ରାୟଗଡ଼ା ଜିଲ୍ଲା ବିଜେପିରେ ହଟଚମଟ: ୩ କର୍ମକର୍ତ୍ତା ଦଳ ଛାଡ଼ିଲେ

ଦଳ ଭିତରେ ମହିଳାଙ୍କୁ ଅସମ୍ମାନ ଓ ହତ୍ୟା ଧମକ ଦିଆଯାଉଛି ବୋଲି ସଙ୍ଗିନ ଅଭିଯୋଗ ଆଣିଲେ

ରାୟଗଡ଼ା: ଦଳରେ ମହିଳାଙ୍କୁ ଅସମ୍ମାନ କରାଯାଉଛି। ସର୍ବସମ୍ମୁଖରେ ଅପମାନଜନକ କଥା କହି ଲଜ୍ଜିତ କରୁଛନ୍ତି ନେତା। ପ୍ରତିବାଦ କଲେ ହତ୍ୟା ଧମକ ମିଳୁଛି। ଏପରିକି ରାୟଗଡ଼ା ସହରରେ ରଖାଇ ନ ଦେବାକୁ ଧମକ ଦେଉଛନ୍ତି ଦଳର କିଛି ଯୁବ ନେତା। ଜିଲ୍ଲାସ୍ତରୀୟ ନେତାଙ୍କ ମନମାନି ବିରୁଦ୍ଧରେ ରାଜ୍ୟକୁ ଅବଗତ କଲେ କୌଣସି ସୁଫଳ ମିଳୁନି। ଏପରି ଅଭିଯୋଗ ଆଣି ଆଜି ଦଳ ଛାଡ଼ିଛନ୍ତି ବିଜେପି ଯୁବମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ୟ। ଦଳର ପ୍ରାଥମିକ ସଦସ୍ୟରୁ ମଇନା ଇସ୍ତଫା ଦେଇଛନ୍ତି। ଜିଲ୍ଲା ସଭାପତିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧୀ କରି ମଇନା ଏହି ପଦକ୍ଷେପ ନେଇଛନ୍ତି। ହତ୍ୟା ଧମକ ଦେଇଥିବା ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖୁବ୍ ଶୀଘ୍ର ମଇନା ଆଇନର ଆଶ୍ରୟ ନେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମଇନାଙ୍କ ସହ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କୃ‌ଷ୍ଣ ତିଗାଲ୍ ଓ ଜିଲ୍ଲା ଆଇଟି ସେଲ୍ କୋ-ଅର୍ଡିନେଟର୍ ଅଭିଷେକ ପାଣିଗ୍ରାହୀ ବିଜେପିରୁ ଇସ୍ତଫା ଦେଇଛନ୍ତି। ଯାହା ଦଳ ପାଇଁ ସର୍ତକ ଘଣ୍ଟି ସଦୃଶ୍ୟ ହୋଇଛି। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୋଟିଏ ଦିନରେ ବିଜେପିର ତିନି ଜିଲ୍ଲାସ୍ତରୀୟ ନେତା ଦଳ ଛାଡ଼ିବା ବିଜେପି ଶିବିରରେ ହଟଚମଟ ସୃଷ୍ଟି କରିଛି।

ଏଥି ସହିତ ମଇନା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ସମ୍ପାଦକ କିଶୋର ପଣ୍ଡା, ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ବିଧାୟକ ପ୍ରାର୍ଥୀଙ୍କ ଗୁଣ୍ଡା ଶ୍ରେଣୀର ବ୍ୟକ୍ତିମାନେ ପାର୍ଟି କାର୍ଯ୍ୟାଳୟରେ ହତ୍ୟା ଧମକ ଦେଇଥିବା ମଇନା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ସଭାପତି ଗତ ଅକ୍ଟୋବର ୮ ତାରିଖରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡାଙ୍କୁ ଦାୟିତ୍ବ ମୁକ୍ତ କରିଥିଲେ। କୌଣସି ଭୁଲ୍ ନଥାଇ ଯୁବ ମୋର୍ଚ୍ଚା ସଭାପତିଙ୍କୁ ପଦବି ମୁକ୍ତ କରିବାକୁ ଦଳୀୟ କର୍ମୀ ଗ୍ରହଣ କରି ପାରୁନାହାଁନ୍ତି। ରାଜ୍ୟର ନିର୍ଦେଶକ୍ରମେ ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ହିତେଶ ସାହୁଙ୍କ ଅଣଦେଖା ସହ ରାୟଗଡ଼ା ଗସ୍ତ ସମୟରେ ଜିଲ୍ଲା ସଭାପତି ଅନୁପସ୍ଥିତ ରହିବା ସମସ୍ତ ପଦାଧିକାରୀଙ୍କୁ ଆଘାତ ଦେଇଥିବା ମଇନା କହିଛନ୍ତି। ଦଳର ପଦାଧିକାରୀଙ୍କ ମନମୁଖୀ ତଥା ଏକଛତ୍ରବାଦୀ ଶାସନ ପାଇଁ ନିଜ ପଦବି ତଥା ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ମଇନା ଇସ୍ତଫା ଦେଇଛନ୍ତି। ମଇନାଙ୍କ ସାଂଘାତିକ ଅଭିଯୋଗ ସର୍ମ୍ପକରେ ମତ ରଖି ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଜେପି ଦଳରେ ମହିଳାଙ୍କୁ ଅସମ୍ମାନ କରାଯାଉନାହିଁ। ଯୁବ ମୋର୍ଚ୍ଚା ସଭାପତିରୁ ଦେବାଶିଷ ହଟିବା ପରେ ନୂତନ ସଭାପତି ଦାୟିତ୍ବ ନେଇଥିବା ଶ୍ୟାମ ଦାଶ ତାଙ୍କୁ କମିଟିରେ ରଖିବେ କି ନାହିଁ ସେହି ଦ୍ବନ୍ଦ୍ବରେ ମଇନା ଦଳ ଛାଡ଼ିଛନ୍ତି। ପାର୍ଟି କାର୍ଯ୍ୟାଳୟରେ ଉଚ୍ଚବାଚ ସମୟରେ ବାହାରକୁ ଯାଇ କଥା ହେବା ପାଇଁ କୁହାଯାଇଥିଲା। ହତ୍ୟା ଧମକ ଘଟଣା ସମ୍ପୂର୍ଣ୍ଣ ମିଛ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

୨୦୧୬ ଡିସେମ୍ବରରେ ମଇନା ପୂର୍ବତନ ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେପିରେ ଯୋଗଦେଇଥିଲେ। ଏହା ପରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ଗୁଣପୁର ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା, ରାୟଗଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସୋସିଆଲ୍ ମିଡିଆ କୋ-ଅର୍ଡିନେଟର୍ ଏବଂ ଏବେ ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଭାବେ ଦାୟିତ୍ବ ତୁଲାଉଥିଲେ। ଦଳରୁ ଇସ୍ତଫା ଦେବା ପରେ ଇସ୍ତଫା ପତ୍ରକୁ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି, ରାଜ୍ୟ ସଂଗଠନ ସଂପାଦକ ମାନସ ମହାନ୍ତି, ରାଜ୍ୟ ସଭାପତି ସମୀର ମହାନ୍ତି, ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ହିତେଶ ସାହ, ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନଙ୍କ ନିକଟକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର