୩୪ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ସଂକ୍ରମିତଙ୍କ ସଂଖ୍ୟା କମୁଛି, ମୃତ୍ୟୁରେ ରୋକ ଲାଗୁନି

ଆଜି ୧୩୫ ପଜିଟିଭ ଚିହ୍ନଟ, ୪ ମୁଣ୍ଡ ଗଡ଼ିଲା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି। ମାତ୍ର ମୃତ୍ୟୁରେ ରୋକ ଲାଗିପାରୁନି। ଆଜି ଜିଲ୍ଲାରୁ ୧୩୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଆଜି ଗୋଟିଏ ଦିନରେ ଜିଲ୍ଲାରୁ ୪ ମୁଣ୍ଡ ନେଇଛି ମହାମାରୀ। ଏମାନଙ୍କ ମଧ୍ୟରେ ୫୮, ୬୬ ଓ ୭୦ ବର୍ଷ ବୟସର ୩ ଜଣ ପୁରୁଷ ଓ ଜଣେ ୬୦ ବର୍ଷିୟା ମହିଳା ରହିଛନ୍ତି। ଆଜିର ୪ ଜଣଙ୍କୁ ମିଶାଇ କେବଳ ଜୁନ ମାସର ୨୨ ଦିନ ମଧ୍ୟରେ ୨୯ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ଏହି ସମୟରେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ଅତିକ୍ରମ କରି ୩୪,୦୯୯ରେ ପହଞ୍ଚିଛି।

ସେହିପରି ଜୁନ ୨୧ ପର୍ଯ୍ୟନ୍ତ ଜିଲ୍ଲାରୁ ୯୫.୪୯ ପ୍ରତିଶତରୁ ଅଧିକ ହାରରେ ୩୨,୪୩୨ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଜୁନ ୨୨ ଅପରାହ୍ନ ସୁଦ୍ଧା ୪.୫୨ ପ୍ରତିଶତ ହାରରେ ୧,୫୪୨ ଜଣ ସକ୍ରିୟ ଅଛନ୍ତି। ଯାହାକି ସାମାନ୍ୟ ଆଶ୍ୱସ୍ତିର କାରଣ ସାଜିଛି। ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲାରେ ୦.୩୬ ପ୍ରତିଶତ ହାରରେ ୧୨୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର