୨ ଟ୍ରେନ୍‌ ଟିକେଟ୍‌ ଦଲାଲ ଗିରଫ

ରାଉରକେଲା: ରାଉରକେଲା ଷ୍ଟେସନ ଆରକ୍ଷଣ ଟିକେଟ୍‌ କେନ୍ଦ୍ରରୁ ନିକଟରୁ ଆର୍‌ପିଏଫ୍‌ ଓ ରେଳୱେ ସିଆଇବି (ସେଣ୍ଟ୍ରାଲ ଇନ୍‌‌ଭେଷ୍ଟିକେଶନ୍‌ ବ୍ୟୁରୋ) ଟିମ୍‌ ଦୁଇ ଟିକେଟ୍‌ ଦଲାଲକୁ ଗିରଫ କରିଛନ୍ତି। ଗିରଫ ଦଲାଲମାନେ ହେଲେ ରାଉରକେଲାର ମନୋହର କେର୍କେଟା, ନିତେଶ ଝୁରିଆ। ଏମାନଙ୍କ ନିକଟରୁ ୪ ହଜାର ଟଙ୍କାର ବିଭିନ୍ନ ସ୍ଥାନକୁ ଯାତ୍ରାର ଟ୍ରେନ୍‌ ଟିକେଟ୍‌ ଜବତ କରାଯାଇଛି। ମହାମାରୀ କରୋନା କଟକଣା ଉଠିବା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ରହିଛି। ଏହାର ସୁ‌ଯୋଗ ନେଇ ଗିରଫ ଦୁଇ ଯୁବକ ଗତ ପ୍ରାୟ ମାସେ ହେଲେ ଯାତ୍ରୀଙ୍କ ନାଁରେ ରାଉରକେଲା ଷ୍ଟେସନର ଆରକ୍ଷଣ କେନ୍ଦ୍ରରୁ ଟିକେଟ୍‌ କାଟୁଥିଲେ। ଯାତ୍ରୀଙ୍କ ଠାରୁ ଟିକେଟ୍‌ର ନିର୍ଦ୍ଧାରିତ ଦାମ୍ ଠାରୁ ଢ଼େର ଅଧିକ ନେଉଥିଲେ।

ଗୁପ୍ତ ସୂଚନା ଆଧାରରେ ଆର୍‌ପିଏଫ୍‌ ଯବାନ, ସିଆଇବି ଟିକ୍‌ ଆରକ୍ଷଣ କେନ୍ଦ୍ର ରେ ଡେରା ପକାଇଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ମନୋହର, ନିତେଶ ଆରକ୍ଷଣ କେନ୍ଦ୍ରରେ ପହଞ୍ଚିଥିଲେ। ଯାତ୍ରୀଙ୍କ ନାଁରେ ଟିକେଟ୍‌ ନେବାକୁ ଲାଇନ୍‌ ଛିଡା ହୋଇଥିଲେ। ଆର୍‌ପିଏଫ୍‌ ଯବାନ ଦୁଇ ଯୁବକକୁ କେଉଁଠିକୁ ଯିବାକୁ ଟିକେଟ୍‌ କାଟୁଛ  ବୋଲି ପଚାରିଥିଲେ। ଦୁଇ ଯୁବକ କିଛି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଆର୍‌ପିଏଫ୍‌ ଯବାନଙ୍କର ସନ୍ଦେହ ହୋଇଥିଲା। ଦୁହିଁଙ୍କୁ ଗିରଫ କରି ଆର୍‌ପିଏଫ୍‌ ଥାନାକୁ ନେଇ ପଚରାଉଚୁରା କରିବା ପରେ ସମସ୍ତ କଥା ଜଣାପଡିଥିଲା।

ସମ୍ବନ୍ଧିତ ଖବର