ଅର୍ଥ ମଞ୍ଜୁର ସତ୍ବେ ନିର୍ମାଣ ହେଉନି ୧୨ ଅଙ୍ଗନବାଡି କେନ୍ଦ୍ର ଡିଏସ୍‌ଡବ୍ଲ୍ୟୁକୁ ଚିଠି ଲେଖିଲେ ବୀରମିତ୍ରପୁର ସିଡିପିଓ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁମାନଙ୍କ ଯତ୍ନ ଓ ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡି କେନ୍ଦ୍ର ସ୍ଥାପନା ନାନା ଅବ୍ୟବସ୍ଥା ମଧ୍ୟରେ ଚାଲୁଛି। କେଉଁଠି ନିଜସ୍ବ ଘର ନ ଥିବାରୁ ଘର ବାରଣ୍ଡାରେ ଓ ଖୋଲା ଆକାଶ ତଳେ ଶିଶୁମାନଙ୍କୁ ପାଠ ପଢ଼ାଯାଉଛି। ହେଲେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ବୀରମିତ୍ରପୁର ପ୍ରକଳ୍ପ ଅଧିନରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ ସତ୍ବେ ନିର୍ମାଣ ହେଉନାହିଁ। ଗୋଟିଏ କି ଦୁଇଟି ନୁହେଁ, ୧୨ଟି ଅଙ୍ଗନବାଡି କେନ୍ଦ୍ର ପାଇଁ ୨୦୧୭-୧୮ରେ ଅର୍ଥ ମଞ୍ଜୁର ହୋଇଛି। କେନ୍ଦ୍ର ପିଛା ୫ରୁ ୭ ଲକ୍ଷ ଟଙ୍କା ମିଳିଛି। ୧୨ଟିରୁ ୧୧ଟି କେନ୍ଦ୍ରର ନିର୍ମାଣ ଦାୟିତ୍ବ ପାନପୋଷ ସମନ୍ବିତ ଆଦିବାସୀ ବିକାଶ ସଂସ୍ଥା (ଆଇଟିଡିଏ)କୁ ଦିଆଯାଇଛି। ଗୋଟିଏ କେନ୍ଦ୍ର ବୀରମିତ୍ରପୁର ପୌରପାଳିକା ପଛୁଆ ଅଞ୍ଚଳ ବିକାଶ ପାଣ୍ଠି (ବିଆର୍‌ଜିଏଫ୍‌) ନିର୍ମାଣ କରିବାର ଥିଲା। ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୧୧ କେନ୍ଦ୍ର ପାଇଁ ଅର୍ଥ ମଞ୍ଜୁରୀକୁ ପ୍ରାୟ ୧୦ ମାସ, ଅନ୍ୟ ଗୋଟିଏ କେନ୍ଦ୍ରକୁ ୪ ବର୍ଷ ଶେଷ ହେବାକୁ ବସିଛି। ମାତ୍ର ଆଜି ଯାଏ ଗୋଟିଏ ହେଲେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇନାହିଁ। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଇଛି। ଏ ନେଇ ବୀରମିତ୍ରପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ( ସିଡିପିଓ) ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

ଦର୍ଶାଇଛନ୍ତି, ବୀରମିତ୍ରପୁର ୱାର୍ଡ ନଂ -୧ ଅନ୍ତର୍ଗତ ମହୁଆଟୋଲା, ଗଞ୍ଜୁପଡା, ୱାର୍ଡ ନଂ -୨ ଅନ୍ତର୍ଗତ କୋଲେ ଦଫାଇ ସ୍କୁଲ, ୱାର୍ଡ ନଂ-୩ ଅନ୍ତର୍ଗତ ସଣ୍ଡେ ୱିକ୍ଲି ମାର୍କେଟ, କବିରାଜ ଢ଼ିପା ପାଇଁ ୨୦୧୭-୧୮ ରାଜ୍ୟ ପାଣ୍ଠିରୁ ଅର୍ଥ ମଞ୍ଜୁରୀ ହୋଇଛି। ୱାର୍ଡ ନଂ -୫ର ଲାଙ୍କେଷ୍ଟର ଦଫାଇ, ୱାର୍ଡ ନଂ -୯ର ତେଲିପଡା, କବରଲା ରୋଡ, କାନ୍ତିଲାଲ ଦଫେଇ, ୱାର୍ଡ ନଂ -୧୧ର ବାଗେଟୋଲା -୧, ୱାର୍ଡ ନଂ -୧୦ର ମିନିଷ୍ଟ୍ରି ଦଫେଇ -୨ କେନ୍ଦ୍ର ନିର୍ମାଣ ରାଜ୍ୟ ଓ ୱାର୍ଡ ନଂ -୩ର ଗାନ୍ଧିରୋଡ କେନ୍ଦ୍ର ନିର୍ମାଣ ପାଇଁ ୨୦୧୩-୧୪ ଆର୍ଥିକ ବର୍ଷ ପଛୁଆ ଅଞ୍ଚଳ ବିକାଶ ପାଣ୍ଠିରୁ ଅର୍ଥ ମଞ୍ଜୁରୀ ହୋଇଥିଲା। ଏ ବିଷୟରେ ପାନପୋଷ ଉପଜିଲ୍ଲାପାଳ ତଥା ପାନପୋଷ ସମନ୍ବିତ ବିକାଶ ସଂସ୍ଥାର (ଆଇଟିଡିଏ) ପ୍ରକଳ୍ପ ପ୍ରଶାସକ ବିଶ୍ବଜିତ୍‌ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଆଇଟିଡିଏ ଦ୍ବାରା ହେବାକୁ ଥିବା କେନ୍ଦ୍ରର ନିର୍ମାଣ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ସେପଟେ ୨୦୧୩-୧୪ ବିଆର୍‌ଜିଏଫ୍‌ ପାଣ୍ଠିରୁ ମିଳିଥିବା ଅର୍ଥ ବୀରମିତ୍ରପୁର ପୌରପାଳିକାରେ ପଡି ରହିଥିଲେ ହେଁ ନିର୍ମାଣ କାମ କାହିଁକି ଆରମ୍ଭ ହେଉ ନାହିଁ ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ବୀରମିତ୍ରପୁର ପୌରପାଳିକା ଅଧିନରେ ପ୍ରାୟ ୫୦ଟି ମିନି ଅଙ୍ଗନବାଡ଼ି ଓ ଅଙ୍ଗନବାଡି କେନ୍ଦ୍ର ରହିଛି। ପାଖାପାଖି ୧୨ ହଜାର ଶିଶୁ ପଢ଼ୁଛନ୍ତି। ଅଧିକାଂଶ କେନ୍ଦ୍ରର ନିଜସ୍ବ ଗୃହ ନ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର