ଖୋର୍ଦ୍ଧା ସହରରେ ଜଳ ଯୋଗାଣ: କେଉଁଠି ମିଳୁନି, କେଉଁଠି ପାଇପ୍ ଫାଟି ବନ୍ୟା 

ଖୋର୍ଦ୍ଧା : ବର୍ତମାନ ଫାଲ୍ଗୁନ ମାସ ଚାଲିଛି । ଖରାର ପ୍ରକୃତ ପ୍ରଭାବ ଆହୁରି ଆରମ୍ଭ ହୋଇନାହିଁ, କିନ୍ତୁ ଖୋର୍ଦ୍ଧା ସହରରେ ଅନେକ ଅଂଚଳରେ ଏବେଠାରୁ ଜଳ ସମସ୍ୟା ଦେଖାଦେବା ଆରମ୍ଭ ହେଲାଣି ।

ଖୋର୍ଦ୍ଧା ସହରର ମୋଟ ୨୨ଟି ୱାର୍ଡରେ ୯୩୨୮ଟି ପରିବାରର ମୋଟ ଜନସଂଖ୍ୟା ୪୬ ହଜାର ୨୦୫ । ଖୋର୍ଦ୍ଧା ସହରରେ ବର୍ତମାନ ପ୍ରାୟ ୫୦୦୦ ପରିବାରକୁ ସିଧାସଳଖ ପାଇପ୍ ସଂଯୋଗ ହୋଇଛି । ତେବେ ଖୋର୍ଦ୍ଧା ସହରର ଶ୍ରୀରାମ ନଗର ଘାସି ସାହି, ୧୨ ନମ୍ବର ଓ ୧୧ ନମ୍ବର ୱାର୍ଡ଼ର କେତେକ ସ୍ଥାନରେ ପାଇପ୍ ଜଳ ସଠିକ୍ ଭାବେ ଆସୁନଥିବା ଅଭିଯୋଗ ହୋଇଛି । ଏପରିକି ଅନେକ ସ୍ଥାନରେ ଷ୍ଟାଣ୍ଡ୍ପୋଷ୍ଟ ଗୁଡ଼ିକ ଭାଙ୍ଗି ପାଣି ଛୁଟୁଥିବା ବେଳେ ସେଗୁଡ଼ିକୁ ମରାମତି କରାଯାଉନଥିବା ମଧ୍ୟ ଦେଖିବାକୁ ମିଳିଛି । ଶ୍ରୀରାମ ନଗରର ଘାସିସାହିରେ ଷ୍ଟାଣ୍ଡପୋଷ୍ଟ ଓ ଘରକୁ ପାଇପ୍ ଜଳ ସଂଯୋଗ ରହୁଥିଲେ ମଧ୍ୟ ପାଇପର ପ୍ରେସର ରହୁନଥିବାରୁ ପାଣି ଆସୁନଥିବା ଅଭିଯୋଗ ହୋଇଛି । ଲୋକମାନେ ପ୍ରାୟ ୧୦୦ ମିଟର ଦୂର ଅନ୍ୟ ଏକ ଷ୍ଟାଣ୍ଡପୋଷ୍ଟରୁ ପାଣି ଆଣୁଛନ୍ତି । ସେହିଭଳି ନୂଆ ବସଷ୍ଟାଣ୍ଡ ଅଂଚଳରେ ଷ୍ଟାଣ୍ଡ ପୋଷ୍ଟ ନଥିବାରୁ ଯାତ୍ରୀମାନଙ୍କ ସହ ନିକଟରେ ଥିବା ବସ୍ତିଅଂଚଳର ଲୋକେ ଅନେକ ହଇରାଣର ସମ୍ମୁଖୀନ ହେଉଛନ୍ତି ।

ଏନେଇ ଖୋର୍ଦ୍ଧା ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥି କହିଛନ୍ତି ଯେ ପୌରାଂଚଳରେ ଜଳ ସମସ୍ୟା କଥା ପିଏଚଡି ହିଁ ବୁଝୁଛି । ଆମ ପାଖରେ ଥିବା ୱାଟର ଟ୍ୟାଙ୍କର ଆଦି ମଧ୍ୟ ସେହି ବିଭାଗକୁ ହସ୍ତାନ୍ତର କରିଦେଇଛୁ । ଯଦି କେଉଁ ୱାର୍ଡ଼ରେ ଜଳ ସମସ୍ୟା ରହିଛି ଅଭିଯୋଗ ଆସିଲେ ତାହା ପିଏଚଡିକୁ ଜଣାଇ ଏହାର ତୁରନ୍ତ ସମାଧାନ କରିବାକୁ ଚେଷ୍ଟା କରାଯିବ । ନୂଆ ବସଷ୍ଟାଣ୍ଡ ଅଂଚଳରେ ଜଳ ସମସ୍ୟା ପାଇଁ ସେଠାରେ ସିନ୍ଟେକ୍ସ ଟାଙ୍କି ବସାଯାଇ ଜଳ ଯୋଗାଣ କରିବାକୁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମତି ଶତପଥି କହିଛନ୍ତି ।

ଖୋର୍ଦ୍ଧା ପିଏଚଡିର କନିଷ୍ଠଯନ୍ତ୍ରୀ ଭାଗିରଥି ଦାସଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଖୋର୍ଦ୍ଧାରେ ୭୦ ପ୍ରତିଶତ ପରିବାରକୁ ସିଧାସଳଖ ପାଇପ୍ ଜଳ ସଂଯୋଗ ହୋଇଛି । ପୂର୍ବ ବର୍ଷ ଯେଉଁ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ନଥିବାରୁ ଅସ୍ଥାୟୀ ଟାଙ୍କି ବସାଯାଇ ଜଳ ଯୋଗାଣ କରାଯାଉଥିଲା । ବର୍ତମାନ ସେଗୁଡ଼ିକୁ ମଧ୍ୟ ଉଠାଇ ନିଆଯିବ ଓ ସେଠାରେ ଷ୍ଟାଣ୍ଡ୍ପୋଷ୍ଟ ନିର୍ମାଣ କରାଯିବ । ବର୍ତମାନ ସହରର ସେଭଳି ଜଳ ସମସ୍ୟା ସୃଷ୍ଟି ହୋଇନାହିଁ ତେବେ ଯେଉଁଠି ସମସ୍ୟାର ଅଭିଯୋଗ ଆସିବ ୨୪ ଘଂଟା ମଧ୍ୟରେ ତା’ର ସମାଧାନ କରାଯିବ । ଅନେକ ଷ୍ଟାଣ୍ଡ୍ପୋଷ୍ଟ ମରାମତି ହେଉନଥିବା ସମ୍ପର୍କରେ କହିଛନ୍ତି ଯେଉଁଠି ଏଭଳି ସ୍ଥିତି ଦେଖିବେ ସେଠାର ଫଟୋ, ଠିକଣା ଲେଖିଦେଲେ ତୁରନ୍ତ ମରାମତି କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି ।

ସମ୍ବନ୍ଧିତ ଖବର