ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିିତା

ଖୋର୍ଦ୍ଧା: ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୨ଟି ସ୍ୱତନ୍ତ୍ର ବିଦ୍ୟାଳୟର ୬୫୦ଜଣ ଶ୍ରବଣ ବାଧିତ, ଦୃଷ୍ଟିବାଧିତ, ମାନସିକ ଅନଗ୍ରସର ଓ ସ୍ନାୟବିକ ଦୁର୍ବଳ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ । ପ୍ରତିଯୋଗୀଙ୍କ ମଧ୍ୟରୁ ୧୬ଟି ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ ୪୮ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଛନ୍ତି । ଏହି ପ୍ରତିଯୋଗିତାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଲବ କେଶରୀ ସାମନ୍ତରାୟ, ଉପଖଣ୍ଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ସ୍ୱାଇଁ, ବ୍ଲକସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀଗଣ, କନିଷ୍ଠ ସହାୟକ, ପ୍ରୋଗ୍ରାମ ସହାୟକ ଓ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର କର୍ମଚାରୀମାନେ ପରିଚାଳନା କରିଥିଲେ ।

ଏନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସାମନ୍ତରାୟ କହିଛନ୍ତି, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀଙ୍କୁ ଆସନ୍ତାକାଲି ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଠାରେ ପୁରସ୍କୃତ କରାଯିବ । ଏହା ସହ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ନେଇ ଏକ ୱାକଥନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

 

ସମ୍ବନ୍ଧିତ ଖବର