ଘର ପୋଡ଼ି ମାମଲାରେ ନ୍ୟାୟ ପାଇଲେନି!ଆତ୍ମହତ୍ୟା କଲେ ଯୁବକ

୩ ଛୁଆ ଧରି ବିଧବା ପତ୍ନୀ ବାସ୍ତୁହରା

କୁତ୍ରା/ରାଜଗାଙ୍ଗପୁର: କୁତ୍ରା ବ୍ଲକ୍‌ ଅନ୍ତର୍ଗତ କୁର୍ଲୁଖମନ ଗାଁରେ ଗତ ହୋଲି ସମୟରେ ଅମନ ଟିଡୁ (୪୦)ଙ୍କ ବାସଗୃହକୁ ପୋଡ଼ି ଦିଆଯାଇଥିଲା। ଘର ପୋଡ଼ିରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଗତକାଲି ଅମନ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
କୁର୍ଲୁଖମନ ଗ୍ରାମର ଅନମ ଟିଡୁଙ୍କର ସେହିଗ୍ରାମର ଏକ ଦମ୍ପତ୍ତିଙ୍କ ସହ ଜମି ବାଡ଼ି ବିବାଦ ଲାଗି ରହିଥିଲା। ଅମନ ଏବଂ ତାଙ୍କ ପରିବାର ଘରେ ନଥିବା ବେଳେ ହୋଲି ସମୟରେ ତାଙ୍କ ଘରକୁ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା। ଅଗ୍ନିକାଣ୍ଡରେ ପରିବାରର ସମସ୍ତ ଆସବାବପତ୍ର ଏବଂ ନଗଦ ୧୫ ହଜାର ଟଙ୍କା ଜଳି ଯାଇଥିଲା।

ଏ ସମ୍ପର୍କରେ ଅମନ କୁତ୍ରା ଥାନାରେ ଏତଲା ଦେଇ ଘର ପୋଡ଼ିରେ ସମ୍ପୃକ୍ତ ଦମ୍ପତ୍ତିଙ୍କୁ ଗିରଫ କରିବାକୁ ଦାବି କରିଥିଲେ। କୁତ୍ରା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅମନ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଘର ନଥିବାରୁ ପତ୍ନୀ ଓ ୩ ସନ୍ତାନଙ୍କ ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ସେ କୁତ୍ରା ବ୍ଲକ୍‌କୁ ବାରମ୍ବାର ଯାଇ ନିରାଶ ହୋଇଥିଲା। ଘର ପୋଡ଼ି ବାବଦରେ କୌଣସି ସରକାରୀ ଆଥିକ ସହାୟତା ମିଳିନଥିଲା। ସବୁଆଡୁ ନିରାଶ ହୋଇ ଗତକାଲି ସଂଧ୍ୟାରେ ସେ କିଟନାଶକ େଔଷଧ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଜଗାଙ୍ଗପୁର ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାତି ୧୨ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ରାଜଗାଙ୍ଗପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର