ନିମ୍ନମାନର କାମ: ବୁଲ୍‌ଡୋଜର ଲଗାଇ ଭାଙ୍ଗିଲେ ଘର; ମା‌ଙ୍କେଡ଼ିଆ ଥଇଥାନ କଲୋନିରେ କାର୍ଯ୍ୟାନୁଷ୍ଠାନ

କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ କୁସୁମୁଣ୍ଡିଆ ଠାରେ ମାଙ୍କେଡ଼ିଆ ଥଇଥାନ କଲୋନି ନିର୍ମାଣ କାମ ନିମ୍ନମାନର ବୋଲି ଅଭିଯୋଗ ଉଠିଥିଲା। ନିର୍ମାଣ ଶେଷ ନହେଉଣୁ ଗୋଟିଏ ଘରର କାନ୍ଥ ଭୁଶୁଡ଼ି ପଡିଥିବା ବେଳେ ଏହାକୁ ସିମେଣ୍ଟ ଖୁଣ୍ଟର ଠେସ ଦିଆଯାଇଥିଲା। ଏ ନେଇ ଆଜି ସମ୍ବାଦରେ ଖବର ପ୍ରକାଶ ପାଇବା କ୍ଷଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଘଳିଆ ଥିବା ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଇ ଦିଆଯାଇଛି। ତ୍ରୁଟିଯୁକ୍ତ ଲିଣ୍ଟେଲ, ତାଜା, ଛାତ ସହିତ କାନ୍ଥକୁ ଖଣ୍ଡଖଣ୍ଡ କରି ଥଳେଇ ଦିଆଯାଇଥିବା ଦେଖିବାକୁ ମିଳିଛି। ସକାଳୁ ସକାଳୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ନେଇ କୁସୁମୁଣ୍ଡିଆ ଓ ଆଖପାଖ ଗାଁରେ ହଇଚଇ ସୃଷ୍ଟି ହୋଇଛି। ଶହଶହ ଅଞ୍ଚଳବାସୀ ଘଟଣାସ୍ଥଳରେ ଉପସ୍ଥିତ ରହି ପରସ୍ପରକୁ ଏହାର କାରଣ ପଚାରି ବୁଝୁଥିବା ଦେଖିବାକୁ ମିଳିଥିଲା। ଗ୍ରାମ୍ୟ ଉନ୍ନୟନ(ଆରଡି) ଯାଜପୁର ବିଭାଜନ-୧ ନିର୍ବାହୀ ଯନ୍ତ୍ରୀ ଇଂ ବିଜୟ କୁମାର ମହାରଣା ଓ ଉପଖଣ୍ଡ ଅଧିକାରୀ ଇଂ ମୁଦୁଲି ଭେଙ୍କଟରମଣଙ୍କ ନିର୍ଦେଶ କ୍ରମେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରସାନନ୍ଦ ବାରିକ ଓ ସହକର୍ମୀ ଗଙ୍ଗାଧର ନାଏକ ନିର୍ମାଣାଧୀନ ମାଙ୍କେଡିଆ କଲୋନିରେ ପହଞ୍ଚିଥିଲେ।

Sambad

କନିଷ୍ଠ ଯନ୍ତ୍ରୀ ଶ୍ରୀ ବାରିକ କାମର ମାନ ପରଖୁଥିବା ବେଳେ ସହକର୍ମୀ ଶ୍ରୀ ନାଏକ ଭିଡିଓ କଲିଂ କରି ଏ ସଂପର୍କରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଏଥିରେ ଘଳିଆ ଥିବା ସ୍ପଷ୍ଟ ହୋଇଥିଲା। ତୁରନ୍ତ ଏହାକୁ ଭାଙ୍ଗିଦେବା ପାଇଁ ବିଭାଗୀୟ ନିର୍ଦେଶ ମିଳିଥିଲା। ଆସନ୍ତକାଲି ବିଭାଗୀୟ ଉଚ୍ଚ କର୍ତୃପକ୍ଷ କାର୍ଯ୍ୟସ୍ଥଳ ପରିଦର୍ଶନ କରି ତଦନ୍ତକୁ ଆହୁରି ଗତିଶୀଳ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଏ ସଂପର୍କରେ ଉପଖଣ୍ଡ ଅଧିକାରୀ ଶ୍ରୀ ଭେଙ୍କଟରମଣଙ୍କୁ ପଚାରିବାରେ ମାଙ୍କେଡ଼ିଆ ଥଇଥାନ କଲୋନି ନିର୍ମାଣରେ କୌଣସି ତ୍ରୁଟି କିମ୍ବା ଦୁର୍ନୀତିକୁ ବରଦାସ୍ତ କରାଯିବନି ବୋଲି ସ୍ପଷ୍ଟ ମତ ରଖିଥିଲେ।

ଏକଦା ଯାଯାବର ଜୀବନଯାପନ କରୁଥିବା ମାଙ୍କେଡ଼ିଆ ଜନଜାତିଙ୍କ ପାଇଁ ଏହା ସ୍ବପ୍ନର ଆବାସ ହୋଇ ରହିବା ନେଇ ବିଭାଗୀୟ ଲକ୍ଷ୍ୟ ରହିଛି ବୋଲି ସେ ଦୃଢ଼ୋକ୍ତି କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲା ଖଣିଜ ନ୍ୟାସ(ଡିଏମ୍‌ଏଫ୍‌) ପାଣ୍ଠି ଅନୁଦାନରେ ୩ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ କୁସୁମୁଣ୍ଡିଆ ଗ୍ରାମରେ ୮୭ଟି ମାଙ୍କେଡ଼ିଆ ପରିବାର ପାଇଁ ଥଇଥାନ କଲୋନି ନିର୍ମାଣ କରାଯାଉଛି। ନିର୍ମାଣାଧୀନ ପ୍ରକଳ୍ପ ନିମ୍ନମାନର ହୋଇଥିବା ନେଇ ନିରକ୍ଷର ମାଙ୍କେଡ଼ିଆମାନେ ଅଭିଯୋଗ କରି ଘରେ ପଶିବାକୁ ଡର ଲାଗୁଥିବା କହିଥିଲେ। ଏ ସଂପର୍କରେ ସମ୍ବାଦରେ ଖବର ପ୍ରକାଶନ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର