୩ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ

୨୦୦ ନକ୍ସଲ ଆତ୍ମସମର୍ପଣ କରିଥିବାରୁ କେକ କାଟିଲା ପୁଲିସ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ୩ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁରିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବ ଏବଂ ସିଆରପିଏଫ ଡିଆଇଜିଙ୍କ ସମ୍ମୁଖରେ ଏହି ତିନି ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତିନି ଜଣ ଆତ୍ମସମର୍ପଣ କରିଥିବା ନକ୍ସଲ ହେଲେ ରାମ ସୋଡି,ଜୋଟେଲ ମାରକାମ ଏବଂ ରଂଜିସ ମୁଚାକି। ସମସ୍ତ ତିନି ଜଣ ନକ୍ସଲ ନାମରେ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସରକାର ଘୋଷଣା କରିଥିଲେ।

ସୋଡି,ଜୋଟେଲ ମାରକାମ ଏବଂ ରଂଜିସ ମୁଚାକି ପ୍ରଶାସନର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା କହିଥିଲେ। ଏଥିସହିତ ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାର୍ଯ୍ୟ କରାଯାଉ ନଥିବା ଏବଂ ନିର୍ଯାତନା ବଢୁଥିବାରୁ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି।

ଆତ୍ମସମର୍ପଣ କରିଥିବା ୩ ଜଣ ହାର୍ଡକୋର ନକ୍ସଲ ୧୫ରୁ ଉର୍ଦ୍ଧ୍ବ ହିଂସାକାଣ୍ଡରେ ଜଡିତ ଥିବା ଏସପି ଶ୍ରୀ ପଲ୍ଲବ ପ୍ରକାଶ କହିଛନ୍ତି। ଗତ ୨୦୦୮ ମସିହାରୁ ଏମାନେ ନକ୍ସଲ ସହ ଜଡିତ ହୋଇ କାର୍ଯ୍ୟ କରୁଥିଲେ। ଆଜି ସୁଦ୍ଧା ୨୦୦ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଅବସରରେ ପୁଲିସ ଏବଂ ସିଆରପିଏଫ ତରଫରୁ କେକ କାଟି ଖୁସି ଜାହିର କରାଯାଇଥିଲା।

ଏହି ବର୍ଷ ଶେଷ ସୁଦ୍ଧା ଆହୁରି ତିନି ନକ୍ସଲ ଆତ୍ମସମର୍ପଣ କରିପାରନ୍ତି ବୋଲି କୁହାଯାଇଛି। ତେବେ ଆତ୍ମସମର୍ପଣ କରିଥିବା ସମସ୍ତ ୨୦୦ ନକ୍ସଲ ଖୁସିରେ ନିଜ ନିଜ ଅଂଚଳରେ ବେପାର ବାଣିଜ କରି ବଞ୍ଚୁଛନ୍ତି। ଜିଲ୍ଲା ପୁଲିସ ତରଫରୁ ୧୬୦୦ ନକ୍ସଲଙ୍କର ଏକ ଚିଠା ପ୍ରସ୍ତୁତ କରାଯାଇ ଏମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଆହ୍ବାନ ଦିଆଯାଇଥିଲା। ଯାହାଫଳରେ ଏମାନେ ଲଗାତାର ପୁଲିସ ନିକଟରେ ଆତ୍ମସମର୍ପଣ କରି ବାକି ଜୀବନ ସୁଖରେ କଟାଇବେ।

ସମ୍ବନ୍ଧିତ ଖବର