ମଦ ମୃତ୍ୟୁ ଅଭିଯୋଗ: ୨ ଜଣଙ୍କ ମୃତ୍ୟୁ, ଶବ ପୋଡ଼ିଦେଲେ ସଂପର୍କୀୟ

ରାୟଗଡ଼ା: ବିଷାକ୍ତ ମଦ୍ୟପାନ କରି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ରେଙ୍ଗା ଗ୍ରାମରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଅତ୍ୟଧିକ ମଦ୍ୟପାନ ଯୋଗୁ ଗ୍ରାମର ଝୋଡ଼ିଆ ସାହିରେ ରହୁଥିବା ଧନେଶ୍ୱର ଝୋଡ଼ିଆ (୫୨) ଓ ବିଶୁ ଝୋଡ଼ିଆ (୪୮) ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପରିବାର ଓ ସଂପର୍କୀୟ ଲୋକ ପୁଲିସ୍, ପ୍ରଶାସନକୁ ଘଟଣା ସଂପର୍କରେ ନ ଜଣାଇ ମୃତଦେହ ପୋଡ଼ି ଦେଇଛନ୍ତି। କାଶୀପୁର ପୁଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତ କିଛିଦିନ ତଳେ ରେଙ୍ଗା ଗ୍ରାମର ଭୁବନ ଝୋଡ଼ିଆଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ମୃତ ଭୁବନଙ୍କ ଦଶାହ ଭୋଜିରେ ଯୋଗଦେବାକୁ ଯାଇଥିଲେ ବିଶୁ ଓ ଧନେଶ୍ବର ଝୋଡ଼ିଆ। ଉଭୟେ ଦଶାହ ଭୋଜିରେ ପ୍ରଚୁର ମଦ୍ୟପାନ କରିବା ସହ ନିଶା ପାଇଁ କିଛି ଚେରମୂଳି ବ୍ୟବହାର କରିଥିଲେ। ଭୋଜିରେ ଅପରାହଣରେ ଘରକୁ ଫେରିବା ପରେ ହଠାତ୍ ଧନେଶ୍ବର ଅସୁସ୍ଥ ହୋଇ ପଡିଥିଲେ। ପରିବାର ଲୋକ ଅସୁସ୍ଥ ଧନେଶ୍ବରଙ୍କୁ କାଶୀପୁର ମେଡ଼ିକାଲକୁ ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଧନେଶ୍ୱରଙ୍କ ମୃତ୍ୟୁ ହୋଇଯାଇଥିଲା। ମଦ୍ୟପାନ କରିଥିବା ବିଶୁ ଝୋଡ଼ିଆର ମଧ୍ୟ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ଚିକିତ୍ସା ପାଇଁ କାଶୀପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାତି ୮ଟାରେ ବିଶୁର ମୃତ୍ୟୁ ହୋଇଥିଲା। କାଶୀପୁର ମେଡ଼ିକାଲର ଡଃ. ଏନ୍. ନାୟକଙ୍କ ସୂଚନାନୁଯାୟୀ, ଅତ୍ୟଧିକ ମଦ୍ୟ ସେବନରୁ ମୃତ ବ୍ୟକ୍ତି ବିଶୁଙ୍କ ସୁଗାର ଲେବର  କମି ଯାଇଥିଲା। ଚିକିତ୍ସା ସତ୍ତ୍ବେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଉଭୟଙ୍କ ମର ଶରୀରକୁ ପରିବାର ଲୋକ ପୋଡ଼ି ଦେଇଥିଲେ।

Sambad

ଆଜି ସକାଳେ ଏ ସଂପର୍କରେ କାଶୀପୁର ପୁଲିସ ଖବର ପାଇବା ପରେ ଗାଁକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଦଶାହ ଭୋଜିକୁ ମଦ କେଉଁଠୁ ଆସିଥିଲା, କିଏ ଆଣିଥିଲା ସେ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ଅନ୍ୟପକ୍ଷରେ ଜିଲ୍ଲା ଅବକାରୀ ଅଧୀକ୍ଷକ ନେନା ବେଉରା ମଧ୍ୟ ରେଙ୍ଗା ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ବିଷାକ୍ତ ମଦ ‌‌ଯୋଗୁ ଉଭୟଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରୁଥିବାରୁ ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଛି। ଘଟଣାର ତଦନ୍ତ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି। କାଶୀପୁର ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଦେଶୀ ମଦ କାରବାର ଚାଲିଛି। ପଞ୍ଚାୟତ ନିର୍ବାଚନ ପାଖେଇବା ପରେ ମାଫିଆ ମାନେ ପ୍ରଚୁର ପରିମାଣର ମଦ ରାନ୍ଧି ଗାଁ, ଗାଁକୁ ଚାଲାଣ କରୁଛନ୍ତି। ଯାହାର ସୁରାକ୍ ପାଇ ପାରୁନି ପୁଲିସ କିମ୍ବା ଅବକାରୀ ବିଭାଗ। ଦେଶୀ ମଦ ପ୍ରସ୍ତୁତ ନିୟମନୁଯାୟୀ ହେଉନଥିବା ବେଳେ ଅତ୍ୟଧିକ ନିଶା ପାଇଁ ମାଫିଆ ମାନେ ଚେରମୂଳି ସହ ବିଭିନ୍ନ ମେଡ଼ିସିନ୍ ବ୍ୟବହାର କରୁଥିବାରୁ ଏହାର କୁପ୍ରଭାବ ‌ଶରୀର ଉପରେ ପଡୁଛି। ଯେଉଁଥି ପାଇଁ ରେଙ୍ଗା ଗ୍ରାମର ବିଶୁ ଓ ଧନେଶ୍ବରଙ୍କ ମୃତ୍ୟୁ ଘଟିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି। ବେଆଇନ ମଦ କାରବାର କରୁଥିବା ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର