ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଚାଳକଙ୍କୁ ମାଡ଼, ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ବାଲିଅନ୍ତା: କୀଟନାଶକ ଖାଇ ଗୁରୁତର ହୋଇପଡ଼ିଥିବା ଜଣେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବାରେ ବିଳମ୍ବ ନେଇ ଆଜି ପୂର୍ବାହ୍ନରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଏନେଇ ଯୁବକଙ୍କ ସଂପର୍କୀୟମାନେ ୧୦୮(ଜନନୀ ଏକ୍ସପ୍ରେସ) ଆମ୍ବୁଲାନ୍ସ ଚାଳକ କମଳଲୋଚନ ମହାନ୍ତିଙ୍କୁ (୪୮) ଙ୍କୁ ମାଡ଼ ମାରିଥିଲେ। ଏଥିରେ କମଳଲୋଚନଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ଗଣ୍ଡଗୋଳ ସଂପର୍କରେ ଜଣେ ଆମ୍ବୁଲାନ୍ସ କର୍ମଚାରୀ ପୁଲିସ କଣ୍ଟ୍ରୋଲରୁମକୁ ଫୋନକରି ଜଣାଇଥିଲେ।

ଖବର ପାଇ ବାଳକାଟି ପିସିଆର ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏସଂପର୍କରେ କମଳଲୋଚନ ଆଜି ଅପରାହ୍ନରେ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ   ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୧୦୮ ଆମ୍ବୁଲାନ୍ସରେ  ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା। ଅଭିଯୋଗ ମୁତାବକ ସ୍ଥାନୀୟ ସରକଣା ପଞ୍ଚାୟତ ଅଧୀନ ବାଲିଗୁଣ୍ଡି ଗ୍ରାମର ମିଲନ ବେଉରା(୩୦) ଆଜି ସକାଳେ କୀଟନାଶକ  ଖାଇ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକ ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ମିଲନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ମିଲନଙ୍କ ସଂପର୍କୀୟମାନେ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଗାଡ଼ିରେ ମିଲନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେବା ପାଇଁ କମଳଲୋଚନଙ୍କୁ କହିଥିଲେ। ହେଲେ କମଳଲୋଚନ ମନା କରିବାରୁ ଉତକ୍ଷିପ୍ତ ହୋଇ ସଂପର୍କୀୟମାନେ ତାଙ୍କୁ ମାଡ଼ ମାରିଥିବା ଏତଲାରେ ଦର୍ଶାଯାଇଛି। ଅଭିଯୋଗ ପାଇ ଫାଣ୍ଡି ଅଧିକାରୀ ହସ୍ପିଟାଲରେ ପହଞ୍ଚି ତଦନ୍ତ କରିଥିଲେ। ମିଲନଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର