କୋରାପୁଟରେ ଏସ୍‍ଏଚଜିରୁ ଏସ୍‍ଏମଇ ଜିଲ୍ଲାସ୍ତରୀୟ ନିବେଶକ ସମ୍ମିଳନୀ

ପ୍ରୟାସ ହିଁ ସ୍ବୀକୃତି ଦେବ: ସୁଜାତା ଆର.କାର୍ତ୍ତିକେୟାନ୍‌

କୋରାପୁଟ: ‘ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ନିଜକୁ କ୍ଷୁଦ୍ର ଓ ମଧ୍ୟମ ସ୍ତରର ଉଦ୍ୟୋଗ ବୋଲି ପରିଚିତ କରାଇବା ସହିତ ସାମାଜିକ ସ୍ୱୀକୃତି ଲାଭ କରିବା ଦିଗରେ ପ୍ରୟାସ କରିବା ଉଚିତ।’ ଆଜି ସ୍ଥାନୀୟ ପୌରପାଳିକ ଅଡିଟୋରିୟମରେ ଭର୍ଚୁଆଲ ପଦ୍ଧତିରେ ତୃତୀୟ ଜିଲ୍ଲାସ୍ତରୀୟ ନିବେଶକ ସମ୍ମିଳନୀ ଯୋଗ ଦେଇ ନିଜର ଉଦ୍‌ବୋଧନ ଦେଇ ଏହା କହିଛନ୍ତି କମିଶନର-ତଥା-ଶାସନ ସଚିବ, ମିଶନ ଶକ୍ତି ବିଭାଗ, ସୁଜାତା ଆର୍‍. କାର୍ତ୍ତିକେୟନ୍‍। ମିଶନ ଶକ୍ତି ବିଭାଗ ପକ୍ଷରୁ ଫିକି ଏଫ୍‍ଏଲଓକୁ ଇଭେଣ୍ଟ ସହଭାଗୀ ଭାବେ ନେଇ ଆୟୋଜନ କରାଯାଉଥିବା ଶୃଙ୍ଖଳାରେ ଏହା ତୃତୀୟ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆଜି କୋରାପୁଟରେ ଅନୁଷ୍ଠିତ ହୋଇଯାଇଛି।କୋରାପୁଟରେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ କୋରାପୁଟସ୍ଥିତ ଅନୁଷ୍ଠିତ ଏହି ‘ଏସ୍‍ଏଚଜିରୁ ଏସ୍‍ଏମ୍‍ଇ ତାଙ୍କ ଠାରେ ନିବେଶ କରନ୍ତୁ’ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଏସ୍‍ଏଚଜିଗୁଡିକୁ ଏସ୍‍ଏମଇରେ ପରିଣତ ହେବା ନିମନ୍ତେ ସେମାନଙ୍କୁ ସୁଦୃଢ କରିବା ସକାଶେ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ। ସମଗ୍ର ରାଜ୍ୟରେ ପ୍ରାୟ ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ନେଇ ମିଶନ ଶକ୍ତି ଗଠିତ ହୋଇଛି। ଜିଲ୍ଲା ପ୍ରଶାସନ ଏସ୍‍ଏଚଜି ଗୋଷ୍ଠୀ ଗୁଡିକ ପ୍ରଶାସନିକ ସମର୍ଥନ ଯୋଗାଇ ଦେଉଥିବାରୁ ସେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେବା ସହିତ ଜିଲ୍ଲାର ଶିଳ୍ପ ସହରଗୁଡିକରେ ଥିବା ଏସ୍‍ଏଚଜି ଗୁଡିକ ନବୋନ୍ମେଷୀ ଏବଂ ଆକାଂକ୍ଷୀ ବୋଲି ପ୍ରକାଶ କରିଥିଲେ।

ଶ୍ରୀମତୀ କାର୍ତ୍ତିକେୟନ୍‍ କହିଥିଲେ ଯେ, “ମିଶନ ଶକ୍ତି ଏକ ଯୋଜନା ଭାବରେ ଆରମ୍ଭ ହୋଇଥିଲା, କିନ୍ତୁ ତାହା ପରବର୍ତ୍ତୀ ସମୟରେ ଏହା ରାଜ୍ୟ ସରକାରଙ୍କ ଅଧୀନରେ ଏକ ପୂର୍ଣ୍ଣାଙ୍ଗ ବିଭାଗରେ ପରିଣତ ହୋଇଛି ଏବଂ ମହିଳା ଏସ୍‍ଏଚଜି ଗୁଡିକର ଉତ୍‍ଥାନ ଓ ପ୍ରଗତି ନିମନ୍ତେ ଏହାର ନିର୍ଦ୍ଦିଷ୍ଟ ବଜେଟ ଓ କୌଶଳ ରହିଛି। ସମ୍ପ୍ରତି ଏହି ପ୍ରୟାସକୁ ଉଚ୍ଚତର ସୋପାନକୁ ନେଇ ଯେଉଁ ଏସ୍‍ଏଚଜି ଗୁଡିକ ଅଣୁସ୍ତରୀୟ ଗୁଚ୍ଛ ଭାବରେ କାର୍ଯ୍ୟ କରିବାକୁ ସମର୍ଥ ଅଟନ୍ତି, ସେଗୁଡିକୁ ସଫଳ ଏମଏସ୍‍ଏମଇ ଭାବରେ ଉପସ୍ଥାପନ କରିବା ସମୟ ଉପନୀତ ହୋଇଛି।” ସେ କହିଥିଲେ ଯେ କୋରାପୁଟ ଜିଲ୍ଲା ଅନେକ ଏନ୍‍ଟିଏଫ୍‍ପି ଉତ୍ପାଦ, କଫି, ମାଣ୍ଡିଆ ଉତ୍ପାଦ ଆଦିର ଉତ୍ପାଦନ ନିମନ୍ତେ ଏହାର ଅନୁକୂଳ କୃଷି-ଜଳବାୟୁ ପରିବେଶ ପାଇଁ ବହୁବିଧ ଅନନ୍ୟ ସୁଯୋଗ ଯୋଗାଇ ଦେଉଛି।

କୋରାପୁଟର ଅନେକ ଏସ୍‍ଏଚଜି ଅଣୁସ୍ତରୀୟ ବ୍ୟବସାୟ ସଂସ୍ଥା ଭାବରେ କାର୍ଯ୍ୟ କରୁଥିବାରୁ ସେଗୁଡିକୁ ସେ ପ୍ରଶଂସା କରିବା ସହିତ କୋରାପୁଟର ଅନେକ ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କ ଶାଖା ନଥିବାରୁ ଏସ୍‍ଏଚଜିଗୁଡିକୁ ବିସିଏ (ବ୍ୟାଙ୍କ କରେସ୍‍ପଣ୍ଟେଣ୍‍ଟ ଏଜେଣ୍ଟ) ଜରିଆରେ ଅର୍ଥଲଗାଣର ଉନ୍ନତ ସୁବିଧା ସୁଯୋଗ ଯୋଗାଇବା ତଥା ଖାଦ୍ୟ ପ୍ରକ୍ରିୟାକରଣ, ବିୟୁଟିସିଆନ୍‍ ତାଲିମ, ଫାଶନ ଡିଜାଇନିଂ, ସିଲେଇ ୟୁନିଟ ସମ୍ପର୍କିତ କୁଶଳତାର ତାଲିମ ମହିଳା ମାନଙ୍କୁ ଯୋଗାଇ ଦେଇ ଫ୍ଲପକାର୍ଟ ସହିତ ବୁଝାମଣାପତ୍ର ସ୍ୱାକ୍ଷର ଜରିଆରେ ସେମାନଙ୍କୁ ବଜାର ସଂଯୋଗୀକରଣ ସୁବିଧା ଯୋଗାଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ମିଶନ ଶକ୍ତିର ଓଏସଡି ସୁଧାଂଶୁ ଶେଖର ନାୟକ କହିଛନ୍ତି ଯେ ୩୦୦୦ ଏସ୍‍ଏଚଜିକୁ ଏସ୍‍ଏମଇରେ ରୂପାନ୍ତରିତ କରିବା ଲକ୍ଷ୍ୟ ନେଇ,ଏସ୍‍ଏଚଜିଗୁଡିକୁ ସୁଦୃଢ କରିବା ନିମନ୍ତେ ସରକାର ୧୪ଟି ବିଭାଗର ମିଶ୍ରଣ ସହିତ କାର୍ଯ୍ୟକାରୀ କରୁଥିବା ପ୍ରଗତିଶୀଳ ନୀତି ଓ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଏସ୍‍ଏଚଜି ସଦସ୍ୟାମାନେ ବୈଠକ କରିବା, ତାଲିମ କାର୍ଯ୍ୟକ୍ରମ ଆୟୋଜନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିବା ନିମନ୍ତେ ରାଜ୍ୟର ପ୍ରତି ବ୍ଲକ ଓ ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ। ଏଥିସହିତ ଅବ୍ୟବହୃତ କୋଠାଗୁଡିକୁ ଏସ୍‍ଏଚଜି ଗୁଡିକ ନିମନ୍ତେ ବ୍ୟବସାୟ ଇନ୍‍କ୍ୟୁବେସନ ସେଣ୍ଟରରେ ପରିଣତ କରାଯିବ। ଆଗାମୀ ୫ ବର୍ଷ ମଧ୍ୟରେ ସରକାର ଏସ୍‍ଏଚଜିଗୁଡିକୁ ୫୦୦୦ କୋଟି ଟଙ୍କା ଋଣ ଆକାରରେ ଯୋଗାଇ ଦେବେ।

କୋରାପୁଟ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ଶ୍ରୀ ଅବ୍‍ଦାଲ ଏମ୍‍ ଅଖତାର କହିଥିଲେ ଯେ, କୋରାପୁଟର ଜଳବାୟୁ ପରିସ୍ଥିତି ବର୍ଷତମାମ ଲେମନ୍‍ ଗ୍ରାସ, ମାଣ୍ଡିଆ ଏବଂ କଫି ବିନ୍‍ ଭଳି ଅର୍ଥକାରୀ ଫସଲ ଉତ୍ପାଦନ ନିମନ୍ତେ ଅନୁକୂଳ ଅଟେ। କିନ୍ତୁ ଉତ୍ପାଦର ବିକ୍ରିବଟା ଏବଂ ଲାଭ ଉପାର୍ଜନ କରିବା ମହିଳା ଉତ୍ପାଦକମାନଙ୍କ ପାଇଁ ଏକ ଚାଲେଞ୍ଜ ହୋଇ ରହିଛି। ଏହି ଖାଲିସ୍ଥାନ ପୂରଣ କରିବା ସକାଶେ ମିଶନ ଶକ୍ତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ଅନ୍ୟ ରାଜ୍ୟ ଓ ଜିଲ୍ଲାଗୁଡିକରୁ ଉତ୍ପାଦ ସଂଗ୍ରହ କରିବା ପରିବର୍ତ୍ତେ କୋରାପୁଟ ଜିଲ୍ଲା ସମ୍ପ୍ରତି ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛି, ଯାହାଦ୍ବାରା ମହିଳା ଗୋଷ୍ଠୀଗୁଡିକ ଚୂଡାନ୍ତ ଉତ୍ପାଦନକାରୀ ହେବେ ଯାହା ସେମାନଙ୍କୁ ଅଧିକ ଲାଭ ଆଣିଦେବ। ଶ୍ରୀ ଅଖ୍‍ତର କୋରାପୁଟ ଜିଲ୍ଲାରେ ମିଶନ ଶକ୍ତି ଏସ୍‍ଏଚଜିଗୁଡିକ କଫି ଚାରା ସୃଷ୍ଟି ଭଳି ହାତକୁ ନେଉଥିବା ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ, ଯାହା ସମଗ୍ର ଦେଶରେ ଏହି ଧରଣର ପ୍ରଥମ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିଭଳି ଅନ୍ୟୂନ ୧୨ରୁ ୧୩ଟି ନର୍ସରୀକୁ ପ୍ରୋତ୍ସାହିତ କରାଯାଇଛି ଏବଂ ଅଧିକରୁ ଅଧିକ ମହିଳା ସଦସ୍ୟାଙ୍କୁ ସାମିଲ କରି ଜିଲ୍ଲାରେ ଖୁବ୍‍ଶୀଘ୍ର ଏହା ଅଧିକ ପରିବ୍ୟାପ୍ତ ହେବାକୁ ଯାଉଛି ବୋଲି ସେ କହିଥିଲେ।ଜିଲ୍ଲାର ମହିଳା ଓ ଯୁବତୀଙ୍କ ପାଇଁ ମିଶନ ଶକ୍ତି କାଫେ ଓ ବିୟୁଟି ଆଣ୍ଡ୍‍ ୱେଲନେସ୍‍ ବ୍ୟବସାୟ ନୂତନ ସୁଯୋଗ ସୃଷ୍ଟି କରିଛି। ମିଶନ ଶକ୍ତି ସହିତ ମିଶି କୋରାପୁଟ ଜିଲ୍ଲା ପ୍ରଶାସନ ଏକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିଛି ଯେଉଁଥିରେ ଅଧିକରୁ ଅଧିକ ଜିଲ୍ଲାଭିତ୍ତିକ ଉତ୍ପାଦ ଓ ସେବାଗୁଡିକୁ ସମ୍ମିଶ୍ରିତ ଭାବରେ ପ୍ରୋତ୍ସାହିତ କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର