ନିର୍ବାଚନ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଟଳି ପଡ଼ିଲେ ଶିକ୍ଷକ

କଣ୍ଟାବାଞ୍ଜି : ନିର୍ବାଚନ କାର୍ଯ୍ୟରେ ଯୋଗଦେବାକୁ ଯିବା ପୂର୍ବରୁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ସୁଧୀର ବେହେରା (୪୫ବର୍ଷ) ନାମକ ଜଣେ ଶିକ୍ଷକଙ୍କ ପରଲୋକ ଘଟିଛି। ମୃତ ସୁଧୀରଙ୍କ ଘର ବରଗଡ଼ ଜିଲ୍ଲା ଗାଈସିଲେଟ ଥାନା ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗାଁରେ ବୋଲି ଜଣାପଡ଼ିଛି । ସେ ଗତ କିଛିବର୍ଷ ହେଲା କଣ୍ଟାବାଞ୍ଜିର ପଟେଲ କଲୋନିରେ ଘରଭଡ଼ା ନେଇ ଏକୁଟିଆ ରହୁଥିଲେ। ତୁରେକେଲା ବ୍ଲକ୍‌ ବୁରୋମାଲ ୟୁଜି ହାଇସ୍କୁଲରେ ଶିକ୍ଷକତା କରୁଥିଲେ।

ପୂର୍ବରୁ ତାଙ୍କର ଉଚ୍ଚ ରକ୍ତଚାପ ରୋଗ ଥିଲା। କିଛିଦିନ ହେଲା ଭୁବନେଶ୍ୱର‌ ଏମ୍‌ସ ଡାକ୍ତରଖାନାରେ ଚକିତ୍ସିତ ହେଉଥିଲେ। ରବିବାର ନିର୍ବାଚନ କାମରେ ଯୋଗ ଦେବା ପାଇଁ ସେ କଣ୍ଟାବାଞ୍ଜି ଆସିଥିଲେ। ଗୁଡ଼ଭେଲା ବ୍ଲକ୍‌କୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ହେଲେ ସନ୍ଧ୍ୟାରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରି ସେଠାରେ ହିଁ ଟଳିପଡ଼ିଥିଲେ। ପାଖ ପଡ଼ୋଶୀ ଲୋକେ ଦେଖି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରଥିଲେ। ସୋମବାର ସକାଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ପରଲୋକ ଖବର ଜଣା ପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସମ୍ବନ୍ଧିତ ଖବର