ଯୁବକଙ୍କୁ ମାଡ଼ମାରି ଲୁଟିନେଲେ ୩ ମୋବାଇଲ ଫୋନ, ୪ ହଜାର ଟଙ୍କା

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ପାଟଣା ରାସ୍ତାରେ ୬ ଜଣ ଦୁର୍ବୃତ୍ତ କାରରେ ଯାଉଥିବା ଜଣେ ଯୁବକଙ୍କୁ ମାଡ଼ମାରି ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ ସହିତ ୪ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟର ଶିକାର ଯୁବକ ବେଦବ୍ୟାସ ବେଉରା ଏସଂପର୍କରେ ଆଜି ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ହେଲେ ରୋପାର୍ଟ ଲେଖାହେବା ବେଳକୁ ପୁଲିସକୁ ଲୁଟେରାଙ୍କ ସଂପର୍କରେ ଟେର ମିଳିପାରି ନାହିଁ। ସୂଚନା ମୁତାବକ ଗତକାଲି ସଂଧ୍ୟାରେ ଜଗତସିଂହପୁର ଜିଲ୍ଲା ଅଧୀନ ତିର୍ତ୍ତୋଲ ଥାନା ଅଞ୍ଚଳର ବେଦ ଗତକାଲି ସଂଧ୍ୟା ସାଢ଼େ ୭ଟା ସମୟରେ କାର ନେଇ ବାଲିଅନ୍ତା ସାଇଫନ ଛକରୁ ପାଟଣା ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ଦୁଇଟି ସ୍କୁଟି ଓ ଗୋଟିଏ ବାଇକରେ ୬ ଜଣ ଯୁବକ ତାଙ୍କୁ ପିଛା କରି ପାଟଣା ଗ୍ରାମ ନିଛାଟିଆ ରାସ୍ତାରେ ଅଟକାଇ ଥିଲେ। ବେଦ କାର ଗ୍ଲାସ ଖୋଲିବା କ୍ଷଣି ତାଙ୍କୁ  ବାହାରକୁ ଟାଣି ଆଣି ମାଡ଼ ମାରିଥିଲେ। ଆଉ ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ ଓ ୪ ହଜାର ଟଙ୍କା ଛଡ଼ାଇ ନେଇ ହଂସପାଳ ରାସ୍ତା ଅଭିମୁଖେ ପଳାଇଥିଲେ। ଆଜି ବେଦ ଏସଂପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର