ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ୧.୯୭ କୋଟି ଟଙ୍କାର ସମ୍ପତ୍ତି ଠାବ

, ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ କୋର୍ଟକୁ ଚାଲାଣ, ଜାମିନ ନାମଞ୍ଜୁର

ଜୟପୁର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି‌ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌରପାଳିକାର ସହକାରୀ ଯନ୍ତ୍ରୀ ମନୋଜ ପାତ୍ର। ୬ଟି ସ୍ଥାନରେ ଚଢ଼ଉ କରିବା ପରେ ସେ ୧ କୋଟି ୯୭ ଲକ୍ଷ ୩୫ ହଜାର ୫୨୦ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଟାବ କରିଥିବା କହିଛନ୍ତି ଜୟପୁର ଏସପି ବନମାଳୀ ଧଳ। ଆଜି ସନ୍ଧ୍ୟା‌ରେ ଅଭିଯୁକ୍ତ ଇଂ. ପାତ୍ରଙ୍କୁ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ରାଜେଶ ଏକ୍କାଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଥିବା କହିଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ ପବ୍ଲିକ୍ ପ୍ରସିକ୍ୟୁଟର ଏମ୍ ବାଲାଜୀ ରାଓ।

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଇଂ ପାତ୍ରଙ୍କ ନାଁରେ ଆୟବର୍ହିଭୁତ୍ତ ମାମଲା ଅଭିଯୋଗ ହୋଇଥିଲା। ୫ଜଣ ଡିଏସପି, ୮ଜଣ ଇନିସପେକ୍ଟର ୬ଟି ସ୍ଥାନରେ ଚଢ଼ଉ କରିଥିଲେ। ସହକାରୀ ଯନ୍ତ୍ରୀଙ୍କ ସୁନାବେଡ଼ାସ୍ଥ ଘର, କାର୍ଯ୍ୟାଳୟ ଓ କ୍ବାଟରରେ ତିନୋଟି ଟିମ୍, ଭୁବନେଶ୍ବର ପୋଖରୀପୁଟରେ ଥିବା କୋକିଳ ପ୍ୟଲେସସ୍ଥିତ ଘର, ବ୍ରହ୍ମପୁର ଶକ୍ତିନଗରସ୍ଥ ଶ୍ବଶୁରଙ୍କ ଘରଓ ଚନ୍ଦ୍ରପ୍ରଭା ସାହିରେ ରହୁଥିବା ସମ୍ପର୍କୀୟଙ୍କ ଘର, ପାର‌ଲାଖେମୁଣ୍ଡି ସୀତାପୁରରେ ଥିବା ନିଜ ଘର ଉପରେ ଚଢ଼ଉ କରିଥିଲା ପୃଥକ ପୃଥକ ୬ଟି ଟିମ୍।

ଭୁବନେଶ୍ବରର ପୋଖରୀପୁଟ କୋକିଳ ପ୍ୟାଲେସ ୩ ବିଏଚ୍‌କେ ଘର ୮୦ ଲକ୍ଷ, ବ୍ରହ୍ମପୁରରେ ଥିବା ବିଲିଡିଙ୍ଗ ୫୦ ଲକ୍ଷ ୫୭ ହଜାର, ଭୁବନେଶ୍ବରରେ ଗୋଟିଏ, ବ୍ରହ୍ମପୁର ଓ କୋରାପୁଟରେ ୩ଟି ଲେଖାଏଁ ପ୍ଲଟ୍, ବ୍ୟାଙ୍କ, ଡାକ ଓ ବୀମା ଆଦିରେ ୪୦ଲକ୍ଷର ଡିପୋଜିଟ୍, ଘରୋଇ ସାମଗ୍ରୀ ୧୬ ଲକ୍ଷ ୫୯ ହଜାର ଓ ଗୋଟିଏ ଜୁପିଟର ସ୍କୁଟର, ଗୋଟିଏ ହୋଣ୍ଡା ୟୁନିକର୍ନ ବାଇକ ଓ ଗୋଟିଏ ଭେନ୍ୟୁ କାର ରହିଥିବା ଭିଜିଲାନ୍ସ ଯାଞ୍ଚ ବେଳେ ଜଣାପଡ଼ିଛି ବୋଲି ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି। ସେହିଭଳି ଭୁବନେଶ୍ବର ଏବଂ ସୁନାବେଡ଼ା ଘରେ ସର୍ବମୋଟ ୨୮ ଲକ୍ଷ ୬୧ ହଜାର ଟଙ୍କା, ସୁନାଅଳଙ୍କାର ୩୬୯.୧୦ଗ୍ରାମ, ରୁପା ଅଳଙ୍କାର ୨୮୮.୫୧ ଗ୍ରାମ ସମୁଦାୟ ୧୧ ଲକ୍ଷ ୪୪ ହଜାର ଟଙ୍କାର ବୋଲି ଭିଜିଲାନ୍ସ ତଦନ୍ତକାରୀ ଦଳକୁ ମିଳିଥିବା କହିଛନ୍ତି ଏସପି। ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୧ କୋଟି ୯୭ ଲକ୍ଷ ୩୫ ହଜାର ୫୨୦ ଟଙ୍କା ବୋଲି କହିଛନ୍ତି ଏସପି ଶ୍ରୀ ଧଳ।ଏହା ସହ ଯାଞ୍ଚ ଜାରି ରହିଥିବା କହିଛନ୍ତି ଏସପି।

ଅଭିଯୁକ୍ତ ସହକାରୀ ଯନ୍ତ୍ରୀ ଶ୍ରୀ ପାତ୍ର ୧୯୯୧ ମସିହାରେ ବ୍ରହ୍ମପୁର ଅଙ୍କୁଶପୁର ଏସଏମଆଇଟିରେ ଇଂଜନିୟରିଂ ପଢ଼ିଥିଲେ। ୧୯୯୮ ମସିହାରେ ସେ କନିଷ୍ଠ ଯନ୍ତ୍ରୀ ଭାବେ ଗୃହ ଓ ସହରାଂଚଳ ଉନ୍ନୟନ ବିଭାଗରେ ରାୟଗଡ଼ା ପୌରପାଳିକାରେ ଯୋଗ ଦେଇଥିଲେ। ୧୯୯୮ରୁ ୨୦୦୪ମସିହା ପର୍ଯ୍ୟନ୍ତ ରାୟଗଡ଼ା ପୌରପାଳିକାରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ହିଂଜଳିକାଟୁ ଏନଏସି, ୨୦୦୬ରୁ ୨୦୧୦ ପର୍ଯ୍ୟନ୍ତ ବଲାଙ୍ଗୀର ପୌରପାଳିକା, ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ଫୁଲବାଣୀ ପୌରପାଳିକା, ୨୦୧୩ରୁ ୨୦୨୦ ପର୍ଯ୍ୟନ୍ତ କୋରାପୁଟ ପୌରପାଳିକାରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। କୋରାପୁଟ ପୌରପାଳିକାରେ କାର୍ଯ୍ୟ କରୁଥିବା ସମୟରେ ହିଁ ସେ ସହକାରୀ ଯନ୍ତ୍ରୀ ପଦବୀକୁ ପଦନ୍ନୋତି ପାଇଥିଲେ। ଅକ୍ଟୋବର ୨୦୨୦ ରୁ ୮ ପେବୃଆରୀ ୨୦୨୧ ପର୍ଯ୍ୟନ୍ତ ଖୋର୍ଦ୍ଧା ପୌରପାଳିକା, ୯ ପେବୃଆରୀ ୨୦୨୧ରୁ ଏବେ ପର୍ଯ୍ୟନ୍ତ ସୁନାବେଡ଼ା ପୌରପାଳିକାରେ କାର୍ଯ୍ୟ କରି ଆସୁଥିଲେ। ଭିଜିଲାନ୍ସ ପକ୍ଷରୁ ଏବେ ସେ କାମ କରି ଆସୁଥିବା ଉପରୋକ୍ତ ସମସ୍ତ ସ୍ଥାନରେ ତଦନ୍ତ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର