଣ ନିର୍ବାଚନରେ ଘୁ.ଉଦୟଗିରି ଅଞ୍ଚଳବାସୀ ଭୋଟରେ ଠିକ ଜବାବ ଦେବେ ।

ସମ୍ବନ୍ଧିତ ଖବର