ନିୟମ ମାନୁନାହାନ୍ତି ବସ୍‌ମାଲିକ: ଜଣେ ଡ୍ରାଇଭରରେ ଚାଲୁଛି ନାଇଟ୍‌କୋଚ୍‌

ରାଉରକେଲା: ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାତିରେ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତାୟତ କରୁଥିବା ପ୍ରତ୍ୟେକ ନାଇଟ୍‌କୋଚ୍‌ ବସ୍‌ରେ ଦୁଇଜଣ ଲେଖାଏଁ ଡ୍ରାଇଭର ରହିବା ଆବଶ୍ୟକ। ହେଲେ ରାଉରକେଲାରୁ ରାଜ୍ୟର ପ୍ରମୁଖ ସହର ଓ ବାହାର ରାଜ୍ୟକୁ ଯାତାୟତ କରୁଥିବା ଅଧିକାଂଶ ନାଇଟ୍‌କୋଚ୍‌ ବସ୍‌ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ରାତି ଅନିଦ୍ରା ହୋଇ ଡ୍ରାଇଭରମାନେ ରାଉରକେଲାଠୁ ୪୦୦ରୁ ୬୦୦ କିମି ଦୂରରେ ଥିବା ସହରକୁ ଏକାକୀ ଗାଡ଼ି ନେଇ ଯାଉଛନ୍ତି। ୧୦ କି ୧୫ ଦିନ ନୁହେଁ, ଏମିତି ମାସ ମାସ ଧରି ବସ୍‌ ଚଳାଉଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବସ୍‌ ମାଲିକମାନେ ଏହାକୁ ପ୍ରାଥମିକତା ଦେବା ଦରକାର। କିନ୍ତୁ ଅର୍ଥ ଲୋଭରେ ବସ୍‌ ମାଲିକମାନେ ଯାତ୍ରୀଙ୍କ ସୁରକ୍ଷାକୁ ସମ୍ପୂର୍ଣ୍ଣ ଭୁଲି ଯାଉଛନ୍ତି।

ରାଉରକେଲାରୁ ବ୍ରହ୍ମପୁର, ଭୁବନେଶ୍ବର, ବାରିପଦା ଆଦି ବିଭିନ୍ନ ଦୂର ସହରକୁ ଦୈନିକ ଯାତାୟତ କରୁଥିବା କିଛି ନାଇଟ୍‌ କୋଚ୍‌ରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଅନେକ ସମୟରେ ଯାତ୍ରୀମାନେ ବସ୍‌ରେ ଜଣେ ମାତ୍ର ଡ୍ରାଇଭରଙ୍କୁ ଗାଡ଼ି ଚଳାଉଥିବା ‌ଦେଖି ପ୍ରତିବାଦ କରିଛନ୍ତି। କାହିଁକି ଦୁଇଜଣ ଡ୍ରାଇଭର ରଖୁ ନାହାନ୍ତି ବୋଲି କଣ୍ଡକ୍ଟରଙ୍କୁ ଯାତ୍ରୀମାନେ ପ୍ରଶ୍ନ କରୁଛନ୍ତି। ହେଲେ ମାଲିକମାନେ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ପରିବହନ ବିଭାଗର ଅଧିକାରୀମାନେ ଜଣେ ଲେଖାଏଁ ଡ୍ରାଇଭରରେ ଚାଲୁଥିବା ଏସବୁ ନାଇଟ୍‌କୋଚ୍‌ ବସ୍‌କୁ ଯାଞ୍ଚ କରୁନଥିବା ଯାତ୍ରୀମାନେ ଅଭିଯୋଗ କରୁଛନ୍ତି। ସହରରୁ ଦୈନିକ ବିଭିନ୍ନ ସହରକୁ ୪୦ରୁ ଅଧିକ ନାଇଟ୍‌ ବସ୍‌ ଯାତାୟତ କରୁଛି। ପ୍ରତିଦିନ ପ୍ରାୟ ୨୦୦୦ ଯାତ୍ରୀ ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି। ରାଉରକେଲାରୁ କଟକ, ଭୁବନେଶ୍ବର, ବାଲେଶ୍ବର, ବାରିପଦା, ବ୍ରହ୍ମପୁର, କୋରାପୁଟ, ରାୟଗଡ, ପାରାଦୀପ, ଜଗତସିଂହପୁର, ଯାଜପୁର, ରାଜକନିକା, ଭଦ୍ରକ, ଚାନ୍ଦବାଲି, ପୁରୀ, କାକଟପୁର, ଫୁଲବାଣୀ ଆଦି ଅଞ୍ଚଳକୁ ଏହି ନାଇଟ୍‌କୋଚ୍‌ ଗୁଡ଼ିକ ଯିବାଆସିବା କରୁଛି। ଦୈନିକ ଯେତିକ ବସ୍‌ ଯାଉଛି, ତାରକ ଏକ ତୃତୀୟାଂଶରୁ ଅଧିକ କେବଳ କଟକ ଓ ଭୁବନେଶ୍ବର ଯାଉଛି।

ଉଲ୍ଲେଖଯୋଗ୍ୟ, ବର୍ଷେ ତଳେ ଗତ ମାର୍ଚ୍ଚ ମାସରେ ଘରୋଇ ବସ୍‌ ‘ପ୍ରଭା’ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ୫ରୁ ଅଧିକ ଯାତ୍ରୀ ଗୁରୁତର ‌ହୋଇଥିଲେ। ଜଣେ ଡ୍ରାଇଭର ବସ୍‌ ଚଳାଉଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ତଦନ୍ତରୁ ଜଣାପଡ଼ିଥିଲା। ତେବେ ରାଉରକେଲାରୁ ରାଜ୍ୟର ପ୍ରମୁଖ ସହରରକୁ ରାତିରେ ଯାତାୟତ କରୁଥିବା ନାଇଟ୍‌କୋଚ୍‌ ବସ୍‌ଗୁଡ଼ିକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବାକୁ ଯାତ୍ରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର