ଲଟେରୀ ମାଧ୍ୟମରେ ମିଳିବ ମଦ ଦୋକାନ ଲାଇସେନ୍ସ: ଛତିଶଗଡ଼ ମଦ ମାଫିଆଙ୍କ ଲୋଲୁପ ଦୃଷ୍ଟି, ଆବେଦନ ଦୌଡ଼ରେ ସାମିଲ

ଜୟପୁର: ମଦ ଲାଇସେନ୍ସ ନିୟମ ବଦଳି ଯାଇଛି। ଆଉ ହେବନି ଲାଇସେନ୍ସର ନବୀକରଣ। ଏବେ ଲଟେରୀ ମାଧ୍ୟମରେ ମଦ ବ୍ୟବସାୟୀଙ୍କୁ ମିଳିବ ଲାଇସେନ୍ସ । ଏ ନେଇ ଅବକାରୀ ବିଭାଗ ନୂଆ ନିର୍ଦ୍ଦେଶାନାମା ଜାରି କରିଛି। ତେବେ ଏହି ନୂଆ ନିର୍ଦ୍ଦେଶାନାମା ଏବଂ ଛତିଶଗଡର ମଦ ମାଫିଆମାନେ ଏଥିରେ ସାମିଲ ହେବା ଦ୍ୱାରା ଏବେ ଓଡିଶାର ମଦ ବ୍ୟବସାୟୀ ଚିନ୍ତାରେ ପଡ଼ିଯାଇଛନ୍ତି।

ସୂଚନାଯୋଗ୍ୟ, ଛତିଶଗଡ଼ରେ ବିଦେଶୀ ମଦ ବିକ୍ରୀ ଉପରେ ଛତିଶଗଡ ସରକାର କଟକଣା ଜାରି କରିବା ସହ ନିଜେ କାଉଣ୍ଟର ଖୋଲି ବିଦେଶୀ ମଦ ବିକ୍ରୀ କରୁଛନ୍ତି। ଜଣେ ଗ୍ରାହକଙ୍କୁ ମାତ୍ର ଧାର୍ଯ୍ୟ ପରିମାଣର ମଦ ହିଁ ଦିଆଯାଉଛି। ଛତିଶଗଡର ମଦ ମାଫିଆମାନେ ଏହା ଫଳରେ ନିଜର ବୃତ୍ତି ହରାଇଛନ୍ତି। ଏପରି ସମୟରେ ସେମାନଙ୍କ ପାଇଁ ସୋନେ ପେ ସୁହାଗା ଆସିଛି। ଏଣୁ ଏବେ ସୀମାନ୍ତର ବିଦେଶୀ ମଦ ଦୋକାନଗୁଡ଼ିକୁ ହାତେଇବା ପାଇଁ ଛତିଶଗଡ଼ର ମଦ ମାପିଆମାନେ ବି ଦୌଡରେ ସାମିଲ ହୋଇଯାଇଛନ୍ତି। ସେମାନେ ନିଜ ନିଜ ଲୋକଙ୍କ ମାଧ୍ୟମରେ ବହୁ ସୀମାନ୍ତ ଅଂଚଳ ଗୁଡ଼ିକରେ ଥିବା କାଉଣ୍ଟର ଗୁଡ଼ିକରେ ଏକାଧିକ ଆବେଦନପତ୍ର ଦାଖଲ କରାଇଥିବା ଜଣେ ଛତିଶଗଡ ମଦ ବ୍ୟବସାୟୀ କହିଛନ୍ତି। ଏହା ଫଳରେ ବହୁ ସୀମାନ୍ତ କାଉଣ୍ଟର ଗୁଡ଼ିକରେ ଦୁଇ ସଂଖ୍ୟାରୁ ଉର୍ଦ୍ଧ୍ବ ଆବେଦନପତ୍ର ପଡ଼ିଛି।

ପ୍ରକାଶଯୋଗ୍ୟ, ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ, ଲଟେରୀ ମାଧ୍ୟମରେ ଲାଇସେନ୍ସ ପାଇବା ପରେ ଏହାର ବୈଧତା ୫ ବର୍ଷ ରହିବ। ତେବେ ନୂଆ ନିୟମ ଆସିବା ପରେ ପୁରୁଣା ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ ହେବ। ନୂଆ ଲାଇସେନ୍ସ ପାଇବାକୁ ହେଲେ ଲଟେରୀ ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ। ଏଥିପାଇଁ ଅବକାରୀ ବିଭାଗ ୱେବସାଇଟକୁ ଯାଇ ଆଧାର, ପ୍ୟାନ୍ କାର୍ଡ, ଆୟକର ପ୍ରମାଣପତ୍ର , ଏକ ଲକ୍ଷ ଟଙ୍କା ଏବଂ ଯେଉଁ କାଉଣ୍ଟର ପାଇଁ ଲାଇସେନସ୍ ପାଇ୍ଁ ଆବେଦନ କରିବ ତିନି ମାସର କର ଜମା କରି ଅନଲାଇନ୍ ଜରିଆରେ ଆବେଦନ କରିପାରିବେ।

ଜିଲ୍ଲା ପ୍ରଶାସନ କୋରାପୁଟ ଜିଲ୍ଲାର ୨୧ଟି ଅଫ୍ ସଫ (ଠିପି ବନ୍ଦ ବିଦେଶୀ ମଦ ଦୋକାନ) ଲାଇସେନସ୍ ଆବେଦନ ଦାଖଲ ପାଇଁ ବିଞପ୍ତି ପ୍ରକାଶ କରିଥିଲା। ଏଥି ପାଇଁ ୨ତାରିଖ ଶେଷ ଦିନ ଧାର୍ଯ୍ୟ କରିଛି। ୯ତାରିଖ ଦିନ ଲଟେରୀ ଉଠାଣ ହେବ। ଏବେ ପର୍ଯ୍ୟନ୍ତ ଜିଲ୍ଲାର ୨୧ଟି ଅଫ ସଫ ପାଇଁ ୨୨୫ ଆବେଦନପତ୍ର ଅନଲାଇନରେ ଦାଖଲ ହୋଇଥିବା ସୂଚନା ମିଳିଛି। ସେଥିରୁ ସର୍ବାଧିକ ଛତିଶଗଡ ସୀମାନ୍ତ କୋଟପାଡ ଗୋଟିଏ କାଉଣ୍ଟର ପାଇଁ ୮୦ଟି, ବୋରିଗୁମ୍ମା ପାଇଁ ୪୨ଟି, ସୁନାବେଡ଼ା ପାଇଁ ୪୦ଟି, ନନ୍ଦପୁର ପାଇଁ ୩୩ଟି ଆବେଦନପତ୍ର ଦାଖଲ ହୋଇଥିବା ସୂଚନା ମିଳିଛି। ସେଭଳି ଜୟପୁରରେ ୮ଟି, କୋରାପୁଟର ୩ଟି, ସେମିଳିଗୁଡା, ମାଥାଲପୁଟ(କଡ଼ମୁଲ୍ଲା), ଲକ୍ଷ୍ମୀପୁର, ସୁଙ୍କି, ବୈପାରୀଗୁଡା,ଆମ୍ବାଗୁଡା ଆଦି ଗାଁରେ ଥିବା ଗୋଟିଏ ଲେଖାଏଁ କାଉଣ୍ଟର ପାଇଁ ବି ଏକାଧିକ ଆବେଦନପତ୍ର ପଢ଼ିଥିବା ସୂଚନା ମିଳିଛି। ଏହି ଛତିଶଗଡ଼ିଆ ମଦ ମାଫିଆ ମାନେ ଛତିଶଗଡ଼ ସୀମାନ୍ତରେ ଥିବା କୋରାପୁଟଜିଲ୍ଲା ସମତେ ଅନ୍ୟାନ୍ୟ ଜିଲ୍ଲାର ବହୁ କାଉଣ୍ଟର ପାଇଁ ଏଭଳି ଏକାଧିକ ଆବେଦନପତ୍ର ଦାଖଲ କରିଥିବା ସୂଚନା ମିଳିଛି। ଲଟେରୀରେ ଯଦି ସେମାନେ ଏହି କାଉଣ୍ଟର ପାଇବେ ତେବେ ଏଥିରେ ଭାଗ ନେଇଥିବା ଓଡିଶାର ବହୁ ବ୍ୟବସାୟୀ, ଏବଂ ଏହି ବ୍ୟବସାୟ କରିବାକୁ ଇଛୁକ ଥିବା ବହୁ ଶିକ୍ଷିତ ବେକାର ଯୁବକ ଏଥିରୁ ବାଦ୍ ପଡ଼ିବେ ଏଥିରେ ଦ୍ବିମତ ନାହିଁ। ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର