ଭିଜିଲାନ୍ସ କବଜାରେ କୋଟିପତି ଯନ୍ତ୍ରୀ ଓ ଆକାଉଣ୍ଟାଣ୍ଟ

ଦରମା କମ୍, ଉପୁରି ବେଶି,

ଲାଙ୍ଗୀର: ସାରା ରାଜ୍ୟରେ ଭିଜିଲାନ୍ସ ବିଭାଗ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଆଇଏଫଏସଙ୍କ କାରନାମାରୁ ନେଇ ଆହୁରି ଅନେକ ଦୁର୍ନୀତିଖୋରଙ୍କୁ ଏବେ ଭିଜିଲାନ୍ସ ଟାର୍ଗେଟ କରିଛି।

ବଲାଙ୍ଗୀର ଜିଲ୍ଲାର ଦୁର୍ନୀତିଖୋର ଏଥିରୁ ବି ବାଦ୍ ପଡ଼ିବେ କେମିତି? ଏଠାକାର ସରକାରୀ ଯନ୍ତ୍ରୀ, କର୍ମଚାରୀମାନେ କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି। ଏବେ ଗୋଟିଏ ପରେ ଗୋଟିଏ ଦୁର୍ନୀତିଖୋର ଭିଜିଲାନ୍ସ ହାତରେ ଧରାପଡୁଛନ୍ତି। ସମ୍ବଲପୁର, ସୋନପୁର, ବଲାଙ୍ଗୀର ଭିଜିଲାନ୍ସର ମିଳିତ ଟିମ ଏବେ କୋଟିପତି ଯନ୍ତ୍ରୀ, ଆକାଉଣ୍ଟାଣ୍ଟଙ୍କ କାରନାମା ସାମ୍ନାକୁ ଆଣିଛନ୍ତି। କୋଟିପତି ଆକାଉଣ୍ଟାଣ୍ଟ ଜେଲ୍ ଯାଇସାରିଥିବା ବେଳେ କୋଟିପତି ଯନ୍ତ୍ରୀଙ୍କ ଆଗକୁ ପାଳି ପଡ଼ିପାରେ ।

ବଲାଙ୍ଗୀର ଠିକାଦାରପଡ଼ାରେ ରୁହନ୍ତି କମ୍ବୁପାଣି ମିଶ୍ର। ବଲାଙ୍ଗୀର ଯୋଗାଣ ବିଭାଗରୁ ଚାକିରି ଜୀବନ ଆରମ୍ଭ କରି ସେ ବରଗଡ଼ରେ ଏବେ ଅବସ୍ଥାପିତ ଥିଲେ। ଭିଜିଲାନ୍ସ ତାଙ୍କ ଦୁର୍ନୀତିର କାରନାମା ଖବର ପାଇଥିଲା। ୨୦୦୩ ମସିହା ଚାକିରି ଆରମ୍ଭ ବର୍ଷରୁ ୨୦୨୦ ଯାଏ ସେ ଯାହା ସବୁ କରିଛନ୍ତି ତାର ଖବର ନେଇଥିଲା। ବରଗଡ଼ରେ ତାଙ୍କ ନାଁରେ ନାନା ଅଭିଯୋଗ। ଏଣୁ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେବା ପରେ ଚଢ଼ଉ ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଗତ ୨୩ ତାରିଖ ବଲାଙ୍ଗୀର ଠିକାଦାରପଡ଼ାସ୍ଥିତ ବାସଭବନରେ ଚଢ଼ଉ କରିଥିଲା ଭିଜିଲାନ୍ସ। ଏହାସହ ସୋନପୁର ଘର, ବରଗଡ଼ ସିଏସଓ ଅଫିସରେ ଏକା ସାଙ୍ଗରେ ଚଢ଼ଉ ହୋଇଥିଲା। ସବୁ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲା ଭିଜିଲାନ୍ସ। କେବଳ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କର ୬୧ ଲକ୍ଷ ଟଙ୍କା ଥିବା ଜଣାପଡ଼ିଥିଲା। ବଲାଙ୍ଗୀରର ଘର ସରକାରୀ ମୂଲ୍ୟ ୫୦ ଲକ୍ଷ ହୋଇଥିବା ବେଳେ ସୋନପୁରରେ ରଖିଥିବା ଘରର ମୂଲ୍ୟ ୨୯ ଲକ୍ଷ।

ଗୋଟିଏ ଦୁଇଟି ବି ନୁହଁ, ଏକାଥରକେ ଜମି କାଗଜପତ୍ର ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ ଭିଜିଲାନ୍ସ ଟିମ। ୪୨ଟି ପ୍ଲଟ ତାଙ୍କର ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଡୁଙ୍ଗୁରିପାଲି ନିକଟ ନିଜ ଗାଁ ହଲଦୀରେ ଚାଷ ଜମି ସବୁ ସେ କିଣିଛନ୍ତି। ସେହିପରି ଲୋଇସିଂହା ବଡ଼ଟିକାଠାରେ ଚାଷ ଜମି କିଣିଛନ୍ତି। ସୋନପୁର ଓ ବଲାଙ୍ଗୀରରେ ୩ଟି ଦାମିକିଆ ପ୍ଲଟ ବି ତାଙ୍କର ରହିଛି। ୨୦୦୩ ମସିହାରେ ସେ ଯେତେବେଳେ ଚାକିରି ଆରମ୍ଭ କରିଥିଲେ ଦରମା ଥିଲା ବହୁତ କମ। ଅସ୍ଥାୟୀ କର୍ମଚାରୀ ଭାବରେ ୫୦୦ ଟଙ୍କାରୁ ଦରମା ଆରମ୍ଭ କରି ସେ ୫ହଜାର ଯାଏ ପାଉଥିଲେ। ଗତ କିଛି ବର୍ଷ ହେଲା ସେ ରେଗୁଲାର ହୋଇଥିଲେ ବୋଲି ସୂଚନା ମିଳିଛି। ଏତେ କମ ସମୟରେ ପାଖାପାଖି ୨କୋଟି ଟଙ୍କାର ସମ୍ପତ୍ତି କମ୍ବୁପାଣିଙ୍କ ନିକଟକୁ ଆସିଲା କେମିତି?

କେମିତି ସେ ଟଙ୍କା ରୋଜଗାର କରୁଥିଲେ? ଅଭିଯୋଗରୁ ଜଣାଯାଏ ଯେ, ମିଲର୍ସଙ୍କଠାରୁ ଥିଲା ତାଙ୍କର ଭାଗ। ଅଧିକାରୀଙ୍କଠାରୁ କର୍ମଚାରୀ ସମସ୍ତଙ୍କର ଥିଲା ଭାଗବଣ୍ଟା। ଶେଷରେ ସେ ଏବେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଜେଲ୍ ଯାଇଛନ୍ତି।

ଠିକ୍ ସେହିପରି କୋଟିପତି କନିଷ୍ଠ ଯନ୍ତ୍ରୀ ଗିରୀଶ ପାତ୍ରଙ୍କ କାରନାମା। ପିସି ନଦେଲେ ତାଙ୍କ ଫାଇଲ ଆଗକୁ ବଢୁ ନଥିଲା। ଦେଓଗାଁ ବ୍ଲକ୍ରେ ଜେଇ ଥିଲେ ଗିରୀଶ। ତା’ ପୂର୍ବରୁ ମୁରିବାହାଲ ବ୍ଲକ୍ରେ ସେ ଜେଇ ରହିଥିଲେ। ଭିଜିଲାନ୍ସ ବୁଧବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରିଥିଲା। ଆଦର୍ଶପଡ଼ାଠାରେ ତାଙ୍କର ଦୁଇଟି ଘର ଯାହାର ମୂଲ୍ୟ ୪୨ ଲକ୍ଷ, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୬୨ ଲକ୍ଷ ଟଙ୍କା, ନଗଦ ୮୬ ହଜାର ଟଙ୍କା ଥିବା ଭିଜିଲାନ୍ସର ଆକଳନ ପରେ ଜଣାପଡ଼ିଥିଲା। କନିଷ୍ଠ ଯନ୍ତ୍ରୀଙ୍କ ପ୍ଲଟ ବି କମ ନଥିଲା। ବଲାଙ୍ଗୀର, ପାଟଣାଗଡ଼ ଓ ବ୍ରହ୍ମପୁରରେ ତାଙ୍କର ୫ଟି ପ୍ଲଟ ଥିବା ଜଣାପଡ଼ିଥିଲା। ଜେଇ ବି କୋଟିକୋଟି ଟଙ୍କାର ମାଲିକ ବୋଲି ସ୍ପଷ୍ଟ ଜଣାପଡ଼ିସାରିଲାଣି। ଏଭଳି ଜିଲ୍ଲାରେ ଅନେକ ଦୁର୍ନୀତିଖୋର ଅଧିକାରୀ, କର୍ମଚାରୀ, ଯନ୍ତ୍ରୀ କୋଟିପତି। ଭିଜିଲାନ୍ସ ସମସ୍ତଙ୍କୁ ହାତ ମାରୁ ନଥିଲେ ବି ଯାହାକୁ ହାତ ମାରିଲେ ତାହାଠୁ ବାହାରୁଛି କୋଟି କୋଟିର ସମ୍ପତ୍ତି।
ବଲାଙ୍ଗୀରର ଅଭୟକାନ୍ତ କେଉଁମାନେ?

ଦୁର୍ନୀତିର ଗନ୍ତାଘର ବଲାଙ୍ଗୀର ବନ ବିଭାଗ। ଏଠି ବୃକ୍ଷରୋପଣରୁ ନେଇ ଅନେକ କିଛି ଯୋଜନାରେ ଖର୍ଚ୍ଚ ହୁଏ କୋଟି କୋଟି ଟଙ୍କା। ଆଉ ଯେଉଁଠି ହାତ ମାରିଲେ ସେଠି ଦୁର୍ନୀତି। ଏବେ ଆଇଏଫ୍ଏସ୍ ଅଭୟକାନ୍ତଙ୍କ କାରନାମା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଛି।

ଏସବୁକୁ ନଜର କଲେ ଜିଲ୍ଲା ସ୍ତରରେ ହେଉଥିବା ଦୁର୍ନୀତିର ଭାଗ ଆଇଏଫ୍ଏସ୍ ଅଭୟକାନ୍ତଙ୍କ ପାଖକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ଆଉ ବଲାଙ୍ଗୀର ଜିଲ୍ଲାକୁ ଦେଖିଲେ ଯେଉଁ ପରିମାଣର ଦୁର୍ନୀତି ହେଉଛି ଏହା ତାହାର ସ୍ପଷ୍ଟ ପ୍ରମାଣ। ଅଭୟକାନ୍ତ ଥିଲେ ଅତିରିକ୍ତ ପିସିସିଏଫ୍। ଆଉ କିଛି ଦିନ ଗଲେ ପ୍ରମୋସନ ବି ପାଇଥାନ୍ତେ। ଏକଥା ଆମେ କହୁନୁ, ବରଂ ବନ ବିଭାଗର ବଡ଼ବଡ଼ିଆ ଏସବୁ କହୁଛନ୍ତି। ସେ ଯାହା ହେଉନା କାହିଁକି ଅତିରିକ୍ତ ପିସିସିଏଫଙ୍କ ଯଦି ଏତେ, ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀଙ୍କ ପାଖରେ କେତେ ବୋଲି ଚର୍ଚ୍ଚା ଚାଲିଛି।

ବଲାଙ୍ଗୀର ଜିଲ୍ଲାର ଯେଉଁ ରେଞ୍ଜକୁ ହାତ ମାରିଲେ ପୁଳାପୁଳା ଦୁର୍ନୀତିଖୋର ଅଧିକାରୀ, କର୍ମଚାରୀ। କେତେ ଜଣ ରେଞ୍ଜର ଜବତ କାଠକୁ ଛାଡୁ ନାହାନ୍ତି। ତାକୁ ବି ମନଇଚ୍ଛା ବିକ୍ରି କରି ଖାଇଯାଉଛନ୍ତି। ଆଉ କେତେ ଜଣ ରେଞ୍ଜର ଧରପଗଡ଼ କଲେ ଛୋଟ ମାଛକୁ ଧରୁଛନ୍ତି, ଆଉ ବଡ଼ବଡ଼ିଆଙ୍କ ସାଙ୍ଗରେ ଫିକ୍ସିଂ। କେବଳ ଧରପଗଡ଼ ନୁହଁ, ବିଭିନ୍ନ ଯୋଜନାର କାର୍ଯ୍ୟକୁ ଦେଖିଲେ ଯେ କେହି ଜାଣିଯିବ ଦୁର୍ନୀତି କରାଯାଏ କେମିତି। ବଲାଙ୍ଗୀର ଜଙ୍ଗଲ ବିଭାଗର ଅଭୟକାନ୍ତମାନେ କେବେ ଧରାପଡ଼ିବେ ତାକୁ ନେଇ ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର